ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ପୁଣି କାୟା ମେଲାଉଛି । ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଆକ୍ଟିଭ କେସ୍ ୬୮୧୫ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଆଜି ସୁଦ୍ଧା ୬୮୧୫ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି । ଗତ ୨୪ ଘଣ୍ଟାରେ ୩୨୪ଟି ନୂଆ ମାମଲା ଚିହ୍ନଟ ହୋଇଛି । ଆଜି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସବୁଠାରୁ ଅଧିକ ସଂକ୍ରମିତ କେରଳରେ ଚିହ୍ନଟ ହୋଇଛନ୍ତି । କେରଳରେ ୨୦୫୩ କୋଭିଡ ପଜିଟିଭ ଆକ୍ରାନ୍ତ ରହିଛନ୍ତି ।
ସେହିପରି ଗୁଜରାଟରେ ୧୧୦୯, ଦିଲ୍ଲୀରେ ୬୯୧, ମହାରାଷ୍ଟ୍ରରେ ୬୧୩, ତାମିଲନାଡ଼ୁରେ ୨୦୭, ପଶ୍ଚିମବଙ୍ଗରେ ୭୪୭, ଛତିଶଗଡ଼ରେ ୪୪ ଏବଂ ଆନ୍ଧ୍ରପ୍ରଦେଶରେ ୮୬, କର୍ଣ୍ଣାଟକରେ ୫୫୯ ଆକ୍ରାନ୍ତ ରହିଛନ୍ତି ।
ଅରୁଣାଚଳ ପ୍ରଦେଶ, ମିଜୋରାମ ଏବଂ ମଣିପୁରରୁ ଏ ପର୍ଯ୍ୟନ୍ତ କୌଣସି ମାମଲା ଚିହ୍ନଟ ହୋଇନାହିଁ ।

କରୋନାକୁ ନେଇ ଲୋକମାନେ ସତର୍କତା ଅବଲମ୍ବନ କରନ୍ତୁ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଛି । ଯଦି କୌଣସି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ନିରୀକ୍ଷା କରିବାକୁ କୁହାଯାଇଛି । JN.1 ପ୍ରକାରର ସବୁଠାରୁ ବଡ଼ ସମସ୍ୟା ହେଉଛି ଏହା ଲୋକଙ୍କ ମଧ୍ୟରେ ବହୁତ ଶୀଘ୍ର ବ୍ୟାପିଥାଏ । ଏଥିରେ ଏକ ଅତିରିକ୍ତ ପରିବର୍ତ୍ତନ ଅଛି ଯାହା ଏହାକୁ କୋଷଗୁଡିକରେ ପ୍ରବେଶ କରିବାରେ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିବାରେ ସାହାଯ୍ୟ କରିଥାଏ । JN.1 ପ୍ରକାର ଏତେ ବିପଜ୍ଜନକ ନୁହେଁ ଏବଂ ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଅନେକ ଡାକ୍ତର କହିଛନ୍ତି ।
