ଇମ୍ରାନ ଖାନଙ୍କ ପାଇଁ ଏକାଠି ହେଲେ ୨୧ ପୂର୍ବତନ କ୍ୟାପ୍ଟେନ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ୧୯୯୨ ବିଶ୍ୱକପ୍ ବିଜେତା କ୍ୟାପ୍ଟେନ୍ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସାକୁ ନେଇ ପୁଣି ଥରେ ଏକାଠି ହୋଇଛନ୍ତି ବିଶ୍ବ କ୍ରିକେଟର ୨୧ ଜଣ ପୂର୍ବତନ ଅଧିନାୟକ। ଭାରତର ସୁନିଲ ଗାଭାସ୍କର, କପିଲ ଦେବ ଓ ଦିଲୀପ ଭେଙ୍ଗସରକରଙ୍କ ସମେତ ୯ଟି ଦେଶର ପୂର୍ବତନ କ୍ୟାପ୍ଟେନମାନେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଚିଠି ଲେଖି ଇମ୍ରାନଙ୍କୁ ଉପଯୁକ୍ତ ଚିକିତ୍ସା ଓ ମାନବିକ ବ୍ୟବହାର ନିଶ୍ଚିତ କରିବାକୁ ଅପିଲ୍ କରିଛନ୍ତି।
ଏହି ୨୧ ଜଣଙ୍କ ମଧ୍ୟରେ ଆଲାନ ବର୍ଡର, ଗ୍ରେଗ୍ ଚାପେଲ, ଇଆନ୍ ଚାପେଲ, ଷ୍ଟିଭ୍ ୱ, ଆଡାମ ଗିଲକ୍ରିଷ୍ଟ, ମାଇକେଲ ଆଥରଟନ, ଆଲାଷ୍ଟେୟାର କୁକ୍, ନାସେର ହୁସେନ, କ୍ଲାଇଭ୍ ଲୟଡ୍, ଅର୍ଜୁନ ରଣତୁଙ୍ଗା ଓ ଜନ୍ ରାଇଟଙ୍କ ଭଳି ନାମୀ କ୍ରିକେଟର ରହିଛନ୍ତି। ଗତ ଫେବ୍ରୁଆରୀରେ ୧୪ ଜଣ ପୂର୍ବତନ କ୍ୟାପ୍ଟେନ୍ ଇମ୍ରାନଙ୍କ ଚିକିତ୍ସା ନେଇ ଏଭଳି ଅପିଲ୍ କରିଥିଲେ। ଏଥର ଆଉ ୭ ଜଣ ଏଥିରେ ସାମିଲ ହୋଇ ସଂଖ୍ୟା ୨୧ରେ ପହଞ୍ଚିଛି। ପାକିସ୍ତାନ ସୁପ୍ରିମକୋର୍ଟ ଅଗଷ୍ଟ ୧୮ରେ ଇମ୍ରାନ ଖାନଙ୍କୁ ଇସଲାମାବାଦର ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ନେଇ ଏକ ବିଶେଷଜ୍ଞ ମେଡିକାଲ ବୋର୍ଡ ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ବୋର୍ଡରେ ଇମ୍ରାନଙ୍କ ବ୍ୟକ୍ତିଗତ ଡାକ୍ତରଙ୍କୁ ସାମିଲ କରିବା ସହ ପରିବାର ସଦସ୍ୟଙ୍କ ସହ ସପ୍ତାହକୁ ଥରେ ସାକ୍ଷାତର ସୁଯୋଗ ଦେବାକୁ ମଧ୍ୟ କୋର୍ଟ କହିଥିଲେ। ତେବେ ପୂର୍ବତନ କ୍ୟାପ୍ଟେନମାନଙ୍କ ଚିଠିରେ କୁହାଯାଇଛି ଯେ, ଇମ୍ରାନଙ୍କ ହସ୍ପିଟାଲ ରହଣି ଅତ୍ୟନ୍ତ ସ୍ୱଳ୍ପ ସମୟର ଥିଲା ଏବଂ ସୁପ୍ରିମକୋର୍ଟ ନିର୍ଦ୍ଦେଶିତ ବୋର୍ଡ ପୂର୍ଣ୍ଣ ଭାବେ ତାଙ୍କ ସ୍ୱାସ୍ଥ୍ୟ ଆକଳନ କରିବା ପୂର୍ବରୁ ତାଙ୍କୁ ପୁଣି ଆଦିଆଲା ଜେଲକୁ ଫେରାଇ ଦିଆଯାଇଥିଲା ବୋଲି ପରିବାର ଓ ଆଇନଜୀବୀଙ୍କ ଦାବି ରହିଛି। ପୂର୍ବତନ କ୍ୟାପ୍ଟେନମାନେ ମୁଖ୍ୟତଃ ତିନୋଟି କଥା ଉପରେ ଜୋର ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଇମ୍ରାନଙ୍କ ବ୍ୟକ୍ତିଗତ ଡାକ୍ତରଙ୍କୁ ସାମିଲ କରି ମେଡିକାଲ ବୋର୍ଡକୁ ସ୍ୱାଧୀନ ଓ ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଦିଆଯାଉ; ସାପ୍ତାହିକ ପାରିବାରିକ ସାକ୍ଷାତରେ କୌଣସି ବାଧା ନ ଦିଆଯାଉ; ଏବଂ ମେଡିକାଲ ବୋର୍ଡ ଯେଉଁ ଚିକିତ୍ସା ସୁପାରିସ କରିବ, ତାହା ବିଳମ୍ବ ନକରି ଯୋଗାଇ ଦିଆଯାଉ। ବିଶେଷକରି ଇମ୍ରାନଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ସମସ୍ୟା ଉପରେ ସେମାନେ ଚିନ୍ତା ପ୍ରକାଶ କରିଛନ୍ତି। ଚିଠିରେ ପୂର୍ବତନ କ୍ୟାପ୍ଟେନମାନେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ପାକିସ୍ତାନର ଆଭ୍ୟନ୍ତରୀଣ ରାଜନୀତି କିମ୍ବା ଆଇନଗତ ପ୍ରକ୍ରିୟାରେ ମତ ଦେବାକୁ ଚାହୁଁନାହାନ୍ତି। ସେମାନଙ୍କ ଅପିଲ୍ କେବଳ ଜଣେ ପୂର୍ବତନ ସାଥୀ ଓ ପ୍ରତିଦ୍ୱନ୍ଦ୍ୱୀ କ୍ରିକେଟରଙ୍କ ପ୍ରତି ମାନବିକତା ଏବଂ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ। ୭୩ ବର୍ଷୀୟ ଇମ୍ରାନ ୨୦୨୩ରୁ ଜେଲରେ ଅଛନ୍ତି।
