ରଣପୁର, ୧/୨ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବଳଭଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ୩୪ ବର୍ଷ ପୂର୍ବର ସୁନାଳି ସ୍ମୃତିକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ଏକ ଭାବବିହ୍ୱଳ ଗୁରୁ–ଶିଷ୍ୟ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି |୧୯୯୨ ମସିହାର ଦଶମ ଶ୍ରେଣୀ ପୁରାତନ ଛାତ୍ର ଭାଗୀରଥି ସାମନ୍ତରାୟ, ସୁକାନ୍ତ କୁମାର ବରାଡ, ଅନୁପମା ଦାଶ ଓ ଲକ୍ଷ୍ମୀପ୍ରିୟା ପାଢୀଙ୍କ ଉଦ୍ୟମରେ ଆୟୋଜିତ ଏହି ସଭାରେ ପୁରୁଣା ଗୁରୁ ଓ ଶିଷ୍ୟମାନେ ଏକାଠି ହୋଇ ତାଙ୍କର ଅମୂଲ୍ୟ ସ୍ମୃତିକୁ ସାଉଁଟିଥିଲେ।

ସଭାର ସଭାପତିତ୍ୱ ପୁର୍ବତନ ଶିକ୍ଷକ ବିଶ୍ୱରଂଜନ ଆଚାର୍ଯ୍ୟ କରିଥିବା ବେଳେ ଦିବଙ୍ଗତ ଶିକ୍ଷକ ବୀରକିଶୋର ବେହେରା, ବୈଷ୍ଣବ ପ୍ରଧାନ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୈରାଙ୍ଗ ପ୍ରଧାନ ଓ ଶିଷ୍ୟ ବସନ୍ତ ପାଢୀଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ତତ୍କାଳୀନ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ, ଶିକ୍ଷକ ସୁଦାମ ଚରଣ ସାହୁ, ବିଜ୍ଞାନ ଶିକ୍ଷୟିତ୍ରୀ ତଥା ବର୍ତ୍ତମାନ ଗୈରାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଦେଶିନୀ ପତି, ଗଣିତ ଶିକ୍ଷକ ତଥା ବର୍ତ୍ତମାନ ପ୍ରଧାନ ଶିକ୍ଷକ ପ୍ରଶନ୍ନ ଶତପଥୀ ଓ ଶିକ୍ଷକ ଦଇତାରୀ ବସ୍ତିଆ ସଭାକୁ ସମ୍ବୋଧନ କରି ସେଇ ସଂଘର୍ଷମୟ ଦିନର ସ୍ମୃତି ଉପସ୍ଥାପନ କରିଥିଲେ।
ତତକାଳୀନ ସମୟରେ ଆବଶ୍ୟକ ଛାତ୍ରଛାତ୍ରୀ ଓ ଶିକ୍ଷକ ଅଭାବ, ବିନା ଦରମାରେ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ପାଠ୍ୟସାମଗ୍ରୀ ଓ ପୋଷାକ ସମସ୍ୟା ସତ୍ତ୍ୱେ ଗୁରୁ–ଶିଷ୍ୟ ସମ୍ପର୍କ କିପରି ଅତୁଟ ଥିଲା, ତାହା ସଭାର ମୁଖ୍ୟ ଆଲୋଚନା ବିଷୟ ଥିଲା।ଏହି ଅବସରରେ ଏକ ସାମୂହିକ ଭୋଜିର ଆୟୋଜନ କରାଯାଇଥିଲା। ଶେଷରେ ଭାବବିହ୍ୱଳ ପରିବେଶ ମଧ୍ୟରେ ଗୁରୁ ଓ ଶିଷ୍ୟମାନେ ପୁନଃମିଳନର ଆଶା ସହ ବିଦାୟ ନେଇଥିଲେ।
