ପୁରୀ (ଭିଓଭି): ଆଜି ସଂନ୍ଧ୍ୟାରେ ପୁରୀ ତାଳବଣିଆ ଠାରେ ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ଆନୁକୂଲ୍ୟରେ ଏକ ଓଡିଶା-ଜାପାନ ଫେଷ୍ଟିଭାଲ୍ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଏବଂ ଜାପାନର କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶହ ଶହ ଛାତ୍ରଛାତ୍ରୀ, ସ୍ଥାନୀୟ ବାସିନ୍ଦା ଏବଂ ଅତିଥି ମାନେ ଖାଦ୍ୟ ଷ୍ଟଲ୍ରେ ଜାପାନରୁ ଆସିଥିବା ଖାଦ୍ୟ ପ୍ରସ୍ତୁତକାରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଜାପାନି ଖାଦ୍ୟର ମଜା ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଜିଲ୍ଲାପାଳ ନିଳମାଧବ ଭୋଇ ଏବଂ ଶରତ ଚନ୍ଦ୍ର ବେହେରା, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଭିମନ୍ୟୁ ବେହେରା, ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ, ପୁରୀ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କୁମ୍ଭାରପଡା ଥାନା ଆଇ.ଆଇ.ସି. ସୁନୀଲ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଭାରତ ଓ ଜାପାନ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ କରି ଦୁଇ ଦେଶ ମଧ୍ୟରେ ଭାଇଚାରା ପ୍ରତିଷ୍ଠା କରିବାରେ ସହାୟକ ହେବା ସହ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଜାପାନରେ ପ୍ରଚାର ପ୍ରସାର କରିବାରେ ସହାୟକ ହେବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ପ୍ରକୃତିବନ୍ଧୁ ବଦ୍ରି ମିଶ୍ର, ରାମ ପ୍ରକାଶ ସେନାପତି ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ, ନୃତ୍ୟ ପାଇଁ ଲୋଜାଲିନ ମହାନ୍ତି, କଣ୍ଟସଂଗୀତ ପାଇଁ ଶାଶ୍ୱତୀ ଦାସ ଓ ଦିବ୍ୟଜ୍ୟୋତି ନନ୍ଦ, ବାଦ୍ୟ ଯନ୍ତ୍ର ପାଇଁ ଲିଙ୍ଗରାଜ ଦାସ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଜାପାନର ବିଶିଷ୍ଟ କଳାକାର ରୀନା ନାକାନୋ, କାନ ମିଜୁଓଛୁ, ଏଇକୋ ଓନୋ, ରାମ ତମାକି, ଆକିଏ, ରୀକା ୟାନୋ, ମାମିକୋ ସିବୁକି ଏବଂ ଓଡ଼ିଆ କଳାକାର ଗୁରୁ ରୋଜାଲିନ ମହାନ୍ତି, ବିଶ୍ୱବନ୍ଧୁ ଦାସ, ସୁଶ୍ରୀ ଦିବ୍ୟ ଜ୍ୟୋତି ନନ୍ଦ, ଶିବ ସୁନ୍ଦର ମିଶ୍ର, ଶାଶ୍ୱତୀ ଦାସ ପ୍ରମୁଖ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ ଏବଂ ଅଧ୍ୟାପକ ବିଶ୍ୱନାଥ ମିଶ୍ର ସଂଯୋଜନା କରିଥିଲେ।

