ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଶୁଳ୍କ ଲାଗୁ କରିବା ନେଇ ଖୋଲା ଧମକ ଦେଇଛନ୍ତି । ଯାହା ତାଙ୍କର ଏକ ସୋସିଆଲ ମିଡିଆ ଆକାଉଣ୍ଟ ପେଜରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, ବ୍ରିକ୍ସରେ ସାମିଲ ହେଉଥିବା ଦେଶଗୁଡିକ ଉପରେ ୧୦% ଅତିରିକ୍ତ ଶୁଳ୍କ ଲାଗୁ କରାଯିବ ।
ନିକଟରେ ପ୍ରଧାନମନ୍ତ୍ରୀ ମୋଦି ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ବ୍ରାଜିଲରେ ପହଞ୍ଚିଥିଲେ । ଆମେରିକାର ଏପରି ଘୋଷଣା ଭାରତ ପାଇଁ ଚିନ୍ତାର ବିଷୟ ହୋଇପାରେ । ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ ଚୁକ୍ତିନାମା ମଧ୍ୟ ହୋଇଥିଲା । ଏହାରି ମଧ୍ୟରେ ମୋଦି ବ୍ରିକ୍ସରେ ପହଞ୍ଚିବା ପରେ ଏପରି ଘୋଷଣା ଟ୍ରମ୍ପ କରିଛନ୍ତି । ସେ କହିଛନ୍ତି ଯେ, ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ଜୁଲାଇ ୯ ତାରିଖ ପୂର୍ବରୁ ବାଣିଜ୍ୟ ଚୁକ୍ତି ପାଇଁ ଘୋଷଣା କରାଯିବ । ଏହି ମାମଲାରେ କୌଣସି ଛାଡ କରାଯିବ ନାହିଁ । ଏହା ଉପରେ ଧ୍ୟାନ ଦେବା ପାଇଁ ଶେଷରେ ସେ ଲେଖିଛନ୍ତି।

ଅନ୍ୟପଟେ ଏପ୍ରିଲ ୨ ତାରିଖରେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ୨୬% ଶୁଳ୍କ ଲାଗୁ କରିଥିଲା । କିନ୍ତୁ ଏହାକୁ ୯୦ ଦିନ ପାଇଁ ସ୍ଥଗିତ ରଖିଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଆମେରିକା ଦ୍ବାରା ଲାଗୁ ହୋଇଥିବା ୧୦% ବଳବତ୍ତର ରହିଛି । ଆମେରିକାର ୨୬% ଶୁଳ୍କରୁ ଛାଡ ପାଇବାକୁ ଭାରତ ଚାହୁଁଛି । ଯଦି ଦିଆଯାଇଥିବା ପ୍ରସ୍ତାବ ଆଲୋଚନା ବିଫଳ ହୁଏ ତେବେ ପୁଣି ୨୬% ଶୁଳ୍କ ଲାଗୁ କରାଯିବ । ଭାରତ ଆମେରିକା ସହିତ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ ଆଲୋଚନା କରି ୱାଶିଂଟନରୁ ଫେରିଥିଲା । ଏହାରି ମଧ୍ୟରେ ଟ୍ରମ୍ପଙ୍କ ଘୋଷଣା ହଇଚଇ ସୃଷ୍ଟି କରିଛି । ଜୁଲାଇ ୯ ସୁଦ୍ଧା ସମସ୍ତ ସମସ୍ୟାର ସମାଧାନ ହେବା ଆବଶ୍ୟକ ବୋଲି ସେ ଖୋଲା ଧମକ ଦେଇ କହିଛନ୍ତି ।
