କଂଗ୍ରେସ ଏବଂ ବିଜେଡି ମଧ୍ୟରେ ମେଣ୍ଟ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଆସନ୍ତା ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବ ନାହିଁ ସ୍ପଷ୍ଟ କରିଛି କଂଗ୍ରେସ । ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏକା ଲଢିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ। ପଞ୍ଚାୟତ ଓ ମ୍ୟୁନିସିପାଲଟି ନିର୍ବାଚନରେ ନିଜ ଦମ୍ରେ ଲଢ଼ିବ କଂଗ୍ରେସ । ବିଜେଡି ସହ ଏକ ହୋଇ ପଞ୍ଚାୟତ ନିର୍ବାଚନ ଲଢ଼ିବନି କଂଗ୍ରେସ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି।
ସେ କହିଛନ୍ତି ଯେ, ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ବିଜେଡି ସହିତ ମେଣ୍ଟ କରିବାକୁ ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା । କିନ୍ତୁ ଦଳ ଭିତରେ ମେଣ୍ଟ ପ୍ରସଙ୍ଗ ନେଇ ଅନେକଙ୍କ ମନରେ ଅସନ୍ତୋଷ ରହିଛି । ବିଜେଡି ସହିତ ମେଣ୍ଟ କରିବାର ଚିନ୍ତାଧାରା ନେଇ ଅନେକ ନେତା ଏବଂ କର୍ମୀ ସେମାନଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖି ଆଗାମୀ ପଞ୍ଚାୟତ ନିର୍ବାଚନ, ମ୍ୟୁନିସିପାଲିଟି ନିର୍ବାଚନରେ ଏକା ଲଢିବ କଂଗ୍ରେସ । ନିଜ ଦମରେ ଲଢିବ । ବିଜେଡି ସହ ଏକା ହୋଇ ଲଢିବନି କଂଗ୍ରେସ ।
ସେହିପରି ବିଧାନସଭା ନିର୍ବାଚନ ସମୟରେ ଯଦି ଆବଶ୍ୟକ ପଡେ । ତେବେ ଦଳର ହାଇକମାଣ୍ଡ (ଏଆଇସିସି) ସହିତ ବିସ୍ତୃତ ଆଲୋଚନା ପରେ ହିଁ ମେଣ୍ଟ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯିବ। ଯଦି କୌଣସି ମେଣ୍ଟ ହୁଏ, ତେବେ ତାହା ଉଭୟ ଦଳର ସମ୍ମତି ଏବଂ କେନ୍ଦ୍ରୀୟ ନେତୃତ୍ୱର ଅନୁମୋଦନ ପରେ ହିଁ ଗଠନ କରାଯିବ। ଭକ୍ତ ଚରଣ ଦାସ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ-ବିଜେଡି ମେଣ୍ଟର ସମ୍ଭାବନା ଉପରେ ସଙ୍କେତ ଦେବା ପରେ ଏହି ପରିବର୍ତ୍ତନ ଆସିଛି, ଯାହା ହାଇକମାଣ୍ଡଙ୍କ ଅନୁମୋଦନ ସହିତ ସମ୍ଭବ।
