ନୟାଗଡ଼ (ଭିଓଭି): ଆଜି ସକାଳେ ବନମାଳୀପୁର ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଖଣ୍ଡପଡା ଥାନା ବନମାଳୀପୁର ଗାଁରେ। ମୃତ ବୃଦ୍ଧ ଜଣକ ହେଲେ ଭାପୁର ବ୍ଲକ ବଡ଼ସହରା ପଞ୍ଚାୟତ ଗୋପାଳପ୍ରସାଦ ଗ୍ରାମର ଅବସରପ୍ରାପ୍ତ ପୋଲିସ କର୍ମଚାରୀ ସୋମନାଥ ପଟ୍ଟନାୟକ। ବୃଦ୍ଧ ଜଣଙ୍କ ୬ ଦିନ ଧରି ନିଖୋଜ ଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ସୋମନାଥ ବୁଧବାର ସକାଳେ ଖଣ୍ଡପଡା ଇନ୍ଧନ ଗ୍ୟାସ କାର୍ଯ୍ୟାଳୟକୁ ଗ୍ୟାସ ଆଣିବାକୁ ସାଇକେଲ ଯୋଗେ ଯାଇଥିଲେ। ଘରୁ ବାହାରିବାର ପ୍ରାୟ ଦେଢ଼ ଘଣ୍ଟା ପରେ ଘରକୁ ଫୋନ୍ କରି ଜଣାଇଥିଲେ ଯେ କେହି ଜଣେ ଦୁର୍ବୃତ୍ତ ତାଙ୍କ ସାଇକେଲ ସହିତ ବ୍ୟାଗ ଚୋରି କରି ନେଇ ଯାଇଛି। ଏହା ପରେ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ହୋଇଯାଇଥିଲା । ଏହି କଥା ଶୁଣି ପରିବାର ଲୋକଙ୍କ ସହିତ ଗ୍ରାମବାସୀମାନେ ସୋମନାଥଙ୍କୁ ଚାରିଆଡେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଏନେଇ ସୋମନାଥଙ୍କ ସ୍ତ୍ରୀ ଅନସୂୟା ପଟ୍ଟନାୟକ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳେ ବୃଦ୍ଧଙ୍କର ମୃତଦେହ ବନମାଳୀପୁର ଜଙ୍ଗଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ବୃଦ୍ଧ ଜଣଙ୍କ କିପରି ମୃତ୍ୟୁ ହେଲା ତାର କାରଣ ଅସ୍ପଷ୍ଟ ରହିଛି। ବୃଦ୍ଧଙ୍କୁ କିଏ ହତ୍ୟା କରି ପକାଇଦେଇଛି ନା, ସେ ଆତ୍ମହତ୍ୟା କରିଛନ୍ତି ତାର କାରଣ ଅସ୍ପଷ୍ଟ ରହିଛି। ଖଣ୍ଡପଡ଼ା ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ଅଧିକ କିଛି ଜାଣିବା ପାଇଁ ତଦନ୍ତ କରୁଛି।
