ନାବାଳିକା ଗର୍ଭବତୀ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଯଦି ପୀଡ଼ିତା ଛୁଆ ଜନ୍ମ କରିବାକୁ ଚାହୁଁ ନ ଥିବେ ତେବେ ତାଙ୍କୁ ବାଧ୍ୟ କରଯାଇପାରିବ ନାହିଁ । ଏମିତିକି ଗର୍ଭବସ୍ଥାର ୩୦ ସପ୍ତାହ ଅର୍ଥାତ ଶେଷ ସମୟରେ ବି ସ୍ବଇଚ୍ଛାରେ ଗର୍ଭପାତ କରିପାରିବେ। ଜଣେ ୧୭ ବର୍ଷୀୟ ଗର୍ଭବତୀ ନାବାଳିକା ମାମଲାର ଶୁଣାଣି ଅବସରରେ ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।
ବିଚାରପତି ବିଭି ନାଗାରତ୍ନ ଓ ବିଚାରପତି ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । କହିଛନ୍ତି, ଜଣେ ନାବାଳିକା ଗର୍ଭଧାରଣ ଜାରି ରଖିବେ କି ନାହିଁ ଓ ସନ୍ତାନକୁ ଜନ୍ମଦେବେ କି ନାହିଁ ତାହା ପୀଡ଼ିତାଙ୍କ ସତ୍ତ୍ବାଧିକାର ଉପରେ ନିର୍ଭରଶୀଳ । ସେହିପରି ଗର୍ଭଧାରଣ ଜାରି ରହିଲେ ମା’ କିମ୍ବା ଶିଶୁର କୌଣସି କ୍ଷତି ନାହିଁ ବୋଲି ମେଡିକାଲ ରିପୋର୍ଟରେ ଦର୍ଶାଯାଇଥିଲା ।
ଯାହାର ବିଚାର କରି ମେଡିକାଲ ବୋର୍ଡକୁ ମଧ୍ୟ ଚେତାବନୀ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । କହିଛନ୍ତି, ନାବାଳିକା ଗର୍ଭବତୀଙ୍କ ସତ୍ତ୍ବାଧିକାରକୁ ସମ୍ମାନ ଦିଆଯିବା ଉଚିତ । ତେବେ ପୂର୍ବରୁ ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସି (MTP) ଆକ୍ଟ, ୨୦୨୧ ଅନୁଯାୟୀ ଗର୍ଭପାତ ଆଇନ ଅନୁଯାୟୀ ବୈଧ ।
ଏହି ଆଇନ ଅନୁଯାୟୀ ଜଣେ ଡାକ୍ତରଙ୍କ ପରାମର୍ଶରେ ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ ବୈଧ । ନାବାଳିକା, ଦୁଷ୍କର୍ମ ପୀଡ଼ିତା, ଅକ୍ଷମ ମହିଳାଙ୍କ ସମେତ ଅବିବାହିତାଙ୍କ କ୍ଷେତ୍ରରେ ଏହା ଲାଗୁ ହୋଇଥାଏ । ଏହାବାଦ ଆହୁରି କେତେକ ସ୍ବତନ୍ତ୍ର ତଥା ଗୁରୁତ୍ବପୂର୍ଣ୍ଣ ମାମଲାରେ ମହିଳାଙ୍କ ସୁରକ୍ଷା, ଅଧିକାର ଓ ସମ୍ମାନକୁ ଭିତ୍ତି କରି ପଦକ୍ଷେପ ନିଆଯାଇଥାଏ ବୋଲି ଅଦାଲତ ଜଣାଇଛନ୍ତି ।
