ମୁମ୍ବାଇ : ମୁମ୍ବାଇର ବିମାନ ବନ୍ଦରରେ ଏୟାର୍ ଇଣ୍ଡିଆର ବିମାନ ଓ ଇଣ୍ଡିଗୋ ବିମାନର ଡେଣା ଭିତରେ ଧକ୍କା । ସୌଭାଗ୍ୟବଶତଃ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଦୁର୍ଘଟଣା ପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣା ବେଳେ ଉଭୟ ବିମାନ ଟ୍ୟାକ୍ସିୱେରେ ଉଡ଼ାଣ ପାଇଁ ଅପେକ୍ଷା କରିଥିଲା ।
ମୁମ୍ବାଇରୁ କୋଏମ୍ବାଟୁର ଅଭିମୁଖେ ଯିବାକୁ ଥିବା ଏୟାର ଇଣ୍ଡିଆର ବିମାନ ଏଆଇ୨୭୩୨ ଉଡ଼ାଣ ପୂର୍ବରୁ ଟ୍ୟାକ୍ସିୱେରେ ଅପେକ୍ଷା କରୁଥିବା ବେଳେ ଇଣ୍ଡିଗୋ ବିମାନର ଡେଣା ସଂସ୍ପର୍ଶରେ ଆସିଥିଲା । ଫଳରେ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଥିବା ଏୟାର୍ ଇଣ୍ଡିଆ କହିଛି । ହାଇଦ୍ରାବାଦରୁ ଆସି ମୁମ୍ବାଇରେ ଅବତରଣ କରିଥିଲା ଇଣ୍ଡିଗୋ ବିମାନ । ଉଭୟ ବିମାନର ହୋଇଛି ବୈଷୟିକ ଯାଞ୍ଚ । ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇ ଦିଆଯାଇଥିବା ଏୟାର୍ ଇଣ୍ଡିଆର ପକ୍ଷରୁ କୁହାଯାଇଛି ।
