ରଣପୁର (ଭିଓଭି): ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅଧିନସ୍ଥ ଚାନ୍ଦପୁର ଅଂଚଳରେ ଜଣ୍ଡିସ୍ ବ୍ୟାପିଥିବା ଜଣାଯାଇଛି । କେତେକ ଛାତ୍ରଛାତ୍ରୀ ଙ୍କ ସହ କିଛି ଲୋକ ଜଣ୍ଡିସ୍ ରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ସେଥିମଧ୍ୟରୁ କୁଆଡେ ପୁଷ୍ପା ସାହୁ (୩୦) ନାମକ ଚାନ୍ଦପୁର ର ଜଣେ ମହିଳା ଜଣ୍ଡିସ୍ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା କୁହାଯାଉଛି । ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗୁରୁତ୍ୱର ସହ ନେଇ ଆରମ୍ଭରୁ ସଚେତନ କରାଇଥିଲେ ହୁଏତ ଆଜି ଏଭଳି ପରିଣାମ ଭୋଗିବାକୁ ପଡିନଥାନ୍ତା ବୋଲି ଅଂଚଳବାସୀ ପ୍ରକାଶ କରିଛନ୍ତି । ମୁଖ୍ୟତଃ ଚାନ୍ଦପୁର, ଜେମାଦେଇପୁର ଆଦି ଗ୍ରାମରେ ଜଣ୍ଡିସ ବ୍ୟାପିଥିବା ଜଣାଯାଇଛି । ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ଶିଶୁ, ମହିଳା ଓ ପୁରୁଷ ଆକ୍ରାନ୍ତ ହୋଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ପୁଷ୍ପା ନିଳୀମା ଲାକ୍ରାଙ୍କ ସହ ମାଇକ୍ରୋବାୟୋଲୋଜିଷ୍ଟ, ଲାବୋରେଟୋରୀ ଟେକନିସିଆନ, ଆଶା ଓ ଅଙ୍ଗନବାଡିଙ୍କୁ ନେଇ ଏକ ଟିମ୍ ଚାନ୍ଦପୁର ରେ ପହଂଚି ସ୍ଥିତି ପରଖିବା ସହ ନମୁନା ସଂଗ୍ରହ କରିଥିବା ଜଣାଯାଇଛି । ସମଗ୍ର ଚାନ୍ଦପୁର ଅଂଚଳରେ ଏହାକୁ ନେଇ ଭୟ ର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଆଶା କର୍ମୀ ଙ୍କ ଦ୍ୱାରା ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରତି ସାହି ଓ ଗଳିକନ୍ଦିରେ ବୁଲି ଲୋକ ମାନଙ୍କୁ ସଚେତନ କରାଯାଇଥିବା ଜଣାଯାଇଛି । ସେହି ପରି ଅନେକ ଅଚଂଳରେ ଲୋକମାନେ ଏବେ ମଧ୍ୟ ଦୂଷିତ ଜଳ ପିଉଥିବାରୁ ଜଣ୍ଡିସ ରୋଗ ବ୍ୟାପୁଥିବା ଅଭିଯୋଗ ହେଉଛି ।
