ବିହାରର ପାଟଳୀପୁତ୍ର ରେଳ ଷ୍ଟେସନରେ ପରୀକ୍ଷା ଦେଉଥିବା ପ୍ରାର୍ଥୀଙ୍କ ପ୍ରତିବାଦ ରବିବାର ହିଂସାତ୍ମକ ହୋଇଛି। ପ୍ରତିବାଦ ସମୟରେ କିଛି ଛାତ୍ର ଏକ ଟ୍ରେନ୍ ଭଙ୍ଗାରୁଜା ଏବଂ ପଥର ଫିଙ୍ଗା ହୋଇଥିବା ରିପୋର୍ଟ ଆସିଛି। ଚାକିରିର ସ୍ୱପ୍ନ ନେଇ ଆସିଥିବା ଏହି ଭିଡ଼ କିଛି ଘଣ୍ଟା ମଧ୍ୟରେ ଉତ୍ତେଜିତ ଜନସମୂହରେ ପରିଣତ ହୋଇଯାଇଥିଲା। ଟ୍ରେନ ବିଳମ୍ବ, ଅବ୍ୟବସ୍ଥା ଏବଂ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାର ଚିନ୍ତା ଶେଷରେ ଷ୍ଟେସନକୁ ରଣକ୍ଷେତ୍ରରେ ପରିଣତ କରିଦେଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଟ୍ରେନର ନିରନ୍ତର ବିଳମ୍ବକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। କେତେକ ସ୍ଥାନରେ ଚେନ୍ ଟାଣି ଟ୍ରେନ ଅଟକାଯାଇଥିଲା। ପରିସ୍ଥିତି ଶୀଘ୍ର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ପଥରମାଡ଼ ଆରମ୍ଭ ହୋଇଥିଲା। ଏହାପରେ ଷ୍ଟେସନ ପରିସର ଓ ଆଖପାଖ ଅଞ୍ଚଳରେ ପ୍ରାୟ ଦୁଇରୁ ତିନି ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିଲା।
ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସକୁ ଲୁହବୁହା ଗ୍ୟାସ୍ ସେଲ୍ ପ୍ରୟୋଗ କରିବା ସହ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଥିଲା। ପଥରମାଡ଼ରେ ପାଟନା ଆଇଜି ଜିତେନ୍ଦ୍ର ରାଣାଙ୍କ ସମେତ ଅନେକ ପୋଲିସ ଅଧିକାରୀ ଆହତ ହୋଇଥିଲେ। ଆଇଜିଙ୍କ କହିବା ଅନୁଯାୟୀ, ପ୍ରଥମ ସିଫ୍ଟର କିଛି ପ୍ରାର୍ଥୀ ସମୟରେ ଷ୍ଟେସନରେ ପହଞ୍ଚିପାରିନଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଥିଲା, ଯାହା ପରେ ହିଂସାତ୍ମକ ରୂପ ନେଇଥିଲା।
ଘଟଣା ପରେ ରେଳ ପୋଲିସ କଡ଼ା ପଦକ୍ଷେପ ନେଇଛି। ପାଟଳୀପୁତ୍ର ଜିଆରପି ଥାନାରେ ୫୦୦ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି। ଷ୍ଟେସନରେ ଏବେ ମଧ୍ୟ ବହୁ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ରହିଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନ ପରେ, ଷ୍ଟେସନ ପରିସରରୁ ଭିଡ଼ ହଟାଇ ଦିଆଯାଇଛି। ରିପୋର୍ଟ ଅନୁସାରେ, ସମସ୍ତ ଟ୍ରେନ୍ ସେବା ସ୍ୱାଭାବିକ ଭାବରେ ଚାଲୁଛି।
ଏହି ଘଟଣା ପୁଣିଥରେ ପ୍ରଶ୍ନ ଉଠାଇଛି ଯେ ବୃହତ୍ ନିଯୁକ୍ତି ପରୀକ୍ଷା ସମୟରେ ପରିବହନ ବ୍ୟବସ୍ଥା, ପ୍ରାର୍ଥୀ ପରିଚାଳନା ଏବଂ ସୁରକ୍ଷା ବ୍ୟବସ୍ଥା କେତେ ଦୃଢ଼। ଚାକିରି ଆଶାରେ ଆସିଥିବା ଯୁବକଙ୍କ କ୍ରୋଧ ଯେତେବେଳେ ରାସ୍ତା ଓ ରେଳ ଷ୍ଟେସନରେ ବିସ୍ଫୋରିତ ହୁଏ, ସେତେବେଳେ ଏହା କେବଳ ଏକ ଆଇନ-ଶୃଙ୍ଖଳା ସମସ୍ୟା ନୁହେଁ, ବରଂ ବ୍ୟବସ୍ଥାଗତ ଚ୍ୟାଲେଞ୍ଜର ଏକ ସତର୍କ ସଙ୍କେତ ହୋଇଉଠେ।
