ବାଲେଶ୍ବର, (ଭିଓଭି): ପ୍ରାଚୀନ ଲୋକ କଳା କୁ ଉଜ୍ଜୀବିତ କରି ଭାଇଚାରା ବଜାୟ ରଖିବାର ଅନନ୍ୟ ଏକ ପରମ୍ପରାର ଜ୍ଵଳନ୍ତ ଉଦାହରଣ ବାଲେଶ୍ୱରର ଜଉ କଣ୍ଢେଇ ବାହାଘର। ସଂସ୍କୃତି ଓ ପରମ୍ପରା ର ପ୍ରତୀକ ବାଲେଶ୍ବର ଲୋକ କଳା ଉତ୍ସବ “ଜଉ କଣ୍ଢେଇ ବାହାଘର”ରେ ବର ଅପର୍ତ୍ତି ଓ କନ୍ୟା ଗୁରେଇ ମଧ୍ୟରେ ବିବାହ ବୈଦିକ ରୀତିନୀତି ସହ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଅଛି। ବାହାଘର ଉତ୍ସବ ସ୍ଥଳ ସ୍ଥାନୀୟ ଖ୍ରୀଷ୍ଟିଆନ୍ ହାଇସ୍କୁଲ୍ ପଡ଼ିଆରୁ ଶହ ଶହ ବରଯାତ୍ରୀ କଣ୍ଢେଇ ବରକୁ ଏକ ପାରମ୍ପରିକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଅରଡ଼ ବଜାର ଲୋକନାଥଙ୍କ ମନ୍ଦିରରେ ପହଞ୍ଚିଥିଲା। ବରଯାତ୍ରୀ ଙ୍କ ଶୋଭାଯାତ୍ରାରେ ସାରା ବାଲେଶ୍ଵର ସହର ଉତ୍ସବ ମୁଖର ହୋଇ ଉଠିଥିଲା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ବରଯାତ୍ରୀ ଙ୍କୁ ବାଟ ସାରା ଲୋକମାନେ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। ବରଯାତ୍ରୀ ଯାଉଥିବା ରାସ୍ତା ଆଲୋକ ରୋଷଣୀରେ ଝଲସି ଉଠିଥିଲା। ରାଜ୍ୟ ସଂସ୍କୃତି ବିଭାଗ ଅନୁମୋଦନରେ ପୁରୀର ସାହି ଯାତ, ବରଗଡ଼ର ଦୁଲୁଦୁଲି, ନୀଳଗିରି ର ଆଦିବାସୀ ନୃତ୍ୟ, ବାଲେଶ୍ଵରର ରଙ୍ଗ ଢୋଲ, ସମେତ ପିତୁଳା ନାଚ, ପାଇକ ଆଖଡା ଏବଂ ବିଭିନ୍ନ ନୃତ୍ୟ ସଂସ୍ଥା ମାନଙ୍କର ନୃତ୍ୟ ପରିବେଷଣ ପରିବେଶକୁ ଆହୁରି ଆକର୍ଷଣୀୟ କରିଥିଲା। ସ୍ଥାନୀୟ ଯୁବକ ସଂଘ ପକ୍ଷରୁ କଣ୍ଢେଇ ବରଯାତ୍ରୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଭୋଜିଭାତ ରେ ଆପ୍ୟାୟିତ କରାଯାଇ ଥିଲା।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବାଲେଶ୍ବର ପୌରଧ୍ୟକ୍ଷା ସବିତା ସାହୁ ଓ ବାଲେଶ୍ବର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ସଭାପତି ସୂର୍ଯ୍ୟକାନ୍ତ କର ଯୋଗଦେଇ ଆମ କଳା, ସଂସ୍କୃତି ଓ ଅସ୍ମିତାକୁ ନେଇ ଆୟୋଜିତ ଏହି ଉତ୍ସବ ଲୋକ କଳାକୁ ଉଜ୍ଜୀବିତ ରଖିବାରେ ସହାୟକ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ୩୧ ନଂ. ୱାର୍ଡ କାଉନସିଲର ରଞ୍ଜିତା ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ, ସୌମ୍ୟରଞ୍ଜନ ଜେନା, ସୌମ୍ୟ ଶଙ୍କର ଦାଶ, ସତ୍ୟରଞ୍ଜନ ଦାସ ମହାପାତ୍ର, ରାଜୀବ କୁମାର ଗିରି, ସପନ କୁମାର ପ୍ରଧାନ, ସତ୍ୟରଞ୍ଜନ ଦାସ, ମନୋରଞ୍ଜନ ରାୟ, ପିୟୁଷ ନନ୍ଦୀଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବରପକ୍ଷରୁ ପୁରୋହିତ ବିମଳ ପଣ୍ଡା ଏବଂ କନ୍ୟା ପକ୍ଷର ପୁରୋହିତ ବିଶ୍ଵମ୍ବର ମିଶ୍ର ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। କନ୍ୟା ପିତାମାତା ନୀଳମଣି ମଣ୍ଡଳ ଏବଂ ଉମାମଣି ମାହାନ୍ନା କନ୍ୟାଦାନ କରିଥିବା ବେଳେ ବର ପିତାମାତା ପିତାମ୍ବର ଦାସ ଏବଂ ସୁକାନ୍ତି ଲତା ଦାସ ବିବାହ ପରେ ବରଯାତ୍ରୀ ଙ୍କ ସହ ବର କନ୍ୟା ଙ୍କୁ ସାଙ୍ଗରେ ଧରି ମିସନ ପଡ଼ିଆକୁ ଫେରିଥିଲେ। ଏହି ଯଉ କଣ୍ଢେଇ ବାହାଘର ପାଇଁ ଅକ୍ଷୟ ତୃତୀୟା ଠାରୁ ଲଗ୍ନ ଧରାଯାଇ ଯଉ ବା ଲାଖ ରେ ତିଆରି ବର କନ୍ୟା ପିତୁଳା ଙ୍କୁ ବର ଏବଂ କନ୍ୟା ବେଶରେ ସଜାଇ ସାବିତ୍ରୀ ପୂର୍ବ ଦିନ ବିବାହ ସମ୍ପନ୍ନ କରାଯାଇଥାଏ।
