ଭୁବନେଶ୍ୱର : ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ସଂଗୀନ ଦଫା ଲଗାଇଛି କମିଶନରେଟ ପୋଲିସ । ଆଘାତ, ଆକ୍ରମଣ, ଅନଧିକାର ପ୍ରବେଶ ପାଇଁ ଧାରା ୩୩୩, ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟ ନିର୍ବାହରୁ ଭୟଭୀତ କରିବା ନେଇ ଧାରା ୧୩୨, ସରକାରୀ ଅଧିକାରୀଙ୍କୁ ଆଘାତ ଦେବା ମାମଲାରେ ଧାରା 121(1) ଲଗାଇଛି । ସେହିପରି ଜୀବନ ହାନି ଉଦ୍ଦେଶ୍ୟରେ ସରକାରୀ ଅଧିକାରୀଙ୍କୁ ଆଘାତ ପାଇଁ ଧାରା 121(2), ଅପରାଧିକ ଭୟ ପ୍ରଦର୍ଶନ ପାଇଁ ଧାରା 351(2) , ଝାମ୍ପିବା ବା ଲୁଟିନେବା ପାଇଁ ଧାରା 62 ଓ 304, ସଙ୍ଗଠିତ ଅପରାଧ ପାଇଁ ଧାରା 54 ଲାଗିଛି । ଅପରାଧିକ ଷଡ଼ଯନ୍ତ୍ର ପାଇଁ ଧାରା 61(2), ବେଆଇନ ସମାବେଶ ନେଇ ଧାରା 189(2) , ଅପରାଧ ପାଇଁ ବେଆଇନ ସମାବେଶ ନେଇ ଧାରା 190, ଓ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ନେଇ ଧାରା 3(5) ଲାଗିଛି ।

ସେପଟେ ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଆତ୍ମସମର୍ପଣ ପରେ ଗୁରୁବାର ରାତିରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିଲା କମିସନରେଟ ପୋଲିସ । ଭୁବନେଶ୍ବର କୋର୍ଟରେ ହାଜର ହେଲା ପରେ ଜାମିନ ନାମଞ୍ଜୁର ହେବାରୁ ଜଗନ୍ନାଥ ପ୍ରଧାନଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି । ଜଗନ୍ନାଥ ପ୍ରଧାନ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । ପ୍ରାଥମିକ ତଦନ୍ତ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାରେ ମୋଟ ଗିରଫ ସଂଖ୍ୟା ୬ରେ ପହଞ୍ଚିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
