ବାଲେଶ୍ଵର (ଭିଓଭି) ୦୫/୧୧ : – ବାଣିଜ୍ୟ ପରମ୍ପରାର ସ୍ମୃତି କୁ ଉଜ୍ଜୀବିତ ରଖିବା ଓ ଏ ସମ୍ପର୍କରେ ଉତ୍ତରପୀଢୀ କୁ ଜଣାଇବା ଉଦ୍ଦେଶ୍ୟରେ ସମଗ୍ର ଓଡ଼ିଶାରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ରେ ପାଳିତ ହୋଇଆସୁଛି ବୋଇତ ବନ୍ଦାଣ ଉତ୍ସବ । ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ବାଲେଶ୍ଵର ପାଇଁ ଏହି ଉତ୍ସବର ମହତ୍ତ୍ଵ ବେଶ୍ ଅଧିକ । ବାଲେଶ୍ଵର ର ବଣିକମାନେ ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ପ୍ରଭୃତି ନଦୀ ମୂହାଣ ଦେଇ ସମୁଦ୍ର ରେ ନୈ।ଯାତ୍ରା ଦ୍ବାରା ଜାଭା , ସୁମାତ୍ରା , ବାଲି ପ୍ରଭୃତି ଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ । ଉତ୍ପାଦିତ ଦ୍ରବ୍ୟ କୁ ବିକ୍ରି କରି ଲାଭବାନ ହୋଉଥିଲେ । ବଣିକଙ୍କ ଦୁଃସାହସିକ ନୈ।ଯାତ୍ରା ଓ ବାଣିଜ୍ୟକୁ ମନେପକାଇ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ବାଲେଶ୍ଵର ସହରର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେଉଛି । ସୁନହଟ ରେ ସର୍ବାଧିକ ୬୫ ବର୍ଷଧରି ଏହି ଉତ୍ସବ ପାଳିତ ହୋଇଆସୁଛି । ଆଜି ସକାଳେ ବୋଇତ ବନ୍ଦାଣ ସରିଯାଇଛି ।

ସନ୍ଧ୍ୟା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସାଙ୍ଗକୁ ସ୍ଥାନୀୟ ଓ ରାଜ୍ୟସ୍ତରୀୟ କଳାକାର ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଭାପତି ଡ଼ା. ଶାନ୍ତନୁ ଦାସ ଓ ସମ୍ପାଦକ ଗୈାତମ କୁମାର ଦାସ ସୂଚନା ଦେଇଛନ୍ତି । ସେହିଭଳି ୧୩ ବର୍ଷ ରେ ପହଞ୍ଚିଥିବା ବାଲିଘାଟ ସୁରକ୍ଷା କମିଟିର ବୋଇତ ବନ୍ଦାଣ ଉତ୍ସବ ଓ ବାଲେଶ୍ଵର ବାଲିମେଳା କୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ସଭାପତି ହରେନ ଚନ୍ଦ୍ର ରଣା ପ୍ରକାଶ କରିଛନ୍ତି । ମେଳାରେ ୭ ଶହ ଷ୍ଟଲ ଏବଂ ୩ ଶହରୁ ଅଧିକ ଉଠା ଦୋକାନୀ ବସିଛନ୍ତି । ୩ ଦିନ ଧରି ଖ୍ୟାତନାମା କଳାକାର ଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କଟକ ବାଲିଯାତ୍ରା ଭଳି ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ସାଧାରଣ ସଂପାଦକ ଯୋଗେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି । ଆଜି ବୋଇତ ବନ୍ଦାଣ ଉତ୍ସବ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି ।
