ରଣପୁର, ୦୩/୦୫ : ବର୍ତ୍ତମାନ ରଣପୁର ଅଞ୍ଚଳରେ ପ୍ରାୟ ୧୮ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁଅଛି । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏହି ପ୍ରକଳ୍ପ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ଉକ୍ତ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ସମସ୍ତ ଜାଗା ବୁଲି ପର୍ଯ୍ୟବେକ୍ଷଣ କରିଥିଲେ | ଏହି ସମୟରେ ବାଚସ୍ପତିଙ୍କ ସହିତ କ୍ଷୁଦ୍ର ଜଳସେଚନ ର ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ | ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କିଭଳି ତ୍ୱରାନ୍ୱିତ ହେବ ଏବଂ ବର୍ଷା ଦିନ ପୂର୍ବରୁ କିଭଳି ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରାଯିବ ସେଥିପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଖଣ୍ଡିସି ବାଉଁଶିଆ ନାଳ ଚେକ୍ ଡ୍ୟାମ୍ , ୱାଇଁଲୋ ଘିଡିଘିଡ଼ିଆ ନାଳ ଚେକ୍ ଡ୍ୟାମ୍ , ତେନ୍ତୁଳି ପୁଟ ଚେକ୍ ଡ୍ୟାମ୍, ଭଗବତୀ ବନ୍ଧ ଚେକ୍ ଡ୍ୟାମ୍ ଏବଂ ଅନ୍ୟ ଚେକ୍ ଡ୍ୟାମ୍ ଗୁଡ଼ିକ କାର୍ଯ୍ୟ ସ୍ଥିତି ପରଖିଥିଲେ ।ଏହି ଚେକ୍ ଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଚାଷୀମାନେ ଉପକୃତ ହେବେ । ବାଚସ୍ପତି ଏହି ପ୍ରକଳ୍ପ ଗୁଡ଼ିକ ପରିଦର୍ଶନ କରିବା ସମୟରେ ତାଙ୍କ ସହିତ ପ୍ରଫୁଲ୍ଲ ମହାପାତ୍ର,ପରେଶ ମିଶ୍ର, ନିର୍ମଳ ମତ୍ତଗଜସିଂହ, ଭରତ ରଣସିଂହ, ଅଭିଷେକ ସାମନ୍ତରାୟ, ଗଣେଶ୍ୱର ମାନ୍ଧାତା, ଭାସ୍କର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
