ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ବଡ଼ ଖବର । ଇରାନ ଓ ଇସ୍ରାଏଲ ମଧ୍ୟରେ ସଂପୂର୍ଣ୍ଣ ଯୁଦ୍ଧବିରତି ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏ ନେଇ ଉଭୟ ଦେଶ ମଧ୍ୟରେ ସହମତି ହୋଇଥିବା ଟ୍ରମ୍ପ କହିଛନ୍ତି । ଛଅ ଘଣ୍ଟା ମଧ୍ୟରେ ଅସ୍ତ୍ରବିରତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ଟ୍ରମ୍ପ । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧକୁ ୧୨ ଦିନ ବିତିଗଲାଣି । ୨୪ ଘଣ୍ଟା ପରେ ବିଦ୍ଧିବଦ୍ଧ ଭାବେ ଯୁଦ୍ଧ ସମାପ୍ତ ହେବ । ଇରାନ କାତାରର ଅଲ ଉଦେଇଡ ଏୟାର ବେସ୍ ରେ ମିସାଇଲ ଆକ୍ରମଣ କରିବା ପରେ ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣା କରିଛନ୍ତି । ଯାହା ଆମେରିକା ଇରାନର ପରମାଣୁ କେନ୍ଦ୍ର ଆକ୍ରମଣର ପ୍ରତିକ୍ରିୟା ଥିଲା ।

ଏପଟେ ତେହରାନ୍ ଏହାକୁ ପ୍ରତ୍ୟାଖାନ କରିଛନ୍ତି । ଏନେଇ ଯୁଦ୍ଧ ବିରତିକୁ ନେଇ ଇସ୍ରାଏଲ କିମ୍ବା ଇରାନ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଜୁନ୍ ୨୧ରେ ଆମେରିକା ଇରାନର ତିନୋଟି ପାରମାଣବିକ ଠିକଣା —ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ—ଉପରେ ଆକ୍ରମଣ କରିଥିଲା । ଯାହା ଇରାନର ପାରମାଣବିକ କାର୍ଯ୍ୟକ୍ରମକୁ ଦୁର୍ବଳ କରିଥିଲା । ଏହାପରେ ଇରାନ ଜୁନ୍ ୨୩ରେ କତାରସ୍ଥିତ ଆମେରିକାର ସର୍ବବୃହତ ସାମରିକ ଘାଟି ଆଲ ଉଦେଇଦ୍ ଉପରେ ମିସାଇଲ ଆକ୍ରମଣ କରିଥିଲା । ଯାହାକୁ ଆମେରିକା ଓ କାତାର ମିଳିତ ଭାବେ ପ୍ରତିହତ କରିଥିଲେ । ଟ୍ରମ୍ପ ଏହି ଆକ୍ରମଣକୁ ‘ଅତି ଦୁର୍ବଳ ବୋଲି ଅଭିହିତ କରିଥିଲେ ।
