ନୂଆଦିଲ୍ଲୀ: ଏବେ ଗ୍ରୀନଲ୍ୟାଣ୍ଡ ଦଖଲ କରିବ ଆମେରିକା । ଭେନେଜୁଏଲା ପରେ ଏବେ ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକାର ନଜର । ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, ଆଗାମୀ ସପ୍ତାହରେ ବୈଦେଶିକ ସଚିବ ରୁବିଓ ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡ ନେତାମାନଙ୍କୁ ଭେଟିବେ । ବିଶ୍ୱର ସୁରକ୍ଷା ଏବଂ ମିସାଇଲ୍ ପ୍ରତିରୋଧ ପାଇଁ ଗ୍ରୀନଲ୍ୟାଣ୍ଡ ବହୁ ଗୁରୁତ୍ୱପୂର୍ଣ୍ଣ ।
ଆମେରିକାର ଶତ୍ରୁ ଦେଶମାନେ ମଧ୍ୟ ଏହି ସ୍ଥାନ ଉପରେ ନଜର ରଖିଛନ୍ତି । ତେଣୁ ଆମେ ୟୁରୋପୀୟ ବନ୍ଧୁମାନଙ୍କୁ ଗ୍ରୀନଲ୍ୟାଣ୍ଡର ସୁରକ୍ଷା ପ୍ରତି ଗମ୍ଭୀର ହେବାକୁ କହୁଛୁ । ଯଦି ସେମାନେ କିଛି ନକରନ୍ତି, ତେବେ ଆମେରିକା ନିଜେ କିଛି ବଡ଼ ପଦକ୍ଷେପ ନେବ ବୋଲି ଭାନ୍ସ କହିଛନ୍ତି । ଅନ୍ୟପଟେ ଡେନମାର୍କ ଚେତାବନୀ ଦେଇଛି ଆମେରିକାକୁ ।

ଆମେରିକା ଗ୍ରୀନଲାଣ୍ଡ ଦଖଲ କରିବାକୁ ପଦକ୍ଷେପ ନେଲେ ପ୍ରଥମେ ଗୁଳି କରିବୁ, ପରେ ପ୍ରଶ୍ନ ପଚାରିବୁ ବୋଲି ଡେନମାର୍କ କହିଛି । ଗ୍ରୀନ ଲ୍ୟାଣ୍ଡକୁ ଆମେରିକାରରେ ମିଶାଇ ଦିଆଯିବ ବୋଲି ଗତ କିଛି ଦିନ ହେଲା କହି ଆସୁଛନ୍ତି ଡୋନାଲ୍ଡ ଟ୍ରମ୍ପ ।ଗ୍ରୀନଲାଣ୍ଡରେ ଭରି ରହିଛି ପ୍ରାକୃତିକ ସମ୍ପଦ । ସ୍ମାର୍ଟଫୋନ, କଂପ୍ୟୁଟର ଓ ସାମରିକ ଉପକରଣ ନିର୍ମାଣ ପାଇଁ ଜରୁରୀ ଦୁର୍ଲଭ ଖଣିଜ ପଦାର୍ଥ ଭରି ରହିଛି ବରଫ ତଳେ । ଏହାସହିତ ପରମାଣୁ ଶକ୍ତି ଉତ୍ପାଦନ ପାଇଁ ଜରୁରୀ ୟୁରାନିୟମ ମଧ୍ୟ ବରଫ ଦ୍ୱୀପରେ ରହିଛି ।
ଗ୍ରୀନଲାଣ୍ଡର ଭୌଗୋଳିକ ସ୍ଥିତି ଆମେରିକାର ସୁରକ୍ଷା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସେଠାରେ ଥିବା ପିଟୁଫିକ୍ ସ୍ପେଶ ବେସ୍ ମାଧ୍ୟମରେ ଆମେରିକା ଋଷ ଓ ଚୀନର ଆର୍କଟିକ୍ ଗତିବିଧି ଉପରେ ନଜର ରଖିଛି । ଏହି ସବୁ କାରଣରୁ ଗ୍ରୀନଲାଣ୍ଡକୁ ସ୍ଥାୟୀ ଭାବେ ନିଜ ପାଖରେ ରଖିବାକୁ ଚାହୁଁଛି ଆମେରିକା । ଏପରିକି ଗ୍ରୀନଲ୍ୟାଣ୍ଡ ବାସିନ୍ଦାଙ୍କୁ ଟଙ୍କା ଦେଇ ମନେଇବାକୁ ଚିନ୍ତା କରୁଛି ଆମେରିକା ।
