କଟକ : ୧୯୮୭ ବ୍ୟାଚର ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ ସଞ୍ଜିତା ଦାସଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) କୁ ପଦୋନ୍ନତି ପାଇଁ ପୁନର୍ବିଚାର କରିବାକୁ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଞ୍ଜିତା ଦାସଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଣଦେଖା କରାଯାଇଥିଲା । ସେ ମେ ମାସରେ ଚାକିରିରୁ ଅବସର ନେଇଥିଲେ ମଧ୍ୟ ତାଙ୍କ ପଦୋନ୍ନତି ପୁନଃବିଚାର କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୧ ମସିହାରେ, କଟକ ମ୍ୟୁନିସିପାଲ୍ କର୍ପୋରେସନରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (୧୯୯୫-୨୦୦୦) ଭାବରେ କାର୍ଯ୍ୟକାଳ ମଧ୍ୟରେ ଅନିୟମିତ ନିଯୁକ୍ତି ପାଇଁ ସଞ୍ଜିତା ଦାସଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିଥିଲା । କିନ୍ତୁ ପ୍ରଶାସନିକ ବିଳମ୍ବ ଯୋଗୁଁ କାର୍ଯ୍ୟନୁଷ୍ଠାନ ୨୦୨୦ ମସିହାରେ କାର୍ଯ୍ୟକାରୀ କରାଯାଇଥିଲା, ତେଣୁ ତାଙ୍କ IAS ପଦୋନ୍ନତି ସମ୍ଭାବନାକୁ ପ୍ରଭାବିତ କରିଥିଲା । ବିଳମ୍ବ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରୁଥିବା ତାଙ୍କ ଆବେଦନକୁ ପ୍ରାରମ୍ଭିକ ଭାବରେ ଜଣେ ବିଚାରପତି ୨୫ ଜୁନ୍ ୨୦୨୪ରେ ଖାରଜ କରିଦେଇଥିଲେ।
କିନ୍ତୁ ଜୁନ୍ ୧୯ ୨୦୨୫ ତାରିଖରେ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଏବଂ ବିଚାରପତି ଏମ୍ ଏସ୍ ରମଣଙ୍କ ଏକ ଖଣ୍ଡପୀଠ କହିଥିଲେ ଯେ ଦଣ୍ଡ କାର୍ଯ୍ୟକାରୀ କରିବାରେ ସମ୍ପୂର୍ଣ୍ଣ ପ୍ରଶାସନିକର ବିଳମ୍ବ ଥିଲା । ଏଥିପାଇଁ ସଞ୍ଜିତା ଦାସଙ୍କୁ ଦାୟୀ କରାଯାଇପାରିବ ନାହିଁ ।
ରାୟ ପ୍ରକାଶ ପାଇବାର ତିନି ମାସ ମଧ୍ୟରେ ସଞ୍ଜିତା ଦାସଙ୍କ ଆଇଏଏସ୍ କ୍ୟାଡରକୁ ପଦୋନ୍ନତି ଉପରେ ପୁନର୍ବିଚାର କରିବାକୁ ଡିଭିଜନ ବେଞ୍ଚ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ତାଙ୍କୁ ସମସ୍ତ ଆନୁଷଙ୍ଗିକ ସୁବିଧା ପ୍ରଦାନ କରାଯିବା ଉଚିତ । ଯେଉଁଥିରେ ତାଙ୍କର ସେବା ଏବଂ ପଦବୀ ସହିତ ଜଡିତ ସୁବିଧା ମଧ୍ୟ ଅନ୍ତର୍ଭୁକ୍ତ କରାଯିବ।
