ରଣପୁର (ଭିଓଭି) : ଗତ ଜୁଲାଇ ୩୦ ତାରିଖରେ ନୟାଗଡ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଆନ୍ତଃଜିଲ୍ଲା ସ୍ତରୀୟ ପୋଲିସମାନଙ୍କ ବଦଳି କରିଛନ୍ତି । ଏ ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚିଠି ନମ୍ବର ୮୭୦ ପ୍ରକାଶ କରିଥିଲେ ।


ଏହି ଚିଠି ଅନୁଯାୟୀ ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କର ଖଣ୍ଡପଡା ଥାନା ଅଧିକାରୀ ଭାବେ ବଦଳି ହୋଇଥିବା ଜଣାପଡ଼ିଛି । ସେହିପରି ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁଙ୍କର ରଣପୁର ଥାନା ଅଧିକାରୀ ଭାବେ ବଦଳି ହୋଇଥିବା ଜଣାପଡ଼ିଛି । ତେବେ ଗତକାଲି ଦିଲ୍ଲୀପ କୁମାର ସ୍ୱାଇଁ ରଣପୁର ଥାନା ଅଧିକାରୀ ଭାବେ ଯୋଗ ଦେଇ ଥାନା ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ଚାନ୍ଦପୁର ଥାନା ଉପ-ଆରକ୍ଷୀ କୃତିବାସ ହରିଚନ୍ଦନ ରଣପୁର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ବେଳେ ନୟାଗଡ ଥାନା ଉପ-ନିରୀକ୍ଷକ ପ୍ରୀତି ପ୍ରକାଶ ମହାନ୍ତି ରାଜସୁନାଖଳା ଫାଣ୍ଡିରେ ନୂତନ ଭାବେ ଯୋଗ ଦାୟିତ୍ୱ ଗ୍ରହଣ କରିଛନ୍ତି।
