ରଣପୁର (ଭିଓଭି): ରଣପୁର ବ୍ଲକ ଅନ୍ତର୍ଗତ ବୃନ୍ଦାବନପୁର ପଞ୍ଚାୟତରେ ହେଉଥିବା “ପଞ୍ଚାୟତ ବ୍ୟାଙ୍କ ଗୃହ” ସ୍ଥାନାନ୍ତରକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ ହୋଇପଡ଼ିଥିବା ଜଣାଯାଇଛି l ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି l ଅଭିଯୋଗ ମୁତାବକ ଲୋକମାନଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କ ତରଫରୁ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବା ଉଦେଶ୍ୟରେ “ପଞ୍ଚାୟତ ବ୍ୟାଙ୍କ ଗୃହ” ନିର୍ମାଣ ହେଉଛି l ଏ ନେଇ ବୃନ୍ଦାବନପୁର ପଞ୍ଚାୟତରେ ଏଭଳି ଏକ ଗୃହ ନିର୍ମାଣ ନିମନ୍ତେ ସରକାରୀ ଅର୍ଥ ମଞ୍ଜୁର ହୋଇଛି l କିନ୍ତୁ ହିତାଧିକାରୀଙ୍କ ବାରମ୍ବାର ପ୍ରତିବାଦ ସତ୍ୱେ କିଛି ନ୍ୟସ୍ଥସ୍ୱାର୍ଥ ଗୋଷ୍ଠୀଙ୍କ ପ୍ରରୋଚନାରେ ପଡି ପଞ୍ଚାୟତ ଠାରୁ ଅନତି ଦୂରରେ ଅର୍ଥାତ ଲେଖନପୁର ଠାରେ ଉକ୍ତ ଗୃହ ନିର୍ମାଣ ହେଉଛି l ଏପରିକି ଯେଉଁ ସ୍ଥାନରେ ଉକ୍ତ ଗୃହ ନିର୍ମାଣ ହେଉଛି ସେହି ସ୍ଥାନର ଅତି ନିକଟରେ ଏକ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରହିଛି l ଅପରପକ୍ଷେ ପଞ୍ଚାୟତ ନିକଟବର୍ତ୍ତୀ ସାତଟି ମୌଜା ଯଥା ବୃନ୍ଦାବନପୁର ସମେତ ବ୍ରଜସୁନ୍ଦରପୁର, ମଳିପଡ଼ା,ଗାଈଝର,ଅଁଳାପଲ୍ଲୀ, ଚାରପଲ୍ଲୀ, ପାଇକରାପୁର ଆଦି ଗାଁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଭିଯୋଗ ହୋଇ ଆସୁଛି l ଏ ନେଇ ଗ୍ରାମବାସୀ ପ୍ରଥମେ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ପୁଣି ଦ୍ୱିତୀୟ ଥର ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ରେ ଅଭିଯୋଗ କରିଥିଲେ l ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଲେଖନପୁର ଠାରେ ବ୍ୟାଙ୍କ କାର୍ଯ୍ୟାଳୟ ଗୃହ ନିର୍ମାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଛି l ଫଳରେ ରେ ଅଞ୍ଚଳରେ ଅସନ୍ତୋଷ ବଢିବା ସାଙ୍ଗକୁ ଭାଇଚାରା ନଷ୍ଟ ହେବାରେ ଲାଗିଛି l ତୁରନ୍ତ ଏହାର ପ୍ରତିକାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l ଅନ୍ୟପଟେ ଏ ନେଇ ଓଡିଶାର ଏକ ଅଗ୍ରଗଣ୍ୟ ସାମାଜିକ ସଂଗଠନ ତଥା ଗଣମାଧ୍ୟମ “ଭଏସ ଅଫ ଭିକ୍ଟିମସ୍” ତରଫରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ “ଏକ୍ସ” ଯୋଗେ ଅବଗତ କରାଯାଇଥିଲା l ଏହାର ପଦକ୍ଷେପ ପାଇଁ ଚଳିତ ମାସ ୧୦ ତାରିଖରେ ସଚିବଙ୍କ ନିକଟରୁ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରାଯାଇଥିଲେ ହେଁ ତହସିଲଦାର କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହେଉଛି l କିନ୍ତୁ ଏହାର ପ୍ରାଥମିକ ଅନୁସନ୍ଧାନ ପରେ ବ୍ୟବସ୍ଥା କରାଯିବ ବୋଲି ତହସିଲଦାର ରବୀନ ଚର୍ଚ୍ଚିଲ ମିଶ୍ର କହିଛନ୍ତି l ବେଳ ଥାଉ ଥାଉ ଏହାର ପ୍ରତିକାର କରାନଗଲେ ଆଗାମୀ ଦିନରେ ଏହା ଏକ ବିସ୍ଫୋରକ ପରିସ୍ଥିତି ଉପୁଜିବ ବୋଲି ଚର୍ଚ୍ଚା ଯୋର ଧରିଛି l
