ବରପଲ୍ଲୀ (ଭିଓଭି): ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ସିପିଆଇ (ଏମ୍) ରଣପୁର ଆଞ୍ଚଳିକ କମିଟି ତରଫରୁ ଆଜି ଅପରାହ୍ନରେ ରାଇପଡ଼ାର ବରପଲ୍ଲୀଠାରେ ରାଜ୍ଯର ବିଶିଷ୍ଟ କମ୍ୟୁନିଷ୍ଟ ନେତା ସାଥୀ ଜଗନ୍ନାଥ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳୀ ସଭା ସାଥୀ ରଜତ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଫେବ୍ରୁୟାରୀ ୧ ତାରିଖ ମହାନ ବିପ୍ଳବୀ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ଭଗବତୀ ଚରଣ ପାଣିଗ୍ରାହୀଙ୍କ ୧୧୮ତମ ଜୟନ୍ତି ପରିପ୍ରେକ୍ଷୀରେ ମହାନ୍ ବିପ୍ଳବୀଙ୍କ ଫଟୋଚିତ୍ରରେ ଏବଂ ସାଥୀ ଜଗନ୍ନାଥ ମିଶ୍ରଙ୍କ ଫଟୋ ଚିତ୍ରରେ ଉପସ୍ଥିତ ନେତୃତ୍ୱ ଓ ସମସ୍ତ ସାଥୀମାନେ ପୁଷ୍ପାର୍ପଣ କରିଥିଲେ। ବକ୍ତାମାନେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରିବା ସହ ସାଥୀ ଜଗନ୍ନାଥ ମିଶ୍ରଙ୍କ ବିଭିନ୍ନ ଜୀବନ ଶୈଳୀ ଓ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇଥିଲେ। ସାଥୀ ଜଗନ୍ନାଥ ମିଶ୍ର ଚାଷୀ ଆନ୍ଦୋଳନର ଥିଲେ ରାଜ୍ୟର କର୍ଣ୍ଣଧାର, ଜଣେ ସୁବକ୍ତା, ଜଣେ ନୀତିନିଷ୍ଠ କମ୍ୟୁନିଷ୍ଟ ଆଦର୍ଶର ବନ୍ଧୁ। ନିଜେ ଅବିବାହିତ ରହି ସର୍ବହରା ଶ୍ରେଣୀ ପାଇଁ କାର୍ଯ୍ୟ କରିଥିଲେ । ଅଦ୍ୟାବଧି ଚାଷୀ ଓ ଚାଷ ସଙ୍କଟାପନ୍ନ, ଶ୍ରମିକ, କୃଷକ, ଯୁବକ, ଛାତ୍ର, ମହିଳା ଓ ଖଟିଖିଆମାନେ ଆଜି ଘୋର ସଙ୍କଟ ଜର୍ଜରିତ ହୋଇ ନିଜ ନିଜ ଅଧିକାର ହରାଉ ଥିଲା ବେଳେ ଏହି ଜନଗଣଙ୍କ ପାଇଁ କାର୍ଯ୍ୟ କଲେ ହିଁ ଏହି ମହାନ୍ ବିପ୍ଳବୀ ଦ୍ୱୟଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ଆହ୍ବାନ ଦେଇଥିଲେ। ଏହି ଶ୍ରଦ୍ଧାଞ୍ଜଳି ବା ସ୍ମୃତିଚାରଣ ସଭାରେ ପାର୍ଟିର ଜିଲ୍ଲା ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର, ଆଞ୍ଚଳିକ କମିଟିର ସମ୍ପାଦକ ନିତ୍ୟାନନ୍ଦ ପରିଡ଼ା, ଦୁଃଶାସନ ଜେନା, ଶ୍ରମିକ ନେତା ସୁରେଶ ସ୍ଵାଇଁ, ନିରଞ୍ଜନ ରାଉତ, ଆଇନଜୀବୀ କବିରାଜ ପ୍ରଧାନ, ସୁଶୀଲ ମହାନ୍ତି, ଗଦାଧର ପ୍ରଧାନ, କୁଳମଣି ପଲେଇ ଓ ମହିଳା ନେତ୍ରୀ ସଞ୍ଜୁକ୍ତା ସେଠୀ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।
