ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆସନ୍ତାକାଲି ପାକିସ୍ତାନକୁ ତାର ଅସଲ ରୂପ ଦେଖାଇବାକୁ ଯାଉଛି। ଆସନ୍ତାକାଲି ବାୟୁସେନା ତାର ସମରାଭ୍ୟାସ କରିବାକୁ ଯାଉଛି, ତାହା ପୁଣି ପାକିସ୍ତାନ ସୀମାରେ । ଏହି ସମରଭ୍ୟାସ ମେ ୭ ଓ ୮ ତାରିଖରେ ଅନୁଷ୍ଠିତ ହେବ ବୋଲି ବାୟୁସେନା ପକ୍ଷରୁ ନୋଟାମ (ନୋଟିସ ଟୁ ଏୟାରମେନ) ଜାରି କରାଯାଇଛି। ଏହି ଅଞ୍ଚଳ ଉପରେ ସମସ୍ତ ବେସାମରିକ ଉଡ଼ାଣ ଉପରେ କଟକଣା ଜାରି କରାଯାଇଛି। ଏହି ଯୁଦ୍ଧାଭ୍ୟାସରେ ରାଫେଲ, ମିରାଜ ୨୦୦୦ ଏବଂ ସୁଖୋଇ-୩୦ ଭଳି ଅତ୍ୟାଧୁନିକ ଯୁଦ୍ଧବିମାନ ଅଂଶଗ୍ରହଣ କରିବେ ବୋଲି ବାୟୁସେନା ଅଧିକାରୀମାନେ ସୂଚନା ଦେଇଛନ୍ତି।
ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଇଥିବା ଉତ୍ତେଜନା ମଧ୍ୟରେ ଆୟୋଜିତ ହେଉଛି। ଉକ୍ତ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ସମେତ ଜଣେ ସ୍ଥାନୀୟ ବ୍ୟକ୍ତି ପ୍ରାଣ ହରାଇଥିଲେ। ଏହାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ କଡ଼ା ଜବାବୀ କାର୍ଯ୍ୟାନୁଷ୍ଠାନର ସମ୍ଭାବନା ଉପରେ ଚର୍ଚ୍ଚା ଚାଲିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଏକ ବୈଠକରେ ମିଳିତ ହୋଇଥିଲେ, ଯେଉଁଥିରେ ଏହି ଆତଙ୍କବାଦୀ ଆକ୍ରମଣର ପ୍ରତିକ୍ରିୟା ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହା ସହିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମେ ୭ ତାରିଖରେ ସମଗ୍ର ଦେଶରେ ୨୪୪ଟି ସିଭିଲ ଡିଫେନ୍ସ ଜିଲ୍ଲାରେ ସୁରକ୍ଷା ଆୟୋଜନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ମହଡ଼ରେ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ଶତ୍ରୁତାପୂର୍ଣ୍ଣ ଆକ୍ରମଣ ସମୟରେ ସୁରକ୍ଷା ପାଇଁ ତାଲିମ ଦିଆଯିବ।
ଏକାଧିକ ଅନ୍ତର୍ଜାତୀୟ ସଂସ୍ଥା ଓ ନେତା ଉଭୟ ଦେଶକୁ ସଂଯମ ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ମଧ୍ୟ ଏକ ବିବୃତିରେ କହିଛନ୍ତି ଯେ, ଏକ ସଂଘର୍ଷ ଏଡ଼ାଇବା ନିହାତି ଆବଶ୍ୟକ ଯାହା ଦୁର୍ଭାଗ୍ୟଜନକ ପରିଣାମ ଆଣିପାରେ।
