କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ଖରାପ ପାଗ ଯୋଗୁଁ ଜରୁରୀ ଅବତରଣ କରିଛି । ଡୁମଡୁମରୁ କେଶପୁର ଅଭିମୁଖେ ଯାଉଥିବା ବେଳେ ପୂର୍ବ ମେଦିନୀପୁରର କୋଲାଘାଟ ଅଞ୍ଚଳରେ ପାଇଲଟ୍ ସୁରକ୍ଷା ଦୃଷ୍ଟିରୁ ହେଲିକପ୍ଟରଟିକୁ ଅବତରଣ କରାଇଥିଲେ ।
ଖବର ମୁତାବକ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟର ଯୋଗେ କୋଲକତା ଏୟାରପୋର୍ଟରୁ ଉଡ଼ାଣ ଭରିବା ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ହେଲେ ଏହାକୁ କିଛି ସମୟ ପୂର୍ବରୁ ଟିକ୍ କରାଯିବା ପରେ ହେଲିକପ୍ଟର ସକାଳ ୧୧ଟା ୨୧ ମିନିଟରେ ଉଡ଼ାଣ ଭରିଥିଲା । ତେବେ ଏହାକୁ ନେଇ ଏୟାରପୋର୍ଟ ଅଥରିଟି ପାଖରୁ କୌଣସି ଅଫିସିଆଲ ବୟାନ ଜାରି ହୋଇନାହିଁ ।

ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗ ଯୋଗୁଁ ଆଗକୁ ଉଡ଼ାଣ ଜାରି ରଖିବା ବିପଦପୂର୍ଣ୍ଣ ହୋଇପାରେ ବୋଲି ପାଇଲଟ୍ ନିଷ୍ପତ୍ତି ନେଇଥିଲେ । କୋଲାଘାଟର ଏକ ଖୋଲା ସ୍ଥାନରେ ହେଲିକପ୍ଟରଟି ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଥିଲା । ଘଟଣାରେ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ସହଯାତ୍ରୀମାନେ ସୁରକ୍ଷିତ ଥିବା ରିପୋର୍ଟରେ କୁହାଯାଇଛି।

ଶୁଭେନ୍ଦୁ ଅଧିକାରୀ କେଶପୁରରେ ସ୍ୱାଧୀନତା ସଂଗ୍ରାମୀ ଖୁଦିରାମ ବୋଷଙ୍କୁ ସମ୍ମାନ ଜଣାଇବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଆସିବା ପରେ ମୁଖ୍ୟମନ୍ତ୍ରୀ ସଡ଼କ ମାର୍ଗରେ କେଶପୁର ଯିବାକୁ ବ୍ୟବସ୍ଥା କରାଯାଇଛି ।
