ଜାପାନ: ଶୁକ୍ରବାର ବିଳମ୍ବିତ ରାତିରେ ଜାପାନରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ତୁଷାରପାତ ସମୟରେ ଜାପାନର ଏକ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ଟ୍ରକ୍ ଧକ୍କା ହେବାପରେ, ଏକ୍ସପ୍ରେସୱେରେ ୫୦ ରୁ ଅଧିକ ଗାଡ଼ି ପରସ୍ପର ଧକ୍କା ହେଲେ । ଯାହା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ୨୬ ଜଣ ଆହତ ହୋଇଛନ୍ତି।
ଗୁନ୍ମା ପ୍ରିଫିକେଚର ହାଇୱେ ପୋଲିସ ଶନିବାର କହିଛି ଯେ ଟୋକିଓରୁ ପ୍ରାୟ ୧୬୦ କିଲୋମିଟର ଉତ୍ତର-ପଶ୍ଚିମରେ ମିନାକାମି ସହରର କାନ-ଏତସୁ ଏକ୍ସପ୍ରେସୱେରେ ଦୁଇଟି ଟ୍ରକ ଧକ୍କା ହେବା ପରେ ପ୍ରାୟ ୫୦ଟି ଗାଡ଼ି ଧକ୍କା ହୋଇଛି ।
ପୋଲିସ କହିଛି ଯେ ଦୁର୍ଘଟଣାରେ ଟୋକିଓର ଜଣେ ୭୭ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି । ୨୬ ଜଣ ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଏଥିସହ ଆହୁରି କହିଛି ଯେ, ଧକ୍କା ଯୋଗୁଁ ଏକ୍ସପ୍ରେସୱେର ଅବରୋଧ ହୋଇଥିଲା ଏବଂ ତୁଷାରପାତ ଯୋଗୁଁ ପଛରୁ ଆସୁଥିବା ଗାଡ଼ିଗୁଡ଼ିକ ସମୟ ମଧ୍ୟରେ ବ୍ରେକ୍ କରିପାରି ନଥିଲେ। ଯାହା ଫଳରେ ୫୦ ରୁ ଅଧିକ ଗାଡ଼ି ପରସ୍ପର ସହିତ ଧକ୍କା ହୋଇଥିଲା । ଏହା ମଧ୍ୟ କହିଛି ଯେ, ଧକ୍କା ଯୋଗୁଁ ଏକ ଡଜନରୁ ଅଧିକ ଗାଡ଼ିରେ ନିଆଁ ଲାଗିଯାଇଥିଲା । ପ୍ରାୟ ସାତ ଘଣ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଗାଡ଼ିରେ ରଖିଥିବା ସମସ୍ତ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଥିଲା ।
