କୋଟିଆ ସୀମା ବିବାଦକୁ ନେଇ ରାଜ୍ୟ ରାଜନୀତି ପୁଣିଥରେ ଉଷ୍ଣ ହୋଇଉଠିଛି । ବିଧାନସଭାରେ କୋଟିଆ ପ୍ରସଙ୍ଗକୁ ନେଇ ସ୍ୱତନ୍ତ୍ର ଆଲୋଚନା ଦାବି କରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହରେ ଆତ୍ମାହୁତି ଦେବା ଭଳି ଚରମ ଚେତାବନୀ ଦେଇଛନ୍ତି ।
ସେ କହିଛନ୍ତି କୋଟିଆ ଆମର ମା’ ମାଟି ଏବଂ ଓଡ଼ିଶାର ପ୍ରାୟ ୫୦ଟି ଗାଁକୁ ଆନ୍ଧ୍ରପ୍ରଦେଶ ମାଡ଼ି ବସିଲାଣି। ରାଜସ୍ୱ ମନ୍ତ୍ରୀ ଏନେଇ ଆଲୋଚନା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ସରକାର ପଛଘୁଞ୍ଚା ଦେଉଛନ୍ତି। ତେଣୁ ତୁରନ୍ତ କୋଟିଆ ପ୍ରସଙ୍ଗରେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା କରିବାକୁ ସେ ଦାବି କରିବା ସହ ଆଲୋଚନା ନହେଲେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି।
ଅନ୍ୟପଟେ ତାରାଙ୍କ ଏହି ବୟାନ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ। ସେ କହିଛନ୍ତି ପୂର୍ବରୁ ବିଜେଡି ସରକାର ସମୟରେ ତାରା ବାହିନୀପତି ଏଭଳି ଧମକ ଦେଇଥିଲେ ଭଲ ହୋଇଥାନ୍ତା। କୋଟିଆ ଅଞ୍ଚଳରୁ କଂଗ୍ରେସର ଅଧିକ ବିଧାୟକ ରହିଆସିଛନ୍ତି, ତେଣୁ ଗତ ୫୦ ବର୍ଷ ଭିତରେ କଂଗ୍ରେସ ସେଠାରେ କ’ଣ ବିକାଶ କରିଛି ତାହାର ଚିଠା ଦିଅନ୍ତୁ । ବର୍ତ୍ତମାନର ସରକାରରେ କୋଟିଆର ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଗମ୍ଭୀରତାର ସହ ଆଲୋଚନା କରିବା ଆବଶ୍ୟକ।
