ରଣପୁର (ଭିଓଭି) : ପୋଖରୀରେ ଜଣେ ବୁଡି ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକର ନାମ ସୂର୍ଯ୍ୟଂଶୁ ବେହେରା, ବୟସ ୮ ବର୍ଷ । ବାପାଙ୍କ ନାମ ସୁରେଶ ଚନ୍ଦ୍ର ବେହେରା | ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଥାନା କେରଣ୍ଡାଟାଙ୍ଗୀ ନିକଟସ୍ଥ ମୁକ୍ତାପୁର ଗ୍ରାମରେ । ଖବର ସଂଗ୍ରହ ଅନୁଯାୟୀ, ମୃତ ସୂର୍ଯ୍ୟ ମୁକ୍ତାପୁର ଗ୍ରାମର ଶିକ୍ଷକ ସୁରେଶ ଚନ୍ଦ୍ର ବେହରା ଓ ଶିକ୍ଷୟତ୍ରୀ ଜୟନ୍ତୀ ଜେନାଙ୍କ ପୁତ୍ର ଅଟନ୍ତି । ସୂର୍ଯ୍ୟର ଦୀର୍ଘ ଦିନ ଧରି ଚିକିତ୍ସା ଚାଲି ରହିଥିଲା । ବହୁ ଦିନ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲା । ଗତ କାଲି ସନ୍ଧ୍ୟାବେଳେ ଖେଳୁ ଖେଳୁ ବିଲ ଆଡ଼େ ଚାଲି ଯାଇଥିଲେ । ଏହା ପରେ ଘର ଲୋକେ ବହୁ ଖୋଜା ଖୋଜି କରି ସୂର୍ଯ୍ୟକୁ ପାଇ ନ ଥିଲେ । ଶେଷରେ ଥାନାରେ ସୂର୍ଯ୍ୟର ନିଖୋଜ ରିପୋର୍ଟ ପରିବାର ପକ୍ଷରୁ ଦିଆ ଯାଇଥିଲା | କିନ୍ତୁ ବିଲ ଦେଇ ସୂର୍ଯ୍ୟ ଆଗକୁ ଆଗକୁ ଯାଇ ପାଖ ଗ୍ରାମ କୁକୁଡ଼ାଝରି ଗ୍ରାମ ପୋଖରୀରେ ପଡି ଯାଇଥିଲେ । ସକାଳୁ କୁକୁଡ଼ାଝରି ଲୋକେ ନାବାଳକ ସୂର୍ଯ୍ୟକୁ ପୋଖରୀ ମଧ୍ୟରୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳ କୁ ନାବାଳକର ମୃତ୍ୟୁ ହୋଇ ଯାଇଥିଲା । ଏହା ପରେ ପୋଲିସ ମୃତ ଶବକୁ ଜବତ କରି ରଣପୁର ମେଡିକାଲକୁ ଆଣି ଶବ ବ୍ୟବଚ୍ଛେଦ କରିଥିଲେ । ଏହା ପରେ ମୃତ ସୂର୍ଯ୍ୟର ମର ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣାରେ ସୂର୍ଯ୍ୟର ମା’, ବାପା ଓ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏହି ଖବର ଶୁଣିବା ପରେ ସମଗ୍ର ବ୍ଲକର ଶିକ୍ଷକ ମହଲରେ ଶୋକର ଛାୟା ଖେଳି ଯାଇଛି |
