ମଧ୍ୟପ୍ରଦେଶ: ରାଜା ରଘୁବଂଶୀ ହତ୍ୟା ମାମଲାରେ ପତ୍ନୀ ସୋନମଙ୍କ ଗିରଫଦାରୀ ପରେ ଅନେକ ଖୁଲାସା ସାମ୍ନାକୁ ଆସିଛି । ବିବାହ ପୂର୍ବରୁ ମଧ୍ୟ ସୋନମ ବିଧବା ହେବାକୁ ଯୋଜନା କରିଥିଲା । ପ୍ରେମିକ ସହିତ ମିଶି ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ବାହାଘରର ମାତ୍ର ୫ ଦିନରେ ଷଡଯନ୍ତ୍ର ରଚିଥିଲା ସୋନମ । ଏକଥା ସୋନମ ଏବଂ ରାଜାଙ୍କ ଚାଟରୁ ଜଣାପଡିଛି ।
ଖବର ମୁତାବକ, ରାଜା ଏବଂ ସୋନମଙ୍କ ବିବାହ ୧୧ ମେ’ରେ ହୋଇଥିଲା । ସବୁକିଛି ସ୍ବାଭାବିକ ଲାଗୁଥିବା ବେଳେ ୧୬ ମେ’ରେ ସୋନମ ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କ ସହିତ ମିଶି ରାଜାଙ୍କୁ ତାଙ୍କ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ବିବାହ ପରେ ସୋନମଙ୍କ ନିକଟତର ହେଉଥିଲେ ସ୍ବାମୀ ରାଜା । ଯାହା ସୋନମକୁ ପସନ୍ଦ ନଥିଲା । ତେଣୁ ବିବାହ ପରେ ସୋନମ ରାଜାଙ୍କ ଠାରୁ ଦୂରେଇ ରହୁଥିଲେ ।

ସୋନମଙ୍କ ପ୍ରେମିକ ରାଜ କୁଶୱାହା ସୋନମଙ୍କ ବାପାଙ୍କ ପାଇଁ କାମ କରୁଥିଲେ କିନ୍ତୁ ପ୍ରାୟ ୫ ମାସ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ସୋନମ ତାଙ୍କ ବାପାକୁ ପ୍ରେମିକ ରାଜଙ୍କ ବିଷୟରେ ବିବାହ କରିବାକୁ କହିପାରିବେ ନାହିଁ, ତେଣୁ ଏଭଳି ଉପାୟ ଆପଣାଇଥିଲେ ।
ସୋନମ ବିବାହର ୫ମ ଦିନ ରାଜଙ୍କୁ କହିଥିଲେ ଯେ, ରାଜାଙ୍କୁ ହତ୍ୟା କରିବା । ଯଦି ମୁଁ ଥରେ ବିଧବା ହୋଇଯାଏ, ତେବେ ବାପା ତାଙ୍କ ବିଧବା ଝିଅକୁ ତୁମ ସହିତ ବିବାହ ଦେଇପାରିବେ। ଏହା ଶୁଣି ରାଜ କୁଶୱାହା ମଧ୍ୟ ସୋନମଙ୍କ କଥାରେ ରାଜି ହୋଇଗଲେ ।
ସୂଚନା ଅନୁଯାୟୀ, ସୋନମ ଏବଂ ରାଜା ରଘୁବଂଶୀ ଚେରାପୁଞ୍ଜିର ଏକ ହୋମଷ୍ଟେରେ ରହୁଥିଲେ । ଘଟଣାର ଠିକ୍ ପୂର୍ବରୁ ଅଭିଯୁକ୍ତମାନେ ସୋନମଙ୍କ ହୋମଷ୍ଟେଠାରୁ ୧ କିଲୋମିଟର ଦୂରରେ ଏକ ହୋଟେଲରେ ରହୁଥିଲେ। ସୋନମ ତାଙ୍କ ହୋମଷ୍ଟେର ସ୍ଥାନ ଅଭିଯୁକ୍ତମାନଙ୍କୁ ପଠାଇଥିଲେ । ମେ’ ୨୩ ତାରିଖରେ ସୋନମ ରାଜାଙ୍କୁ ଫଟୋସୁଟ୍ ବାହାନାରେ ଏକ ନିର୍ଜନ ପାହାଡିଆ ଅଞ୍ଚଳକୁ ନେଇଯାଇଥିଲେ । ସେଠାରେ ୩ ଜଣ ଯୁବକ ତାଙ୍କୁ ହତ୍ୟା କରିଥିଲେ ।
୨୩ ମେରେ ରାଜାଙ୍କୁ ହତ୍ୟା ପରେ ସନ୍ଧ୍ୟାରେ ସୋନମ ଶିଲଂରୁ ଗୌହାଟୀ ଯାଇଥିଲେ । ସେଠାରୁ ଟ୍ରେନ୍ ଧରି ବାରାଣସୀ ଦେଇ ଯାଇଥିଲା ଗାଜିପୁର । ରାଜା ରଘୁବଂଶୀ ହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶ ଓ ମେଘାଳୟ ପୋଲିସ କହିଛନ୍ତି, ରାଜା ରଘୁବଂଶୀଙ୍କ ହତ୍ୟା ତାଙ୍କ ସ୍ତ୍ରୀ ସୋନମ ହିଁ କରିଛନ୍ତି ।
