ରଣପୁର, ୨୬ ଜୁଲାଇ: ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ବାହୁଡା଼ ଯାତ୍ରାର ଶେଷ ପର୍ଯ୍ୟାୟ ଭକ୍ତି ଓ ଉତ୍ସାହର ସହ ସମ୍ପନ୍ନ ହୋଇଛି। ରବିବାର ଅପରାହ୍ନରେ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ସିଂହଦ୍ୱାରରେ ପହଞ୍ଚିବା ସହିତ ତିନି ରଥ ଏକାଠି ଲାଗିଥିବା ଦୃଶ୍ୟ ହଜାର ହଜାର ଭକ୍ତଙ୍କ ମନକୁ ଆନନ୍ଦ ଓ ଭକ୍ତିରେ ଭରିଦେଇଥିଲା। ବାହୁଡା଼ ଦିନ ଭକ୍ତମାନେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟାଣି ସିଂହଦ୍ୱାରରେ ପହଞ୍ଚାଇଥିଲେ। ପରଦିନ ବଡ଼ ଏକାଦଶୀ ଥିବାରୁ ରଥ ଟଣା ବନ୍ଦ ରହିଥିଲା ଏବଂ ଏହି ଅବସରରେ ପାରମ୍ପରିକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।

ରବିବାର ଅପରାହ୍ନ ପ୍ରାୟ ୨ଟାରେ ମହିଳା ଭକ୍ତମାନେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣି ସିଂହଦ୍ୱାରରେ ପହଞ୍ଚାଇଥିଲେ। ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା। ବାଟରେ ଦୁଇଟି ଲାଇନ୍ ଖୁଣ୍ଟରେ ରଥ ଅଟକିଯାଇଥିଲେ ମଧ୍ୟ ଭକ୍ତମାନଙ୍କ ଉଦ୍ୟମରେ ଶେଷରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲା।

ରଥଯାତ୍ରାର ଅନ୍ୟତମ ଆକର୍ଷଣ ପବିତ୍ର ଲକ୍ଷ୍ମୀ–ନାରାୟଣ ଭେଟ ମଧ୍ୟ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ଏହି ଦିବ୍ୟ ମିଳନ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା ଏବଂ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ପ୍ରଶାସନ ସୂଚନା ଅନୁଯାୟୀ, ସୋମବାର ସକାଳେ ପବିତ୍ର ଅଧର ପଣା ନୀତି ସମ୍ପନ୍ନ ହେବ। ଏହାପରେ ସକାଳ ୧୦ଟାରେ ମହାପ୍ରଭୁମାନଙ୍କ ପହଣ୍ଡି ବିଜେ ଅନୁଷ୍ଠିତ ହେବ। ଏହି ନୀତି ଦର୍ଶନ ପାଇଁ ମଧ୍ୟ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଛି।
