ଭୁବନେଶ୍ବର: ରାଉରକେଲାରେ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୬’ର ରୌପ୍ୟ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ଓଡ଼ିଶାର ଶିଳ୍ପ ବିକାଶ ପାଇଁ ଏକ ନୂଆ ଦିଗ୍ ଦର୍ଶନ ଦେଇଛନ୍ତି । ପଶ୍ଚିମ ଓଡ଼ିଶାକୁ ରାଜ୍ୟ ଅର୍ଥନୀତିର ମୁଖ୍ୟ ଚାଳକ କହିବା ସହ ସେ ଅନେକ ବଡ଼ ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମରେ ୪୩ ହଜାର ୩୪୯ କୋଟି ଟଙ୍କାର ୨୨ଟି MOU ସ୍ୱାକ୍ଷର କରାଯାଇଛି ।
ମୁଖ୍ୟମନ୍ତ୍ରୀ ୮ ହଜାର ୮ଶହ ୮୪ କୋଟି ଟଙ୍କାର ୨୦ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହାଦ୍ୱାରା ୬ ହଜାର ୮ଶହ ୩୨ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମୋଟ ୫୨ହଜାର୨୬ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି । ଯାହା ୨୦ହଜାର ୪ଶହ ୨୭ଟି ନୂଆ ଚାକିରି ସୁଯୋଗ ସୃଷ୍ଟି କରିବ ।
ଢେଙ୍କାନାଳରେ ଏକ ବଡ଼ ପ୍ରକଳ୍ପ ପାଇଁ ବେଦାନ୍ତ ଆଲୁମିନିୟମକୁ ପ୍ରାୟ ୧,୪୪୭ ଏକର ଜମିର କାଗଜପତ୍ର ମୁଖ୍ୟମନ୍ତ୍ରୀ ହସ୍ତାନ୍ତର କରିଛନ୍ତି । ଛୋଟ ଓ ମଧ୍ୟମ ଶିଳ୍ପ (MSME) କୁ ପ୍ରୋତ୍ସାହନ ଦେଇ ରାଜ୍ୟରୁ ଯୁବକମାନଙ୍କ ପଳାୟନ ରୋକିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।
୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଏବଂ ବିଶ୍ୱର ଶ୍ରେଷ୍ଠ ଶିଳ୍ପ କେନ୍ଦ୍ର ସହ ପ୍ରତିଯୋଗିତା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍, ସେଲ୍ (SAIL), ଜେଏସଡବ୍ଲୁ (JSW) ଓ ବେଦାନ୍ତ ଭଳି ବଡ଼ କମ୍ପାନୀର ମୁଖ୍ୟମାନେ ଯୋଗ ଦେଇଥିଲେ ।
