ନୂଆଦିଳ୍ଲୀ: ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଦୋହଲିଲା ଜାପାନ। ଜାପାନର ହୋକାଇଡୋ ଉପକୂଳରେ ୬.୧ ତୀବ୍ରତାର ଭୂକମ୍ପ ଝଟକ ଅନୁଭୂତ ହୋଇଛି । ଭୂକମ୍ପ ପରେ ଏପର୍ଯ୍ୟନ୍ତ କୌଣସି ସୁନାମି ଚେତାବନୀ ଜାରି କରାଯାଇନାହିଁ । ଭୂକମ୍ପ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ସୃଷ୍ଟି କରିଛି ।
ଜାପାନ ପାଣିପାଗ ସଂସ୍ଥା (JMA) ଭୂମିକମ୍ପକୁ ନିଶ୍ଚିତ କରି କହିଛି ଯେ, ଗୁରୁବାର (ଜୁନ୍ ୧୯) ଜାପାନର ହୋକାଇଡୋ ଅଞ୍ଚଳର ନେମୁରୋ ଉପଦ୍ୱୀପର ଦକ୍ଷିଣ-ପୂର୍ବ ଉପକୂଳରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ୪୨.୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୪୬.୪ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଚିହ୍ନଟ କରାଯାଇଛି ।

ଜାପାନ ସରକାର ଏବଂ ଭୂମିକମ୍ପ ବୈଜ୍ଞାନିକମାନେ ସୁନାମି ନେଇ ସତର୍କତା ଜାରି କରିଛନ୍ତି । ଯେକୌଣସି ପ୍ରକାରର ବିପର୍ଯ୍ୟୟର ମୁକାବିଲା ପାଇଁ ଲୋକଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାରମ୍ଭିକ ଯାଞ୍ଚରୁ କୗଣସି ପ୍ରକାର କ୍ଷୟକ୍ଷତି ବିଷୟରେ ସୂଚନା ମିଳିନାହିଁ ।
