ପୁରୀ (ରଶ୍ମି ରଞ୍ଜନ ମହାରଥାଙ୍କ ରିପୋର୍ଟ): ପୁରୀ ଜିଲ୍ଲାରେ ଥିବା ସମସ୍ତ ଆଧାର କେନ୍ଦ୍ର, ଜନସେବା କେନ୍ଦ୍ର ଏବଂ ମୋ ସେବା କେନ୍ଦ୍ର ଗୁଡ଼ିକରେ ନାହିଁ ନଥିବା ଗହଳି ଲାଗି ରହୁଛି। ସୁଭଦ୍ରା ଯୋଜନା ପାଇଁ ଆବେଦନ ଘୋଷଣା ହେବା ପରଠାରୁ ଏପରି ଗହଳି ବଢ଼ି ଯାଇଥିବାର ପରିଲକ୍ଷିତ ହେଉଛି। ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରଗୁଡ଼ିକରେ ସୁଭଦ୍ରା ଯୋଜନା ପାଇଁ ଉଦ୍ଦିଷ୍ଟ ଓ୍ବେବ୍ସାଇଟ୍ ଖୋଲୁ ନ ଥିବାରୁ ଦୀର୍ଘ ସମୟ ଅପେକ୍ଷା କରି ହିତାଧିକାରୀମାନଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି। ଏବେ ଦୁଇ ତିନି ଦିନ ହେବ କେବଳ ରାତ୍ରି ସମୟରେ ଓ୍ବେବ୍ସାଇଟ୍ କିଛି ସମୟ ପାଇଁ ଖୋଲି କିଛି ଡାଟା ଅପ୍ଲୋଡ ହେବା ପରେ ପୁଣି ବନ୍ଦ ହୋଇ ଯାଉଥିବାର କିଛି ଜନସେବା କେନ୍ଦ୍ର ଅଧିକାରୀ ପ୍ରକାଶ କରିଛନ୍ତି। ତେଣୁ ରାତି ପର୍ଯ୍ୟନ୍ତ ଅପେକ୍ଷା କରି ରହିଲେ ନିଜର ଫର୍ମ ଅପ୍ଲୋଡ ହୋଇଯିବା ଆଶାରେ କେତେକ ହିତାଧିକାରୀ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଜନସେବା କେନ୍ଦ୍ର ଆଗରେ ଧାଡ଼ିରେ ଛିଡା ହେବାର ଦେଖିବାକୁ ମିଳୁଛି। ଏଣେ ଆଧାର କେନ୍ଦ୍ରଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା। ସୁଭଦ୍ରା ଯୋଜନା ଆବେଦନ କରିବା ପାଇଁ କାହାର ଆଧାର କାର୍ଡ ସଂଶୋଧନ ଆବଶ୍ୟକ ଥିବା ସ୍ଥଳେ ରାସନ କାର୍ଡ ଚାଲୁ ରଖିବା ନିମନ୍ତେ ଇ-କେୱାଇସି ବାୟୋମେଟ୍ରିକ୍ ଅପ୍ଡେଟ୍ ପାଇଁ ଲୋକଙ୍କ ମନରେ ଚିନ୍ତା ବଢ଼ିଯାଇଛି। ଆଧାର ସଂଶୋଧନ କେନ୍ଦ୍ରଗୁଡ଼ିକରେ ମଧ୍ୟ ଦୈନିକ ଶହ ଶହ ଲୋକଙ୍କ ଭିଡ଼ ଲାଗି ରହୁଛି। କେତେକ ସ୍ଥାନ ଧସ୍ତାଧସ୍ତି ଭଳି ଅପ୍ରୀତିକର ପରିସ୍ଥିତି ଉପୁଜୁଛି। କେହି କେହି ଆଧାର କେନ୍ଦ୍ର ସମ୍ମୁଖରେ ସାରା ରାତି ଜଗି ରହୁଛନ୍ତି ତ କେହି କେହି ରାତି ଦୁଇଟାରୁ ଆସି ଧାଡ଼ିରେ ଛିଡ଼ା ହେବା ଦେଖିବାକୁ ମିଳୁଛି। ପୁରୀ ଜିଲ୍ଲାରେ ଜନସେବା କେନ୍ଦ୍ର, ମୋ ସେବା କେନ୍ଦ୍ର ଏବଂ ଆଧାର ସଂଶୋଧନ କେନ୍ଦ୍ରଗୁଡ଼ିକରେ ହିତାଧିକାରୀମାନଙ୍କ ଅବସ୍ଥା ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ। ସୁଭଦ୍ରା ଯୋଜନା ଆବେଦନ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର, ଜନସେବା କେନ୍ଦ୍ର, ମୋ ସେବା କେନ୍ଦ୍ର ଏବଂ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ମ୍ୟୁନିସିପାଲିଟି ବା ବ୍ଲକ୍ ସ୍ତରରେ ଖୋଲାଯାଇଥିବା ଫର୍ମ ବିତରଣ କେନ୍ଦ୍ରଗୁଡ଼ିକରେ ଫର୍ମ ମିଳିପାରିବ ବୋଲି ସରକାରୀ ସ୍ତରରେ ଘୋଷଣା କରାଯାଇଥିବା ବେଳେ ପୁରୀ ଜିଲ୍ଲାରେ କେବଳ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ହିଁ ଏହି ଫର୍ମ ମିଳୁଥିବାର ଦେଖାଯାଉଛି। ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରରେ ସୁଭଦ୍ରା ଆବେଦନ ଫର୍ମ ମିଳୁନାହିଁ। ହିତାଧିକାରୀମାନେ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରୁ ଫର୍ମ ନେଇ ଜନସେବା କେନ୍ଦ୍ରଗୁଡ଼ିକରେ ଆବେଦନ କରିବାକୁ ଯାଉଛନ୍ତି। ଅନ୍ଲାଇନ୍ ଆବେଦନ ବେଳେ ପ୍ରଥମେ ମୋବାଇଲକୁ ଓଟିପି ଯିବା କିମ୍ବା ହିତାଧିକାରୀଙ୍କ ଆଙ୍ଗୁଠି ଛାପ ବା ଆଇରିସ୍ ବାୟୋମେଟ୍ରିକ୍ ଦ୍ୱାରା ପ୍ରମାଣିତ କରିବାକୁ ପଡୁଥିଲା। କିନ୍ତୁ ଏଥିରେ ଗୋଟିଏ ଫର୍ମ ଦାଖଲ କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗି ଯାଉଥିବାରୁ ଏବେ ସେ ପ୍ରକାର ଅପ୍ଡେଟ୍ ସିଷ୍ଟମକୁ ବାଦ୍ ଦିଆଯାଇ ସିଧାସଳଖ ଆଧାର ନମ୍ବର ଦ୍ୱାରା ଫର୍ମ ଦାଖଲ କରାଯାଉଛି। ମାତ୍ର ସେଥିରେ ବି କେତେବେଳେ ଓ୍ବେବ୍ସାଇଟ୍ ଏରର୍ ଦେଖାଉଛି ତ କେତେବେଳେ ଲିଙ୍କ୍ ଚାଲିଯାଉଛି। ଦିନବେଳା ସର୍ଭର ଜାମ ରହୁଛି। ରାତ୍ରିରେ କିଛି ସମୟ ପାଇଁ ଖୋଲି କିଛି କାମ କରି ହେଉଛି। ସୁଭଦ୍ରା ଯୋଜନା ପାଇଁ ଉଦ୍ଦିଷ୍ଟ ଓ୍ବେବ୍ସାଇଟ୍ଟି ଯଦି ଠିକ୍ ଭାବରେ କାର୍ଯ୍ୟ କରନ୍ତା ତେବେ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରଗୁଡ଼ିକରେ ଅଯଥା ଗହଳିକୁ ରୋକା ଯାଇ ପାରନ୍ତା। ଅନ୍ଲାଇନ୍ ତଥ୍ୟ ଅପ୍ଲୋଡ୍ ପାଇଁ ଗୋଟିଏ ପୂର୍ଣ୍ଣ ବିକଶିତ ସଫ୍ଟଓ୍ବେୟାର ପ୍ରସ୍ତୁତ କରିବା ଭଳି ଆବଶ୍ୟକ ପ୍ରାଥମିକ ଭିତିଭୂମି ଠିକ୍ ନକରି ତରବରିଆ ଭାବେ ନିଷ୍ପତ୍ତି ନିଆଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି କେତେକ ଜନସେବା କେନ୍ଦ୍ର ଅଧିକାରୀ ପ୍ରକାଶ କରିଛନ୍ତି। ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

