ଭୁବନେଶ୍ୱର : ଅଭିଜିତ ମଜମୁଦାରଙ୍କ କେମିତି ଓ କାହିଁକି ହେଲା ମୃତ୍ୟୁ? ସାମ୍ନାକୁ ଆସିଲା ମେଡିକାଲ ରିପୋର୍ଟ । ୫୪ ବର୍ଷୀୟ ଅଭିଜିତ ମଜୁମଦାର ଗୁରୁତର ଅସୁସ୍ଥତା କାରଣରୁ ୪ ସେପ୍ଟେମ୍ବର ୨୦୨୫ରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ‘ଅସମୋଟିକ୍ ଡିମାୟେଲିନେସନ୍ ସିଣ୍ଡ୍ରୋମ୍’ ନାମକ ଏକ ମାରାତ୍ମକ ମସ୍ତିଷ୍କ ରୋଗ ହୋଇଥିଲା । ଶରୀରରେ ଲୁଣ ବା ଇଲେକ୍ଟ୍ରୋଲାଇଟ୍ ର ଅସ୍ବାଭାବିକ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୁଏ । ଏହା ସହିତ ତାଙ୍କର ଫୁସଫୁସରେ ସଂକ୍ରମଣ , ରକ୍ତରେ ସଂକ୍ରମଣ ଏବଂ ପୁରୁଣା ଲିଭର ରୋଗ ମଧ୍ୟ ଥିଲା ।
ଦୀର୍ଘ ଦିନ ଧରି ଆଇସିୟୁ ଓ ଭେଣ୍ଟିଲେଟରରେ ରହିଥିଲେ । ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିଲା । ସେ ଚେତା ଫେରି ପାଇଥିଲେ । ୧୦ ନଭେମ୍ବର ୨୦୨୫ରେ ତାଙ୍କୁ ଜେନେରାଲ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ୨୩ ଜାନୁଆରୀ ୨୦୨୬ରେ ତାଙ୍କୁ ହଠାତ୍ ଜ୍ୱର ହେବା ସହ ନୂଆ ସଂକ୍ରମଣ ଦେଖାଦେଇଥିଲା। ତାଙ୍କ ରକ୍ତଚାପ ବହୁତ କମିଯାଇଥିଲା ଏବଂ ଶରୀରର ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦେଇଥିଲା । ଆଜି ସକାଳ ୭:୪୩ରେ ତାଙ୍କର ହୃଦସ୍ପନ୍ଦନ ବନ୍ଦ ହୋଇଯାଇଥିଲା । ଡାକ୍ତରମାନେ ପ୍ରାୟ ଏକ ଘଣ୍ଟା ଧରି ଚେଷ୍ଟା କରିବା ସତ୍ତ୍ୱେ ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ । ସକାଳ ୯:୦୨ ମିନିଟ୍ ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
