ପୁରୀ (ଭିଓଭି): ଆସନ୍ତା ସୋମବାର ସାବିତ୍ରୀ ବ୍ରତ ଲାଗି କିଣା କିଣି ପାଇଁ ଆଜି ଶନିବାର ସନ୍ଧ୍ୟାରେ ପୁରୀ ସହରର ବିଭିନ୍ନ ବ୍ୟବସାୟିକ ଅଞ୍ଚଳରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ବିଶେଷ କରି ବଡଶଙ୍ଖ ଫଳ ଏବଂ ପରିବା ମାର୍କେଟ ଅଞ୍ଚଳରେ ଏପରି ଗହଳି ହୋଇଥିଲା ଯେ, ସାଧାରଣ ଲୋକଙ୍କ ପକ୍ଷେ ଚାଲିକରି ରାସ୍ତାରେ ଯିବା କଷ୍ଟକର ଥିଲା। ଫଳ ଦୋକାନ ସମ୍ମୁଖ ରାସ୍ତା ଉପରେ ଲୋକମାନେ ଗାଡି ମୋଟର ରଖି କିଣା କିଣି କରୁଥିବାରୁ ବଡଦାଣ୍ଡ ମୁଖ୍ୟ ରାସ୍ତା ସଙ୍କୁଚିତ ହୋଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ଏମିତି ଥିଲା ଯେ, ଯିଏ ଯେଉଁଠି ସିଏ ସେଇଠି ସ୍ଥିତିରେ ରହି ଯାଇଥିଲେ।
ବଡଶଙ୍ଖ ଠାରୁ ପୁରୀ ରେଳ ଷ୍ଟେସନ କୁ ସଂଯୋଗ କରୁଥିବା ରାସ୍ତା ଟି ମଧ୍ୟ ଜାମ୍ ହୋଇ ଯାଇଥିଲା। ଘଣ୍ଟା ଘଣ୍ଟା ଧରି ଏଭଳି ସ୍ଥିତି ଲାଗି ରହିଥିଲେ ମଧ୍ଯ ଟ୍ରାଫିକ ପରିଚାଳନା ପାଇଁ ସେଠାରେ କୌଣସି ଟ୍ରାଫିକ ପୁଲିସ କିମ୍ବା କୌଣସି ପୁଲିସ କର୍ମଚାରୀଙ୍କର ଦେଖା ଦର୍ଶନ ନଥିଲା। ରାତି ପ୍ରାୟ ସାଢେ ଆଠଟା ବେଳକୁ ପିସିଆର ରେ ଜଣେ ପୁଲିସ କର୍ମଚାରୀ ଆସି କିଛି ପରିମାଣରେ ଭିଡ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଆଉ ଜଣେ କର୍ମଚାରୀ ପିସିଆର ଭିତରେ ରେ ବସି ମୋବାଇଲ ଫୋନ୍ ଦେଖିବାରେ ବ୍ୟସ୍ତ ଥିଲେ।
ସାବିତ୍ରୀ ଯୋଗୁଁ କେବଳ ବଡ଼ଶଙ୍ଖ ନୁହେଁ ସାଧାରଣ ଦିନ ମାନଙ୍କରେ ମଧ୍ଯ ମାଟିଆପଡ଼ା ଛକ, ମାର୍କେଟ ଛକ, ରେଳ ଷ୍ଟେସନ ସାମନା, ଦିଗ ବାରେଣୀ ଛକ, ପୁରୀ ହୋଟେଲ୍ ସାମନା, ସ୍ଵର୍ଗଦ୍ଵାର ଆଦି ଅ଼ଞ୍ଚଳରେ ସମାନ ଅବସ୍ଥା ଦେଖିବାକୁ ମିଳେ। ଏଭଳି ଭିଡ ପ୍ରତି ପୁରୀ ପୋଲିସ ର ଯେମିତି କୌଣସି ନିଘା ନଥିବା ପରି ମନେ ହୁଏ। ବର୍ତ୍ତମାନ ଶୃଙ୍ଖଳା କୁ ନଜର ନ ଦେଇ ରଥଯାତ୍ରା ରେ କିଭଳି ଭିଡ ନିୟନ୍ତ୍ରଣ କରାଯିବ ସେଥିପାଇଁ ତାଲିମ୍ ରେ ପ୍ରଶାସନ ବ୍ୟସ୍ତ ଥିବାରୁ ତାହା ବୁଦ୍ଧିଜିବୀ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି ଏବଂ ଟ୍ରାଫିକ ପରିଚାଳନା ରେ ପୁରୀ ପୋଲିସ ର ବିଫଳତା କୁ ପଦାରେ ପକାଇ ଦେଇଛି।
