• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ଶ୍ରୀଜଗନ୍ନାଥ ସଂସ୍କୃତିରେ ଦଶହରା

by Voice of Victims
September 27, 2024
in ଆଧ୍ୟାତ୍ମିକ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଶ୍ରୀଜଗନ୍ନାଥ ସଂସ୍କୃତିରେ ଦଶହରା

ଭାଦ୍ରବ ଶୁକ୍ଳ ଅଷ୍ଟମୀ ଠାରୁ ଆଶ୍ୱିନ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ଜଗଦ୍‌ଜନନୀ ମା’ ଦୁର୍ଗା ଶୟନ କରିଥାନ୍ତି ଏବଂ ଆଶ୍ୱିନ ମାସ କୃଷ୍ଣଅଷ୍ଟମୀ ରେ ଉତ୍‌ଥାପନ କରିଥାନ୍ତି। ଏଣୁ ଦେବୀ ନିଦ୍ରାରୁ ଉତ୍‌ଥାପନ ପରେ ଆଶ୍ୱିନ କୃଷ୍ଣ ଅଷ୍ଟମୀ(ମୂଳାଷ୍ଟମୀ) ଦିନ ଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଏହି ଷୋହଳ ଦିନ (ଏକ ଦିନ ଦେବୀଙ୍କର ବିଶ୍ରାମ ବ୍ୟତୀତ) ଶାରଦୀୟ ଦୁର୍ଗାପୂଜାର ସ୍ୱତନ୍ତ୍ର ପୂଜା ବିଦ୍ଧି ଅନୁଷ୍ଠିତ ହୋଇଥାଏ। ତେଣୁ ଏହି ଷୋହଳ ଦିନର ପୂଜା କୁ ଷୋହଳପୂଜା ବା ଭାଷାନ୍ତରେ ଷୋଳପୂଜା ବୋଲି କୁହାଯାଏ। ଯଦ୍ୟପି ଉତ୍କଳର ପୁର ପଲ୍ଲିରୁ ଆରମ୍ଭ କରି ଭାରତର ଅନେକ ସ୍ଥାନରେ ମା’ ଦୁର୍ଗା ଦେବୀଙ୍କର ଶାରଦୀୟ ପୂଜା ଅନୁଷ୍ଠିତ ହୁଏ, ଦୁର୍ଗାପୂଜାର ଆଦ୍ୟ ସ୍ଥଳ ଶ୍ରୀମନ୍ଦିରରେ ଏହି ପୂଜା ଏକ ସ୍ୱତନ୍ତ୍ର ବିଦ୍ଧିରେ ପାଳନ କରାଯାଏ। ଏହି ଷୋହଳଦିନ ଶ୍ରୀଜଗନ୍ନାଥ ଏବଂ ଶ୍ରୀକ୍ଷେତ୍ରାଧିଶ୍ୱରୀ ମା’ ବିମଳାଙ୍କୁ ଏକତ୍ର ପୂଜା କରାଯାଇଥାଏ। ଏହା ଦୁର୍ଗା ମାଧବ ଉପାସନା ଅଟେ। କାରଣ ବିମଳା ହିଁ ଦୁର୍ଗା ରୂପେ ପୂଜିତ। ଶ୍ରୀକ୍ଷେତ୍ରରେ ବିମଳା ଭୈରବୀ ଏବଂ ଜଗନ୍ନାଥ ଭୈରବ ଅଟନ୍ତି। “ବିମଳାସା ମହାଦେବୀ ଜଗନ୍ନାଥସ୍ତୁ ଭୈରଭଃ” (ତନ୍ତ୍ର ଚୂଡ଼ାମଣି)। ପୁନଃଶ୍ଚ ମହାନିର୍ବାଣ ତନ୍ତ୍ର ମତରେ ଶ୍ରୀଜଗନ୍ନାଥ ଓ ଦୁର୍ଗା ଏକ ଅଟନ୍ତି। “ନିଳାଦୌ ଜଗନ୍ନାଥ ସାକ୍ଷାତ ଦକ୍ଷିଣ କାଳିକା।” ଶ୍ରୀଜଗନ୍ନାଥଙ୍କ କୈବଲ୍ୟ ସେବନ କରୁଥିବାରୁ ଦୁର୍ଗା ଏଠି ବିମଳା ନାମରେ ପୂଜିତ ହୁଅନ୍ତି। “ବିମଳା ଭବିତା ନାମ୍ନା ହରିକୈବଲ୍ୟ ମୋଦିତା” ଆଦି ତଥ୍ୟ ପୁରାଣରେ ବର୍ଣ୍ଣିତ ଅଛି। ଶ୍ରୀକ୍ଷେତ୍ରରେ ବିମଳାଙ୍କ ମନ୍ଦିର ଶ୍ରୀମନ୍ଦିରର ନୈରୁତ କୋଣରେ ଅବସ୍ଥିତ। ଏହି ଷୋହଳ ଦିନାତ୍ମକ ପୂଜାରେ ଦେବୀ ବିମଳା ଏଗାରଟି ବେଶ ଯଥା- ବନଦୁର୍ଗା ବେଶ, ଭୁବନେଶ୍ୱରୀ ବେଶ, ନାରାୟାଣୀ ବେଶ, ବଗଳା ବେଶ, ଜୟଦୁର୍ଗା ବେଶ, ଉଗ୍ରତାରା ବେଶ, ମାତଙ୍ଗିନୀ ବେଶ, ଦଶଭୁଜା ବେଶ, ରାଜରାଜେଶ୍ୱରୀ ବେଶ, ହରଚଣ୍ଡୀ ବେଶ ଓ ସିଂହବାହିନୀ ବେଶରେ ପୂଜା ପାଇଥାନ୍ତି।
ଶ୍ରୀମନ୍ଦିରରେ ଏହି ଷୋଳପୂଜା ବିଦ୍ଧି ଆଠଦିନ ଲେଖାଏଁ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ଦିନ ଷୋଳପୂଜା ନିମିତ ଗଜପତି ମହାରାଜା ଗୁଆ ନଡ଼ିଆ ଦେଇ ବ୍ରାହ୍ମଣବରଣ କରିଥାନ୍ତି। ଦୁର୍ଗାପୂଜା ପାଇଁ ଦେବୀ ଶୁଭଦ୍ରାଙ୍କୁ ପୂଜାର୍ଚ୍ଚନା କରାଯାଇ ଅଜ୍ଞାମାଳ ଲାଗି କରାଯାଏ। ଶ୍ରୀମନ୍ଦିରରେ ସକାଳ ଧୂପ ବଢ଼ିବା ପରେ ଦକ୍ଷିଣ ଗୃହରୁ ସ୍ୱର୍ଣ୍ଣ ନିର୍ମିତ ଦୂର୍ଗାପ୍ରତିମାଙ୍କୁ ଅଣାଯାଇ ରତ୍ନ ସିଂହାସନରେ ବିଜେ କରାଯାଏ। ଏହାପରେ ଆଜ୍ଞାମାଳ ପ୍ରାପ୍ତ ହୋଇ ମାଜଣା ମଣ୍ଡପ ଉପରେ ଦୁର୍ଗାପ୍ରତିମାଙ୍କୁ ବିଜେ କରାଯିବା ପରେ ପଣ୍ଡା, ପ୍ରତିହାରୀ, ମୁଦିରସ୍ତ ଓ ଆଚାର୍ଯ୍ୟ ମାନେ ବନଦୁର୍ଗା ମନ୍ତ୍ରଦ୍ୱାରା ସହସ୍ର କୁମ୍ଭ ବରଣ କରିଥାନ୍ତି। ଏହାପରେ ଶୀତଳ ଭୋଗ ମୁଦିରଥଙ୍କ ଦ୍ୱାରା ପ୍ରସାଦଲାଗି ଓ ପଂଚଉପଚାର ଭୋଗ ଓ ବନ୍ଦାପନା ପରେ ଭଣ୍ଡାରଦ୍ୱାରକୁ ପ୍ରତିମା ବିଜେ କରିଥାନ୍ତି। ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମାଧବ ଆଜ୍ଞାମାଳ ପାଇ ଦେବୀଙ୍କ ସହ ଆସି ମିଳିତ ହୋଇଥାନ୍ତି। ବିମଳାଙ୍କ ନିକଟରେ କୋଠଭୋଗ, ପିଷ୍ଟକ, ଥାଳି ଖେଚୁଡ଼ି ମଣୋହି ଆଦି ଷୋଡ଼ଶଉପଚାରରେ ପୂଜା ଆଳତି ଓ ବନ୍ଦାପନା ପରେ ଦୁର୍ଗାମାଧବ ପାଲିଙ୍କିରେ ବିମଳାଙ୍କ ମନ୍ଦିରକୁ ବିଜେ କରି ଜଗମୋହନରେ ପଲଙ୍କ ବିଜେ କରନ୍ତି। ତାପରେ ଶୀତଳଭୋଗ ଓ ବନ୍ଦାପନା ହୋଇଥାଏ। ବିମଳାଙ୍କ ତିନି ଧୂପ ଓ ଶ୍ରୀଜଗନ୍ନାଥଙ୍କ ରାତ୍ର ଚନ୍ଦନଲାଗି ପରେ ବିମାନବଡୁ ମାନେ ବିମାନରେ ଦୁର୍ଗାମାଧବଙ୍କୁ ନେଇ ମହାଜନ ସେବକ ମାନେ ଦୁର୍ଗାମାଧବଙ୍କୁ ଭଣ୍ଡାରଘରଦ୍ୱାର (ବାହାର ଭଣ୍ଡାର)କୁ ବିଜେ କରାନ୍ତି ଏବଂ ସେଠାରେ ଦୁର୍ଗାମାଧବଙ୍କୁ ଏକତ୍ର ପଲଙ୍କରେ ବିଜେ କରାଯାଏ। ଏହିପରି ଆଶ୍ୱିନ କୃଷ୍ଣ ଅଷ୍ଟମୀ ଠାରୁ ଆଠଦିନ ଯାଏ କରାଯାଇଥାଏ।
ଏହାପରେ ପରବର୍ତୀ ଆଠଦିନ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଦୁର୍ଗାମାଧବ ଏକତ୍ର ଶ୍ରୀମନ୍ଦିର ସମ୍ମୁଖ ଦୋଳମଣ୍ଡପସାହି ସ୍ଥିତ ନାରାୟଣୀ ମଣ୍ଡପକୁ ବିଜେ କରନ୍ତି। ଏହା ଶାକ୍ତଗୁଣ୍ଡିଚା ବା ଗୁପ୍ତଗୁଣ୍ଡିଚା ନାମରେ ଖ୍ୟାତ। ଶ୍ରୀଗୁଣ୍ଡିଚା ରଥଯାତ୍ରାରେ ଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ଜନ୍ମବେଦୀକୁ ବୁଲି ଯିବା ସମୟରେ ଲକ୍ଷ୍ମୀ ମାଆଙ୍କୁ ସାଙ୍ଗରେ ନେଇ ନଥିବାରୁ ତାଙ୍କ ପ୍ରୀତି ନିମନ୍ତେ ଶ୍ରୀଜଗନ୍ନାଥ ମାଧବ ରୂପରେ ଏବଂ ଲକ୍ଷ୍ମୀ ଦୁର୍ଗା ରୂପରେ ଶ୍ରୀମନ୍ଦିରରୁ ନାରାୟଣୀ ମଣ୍ଡପ ଯାଏଁ ଏହି ଆଠଦିନ ବ୍ୟାପି ଯାତ୍ରା କରିଥାନ୍ତି। ନାରାୟଣୀ ମଣ୍ଡପରେ ଦୁର୍ଗାମାଧବ ବିଜେ ହେବା ପରେ ସେଠାରେ ବିଗ୍ରହଙ୍କୁ ସୁବାସିତ ଜଳ, କର୍ପୁର ଲାଗି କରାଯାଏ। ମେବାଡାପଣ୍ଡାଙ୍କ ଘରୁ ଫୁଲ, ବେଲପତ୍ର, ତୁଳସୀ ଆଦି ଆସି ଲାଗି ହୋଇଥାଏ। ସଂନ୍ଧ୍ୟାଧୂପ ପରେ ମାଣ୍ଡୁଅ ଭୋଗ ପଂକ୍ତିପୂଜା ଆଦି ପରେ କର୍ପୁର ଆଳତି ଓ ଜନାର୍ଦ୍ଦନ ଧୂପ ଆଳତି ଲଗି ହୁଏ। ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ରାତ୍ର ଚନ୍ଦନ ଲାଗି ପରେ ଦୁର୍ଗାମାଧବ ଶ୍ରୀମନ୍ଦିରକୁ ଫେରି ଆସନ୍ତି। ଏହାପରେ ବିମାନବଡୁ ପାଲିଙ୍କିରେ ବିଗ୍ରହଙ୍କୁ ନେଇ ଭଣ୍ଡାରଘର ଦୁଆରେ(ବାହାର ଭଣ୍ଡାର) ବିଜେ କରାନ୍ତି। ଏହି ପରି ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଚାଲେ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ଠାରୁ ଶୁକ୍ଳ ନବମୀ ଯାଏ ଏହି ଷୋହଳଦିନ(ଏକ ଦିନ ବିଶ୍ରାମ) ଦୁର୍ଗାମାଧବ ଏକତ୍ର ରୁନ୍ଧା ହୋଇ ବା ମିଳିତ ହୋଇ ରହିଥାନ୍ତି।
ଏହାପରେ ଆଶ୍ୱିନ ଶୁକ୍ଳ ଦଶମୀ ଦିନ ଦଶହରା ପର୍ବ ପାଳନ ହୋଇଥାଏ। ଏହିଦିନ ରାମକୃଷ୍ଣ, ମଦନମୋହନ ତଥା ଦୁର୍ଗାମାଧବ ବୀର ବେଶ ଧାରଣ କରି ରତ୍ନସିହାସନରେ ବିଜେ ହୋଇଥାନ୍ତି। ଶ୍ରୀଜଗନ୍ନାଥଙ୍କୁ ଦଶହରା ଉତ୍ସବ ନିମନ୍ତେ ପ୍ରାର୍ଥନା କରି ଆଜ୍ଞାମାଳ ପ୍ରାପ୍ତ ପରେ ରାମକୃଷ୍ଣ, ମଦନମୋହନ ଏବଂ ଦୁର୍ଗାମାଧବ ଜଗନ୍ନାଥ ବଲ୍ଲଭ ମଠକୁ ଯାତ୍ରା କରିଥାନ୍ତି। ସେଠାରେ ମଝିରେ ଦୁର୍ଗାମାଧବ, ଦକ୍ଷିଣରେ ରାମକୃଷ୍ଣ ଏବଂ ବାମରେ ମଦନମୋହନ ଆସନ ଗ୍ରହଣ କରିବା ପରେ ମୁଦିରଥଙ୍କ ଦ୍ୱାରା ପ୍ରସାଦଲାଗି, ଶୀତଳ ଭୋଗ ଓ ବନ୍ଦାପନା କରାଯାଇଥାଏ। ତାହା ପରେ ବିଗ୍ରହ ମାନେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରି ମାଧବ ରତ୍ନସିହାସନରେ ଜଗନ୍ନାଥଙ୍କ ବାମ ପାଶ୍ୱର୍ରେ, ଦୁର୍ଗା ଭଣ୍ଡାର ଗୃହରେ, ରାମକୃଷ୍ଣ ଓ ମଦନମୋହନ ଦକ୍ଷିଣ ଘରେ ବିଜେ କରିଥାନ୍ତି। ଏଥିସହିତ ଏକ ବିଶେଷ ପ୍ରଥା ହେଉଛି ମହାସପ୍ତମୀ, ମହାଅଷ୍ଟମୀ ଏବଂ ମହାନବମୀ ଏହି ତିନି ଦିନ ବିମଳାଙ୍କୁ ପଶୁବଳି ପ୍ରଦାନ କରାଯାଇ ସ୍ୱତନ୍ତ୍ର ଭାବେ ଆମିଷ ସମର୍ପଣ କରାଯାଏ। ବର୍ଷ ତମାମ ଶ୍ରୀମନ୍ଦିର ଭିତରକୁ ଆମିଷ ପ୍ରବେଶ କରାଯାଏ ନାହିଁ। ମାତ୍ର ଷୋଳପୂଜାର ବିଶେଷ ନିତୀରେ କେବଳ ଏହି ତିନି ଦିନ ଶ୍ରୀମନ୍ଦିର ପରିସର ମଧ୍ୟକୁ ଆମିଷ ପ୍ରବେଶ କରାଯାଏ। ଏଥିପାଇଁ ଶ୍ରୀମନ୍ଦିର ବେଢ଼ା ପରିସରରେ ଥିବା ସମସ୍ତ ଦେବାଦେବୀଙ୍କ ପହଡ ନିତୀ ଶେଷ ପରେ ନିଶାର୍ଦ୍ଧରେ ଶ୍ରୀମନ୍ଦିର ନୈରୁତ କୋଣରେ ଥିବା କପାଳମୋଚନ ମନ୍ଦିର ନିକଟରେ ଏକ ସିଡି ସାହାଯ୍ୟରେ ମେଘନାଦ ପାଚେରି ଡିଆଁଇ ଶ୍ରୀମନ୍ଦିର ପରିସର ମଧ୍ୟକୁ ବଳି ପାଇଁ ଉଦିଷ୍ଟ ପଶୁ ଏବଂ ମାଛ ପ୍ରବେଶ କରାଯାଏ। ବିମଳାଙ୍କ ମନ୍ଦିର ସମ୍ମୁଖରେ ଥିବା ସିଂହ ମୂର୍ତି ସମ୍ମୁଖରେ ପଶୁବଳି ପକାଯାଇ ମାଟି ସରାରେ ରକ୍ତମିଶ୍ରିତ ଅକ୍ଷତ ନେଇ ବିମଳାଙ୍କୁ ସମର୍ପଣ କରାଯାଇଥାଏ ଏବଂ ବିମଳାଙ୍କ ମନ୍ଦିର ପଛ ପାଶ୍ୱର୍ସ୍ଥ ଏକ ସ୍ଥାନରେ ମାଛ ଖେଚୁଡି ରନ୍ଧାଯାଇ ବିମଳାଙ୍କ ନିକଟରେ ଭୋଗ ଲଗାଯାଇଥାଏ। ପରଦିନ ସକାଳୁ ଶ୍ରୀମନ୍ଦିର ପରିସର ଶୋଧ କରାଯାଇ ଯଥାରୀତି ପୂଜା କର୍ମାଦି ଚାଲେ।
ଉତ୍କଳ ଇତିହାସରୁ ଜଣାଯାଏ, ଓଡ଼ିଶାର ଗଜପତି ମହାରାଜା ରାମଚନ୍ଦ୍ରଦେବ ୧ମ(ଭୋଇ)ଙ୍କ ଶାସନ ସମୟରେ ବର୍ଦ୍ଧନରାଜଗୁରୁ ‘ଦୁର୍ଗୋତ୍ସବଚନ୍ଦ୍ରିକା’ ରଚନା କରି ଦୁର୍ଗାପୂଜାକୁ ସାମରିକ ଉତ୍ସବ ଭାବେ ସାର୍ବଜନୀନ କରିଥିଲେ। ଏହା ଶ୍ରୀକ୍ଷେତ୍ରାଧିଶ୍ୱରୀ ମା’ ବିମଳାଙ୍କ ପୀଠରୁ ଆରମ୍ଭ କରି ଉତ୍କଳର ବିଭିନ୍ନ ଦେବୀପୀଠ ମାନଙ୍କରେ ପାଳନ କରାଗଲା। ସମଗ୍ର ଉତ୍କଳରେ ପାରମ୍ପରିକ ସାମରିକ ସଜ୍ଜାର ପୁନରୁତ୍‌ଥାନ କରିବା ଏହାର ମୂଳ ଲକ୍ଷ୍ୟ ଥିଲା। ମହା ସପ୍ତମୀ ଠାରୁ ଉତ୍କଳର କ୍ଷତ୍ରୀୟ ପାଇକ ମାନଙ୍କର ରଣ କ୍ଷେତ୍ରରେ ବ୍ୟବହୃତ ବିଭିନ୍ନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଗୁଡ଼ିକ ପୂଜାରେ ବସାଯାଏ ଏବଂ ଦଶହରା ଦିନ ସେ ସବୁକୁ ପୂଜାରୁ ଉଠାଇ ପାଇକ ମାନେ ରଣକୌଶଳ ପ୍ରଦର୍ଶନ କରି ରାଜାଙ୍କ ଠାରୁ ଛାମୁଶାଢ଼ୀ ପଗଡି ପ୍ରାପ୍ତ ହୋଇଥାନ୍ତି ବୋଲି ଇତିହାସରୁ ଜାଣିବାକୁ ମିଳେ। ଏହିଦିନ ଶ୍ରୀଜଗନ୍ନାଥଙ୍କ ଆୟୁଧ ସୁଦର୍ଶନଙ୍କର ମଧ୍ୟ ସ୍ୱତ୍ରନ୍ତ୍ର ପୂଜା ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ଆୟୁଧ ପୂଜା ସହିତ ମହାପ୍ରଭୁ ରାଜାଧିରାଜ ବେଶ ହୋଇଥାନ୍ତି।

ଡ. ରାଜଲକ୍ଷ୍ମୀ ଜେନା
ଧର୍ମଶାସ୍ତ୍ର ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷିକା

Post Views: 88
Share204Tweet128Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In