ଭୁବନେଶ୍ୱର : ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ । ନନ୍ଦନକାନନରେ ଜଣେ ଓରାଙ୍ଗଉଟାନକୁ ଜ୍ୱର । ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣକୁ ଜ୍ୱର । ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍ । ଅସୁସ୍ଥ ଓରାଙ୍ଗଉଟାନର ସ୍ୱାସ୍ଥ୍ୟ ଉପରେ ରହିଛି ସ୍ୱତନ୍ତ୍ର ଟିମର ନଜର । ନନ୍ଦନକାନନରେ ଚାଲିଛି ସ୍ୱତନ୍ତ୍ର ଚିକିତ୍ସା । ଭୋଗରାଇ ଉଦ୍ଧାର ପରେ ନନ୍ଦନକାନନରେ ଅଛନ୍ତି ୫ ଓରାଙ୍ଗଉଟାନ ।
ଏପଟେ ୫ ଶିଶୁ ଓରାଙ୍ଗଉଟାନ୍ ଙ୍କ ଯତ୍ନ ପାଇଁ ବଡ଼ ପଦକ୍ଷେପ । ସେମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଓ ରକ୍ଷଣାବେକ୍ଷଣ ଉପରେ ନଜର ରଖିବା ପାଇଁ ଗଠନ କରାଯାଇଛି ୫ ଜଣିଆ ବୈଷୟିକ କମିଟି । ନନ୍ଦନକାନନରେ ଥିବା ଓରାଂଉଟାନଙ୍କ ଯତ୍ନ ସହ ଜଡ଼ିତ ସମସ୍ତ ବିଷୟରେ ଏହି କମିଟି ଅନୁଧ୍ୟାନ କରିବ। ସେମାନଙ୍କୁ କେମିତି ଖାଦ୍ୟ ଦିଆଯିବ, ସ୍ୱାସ୍ଥ୍ୟର ଯତ୍ନ କିପରି ନିଆଯିବ ଏବଂ କେଉଁ ପରିବେଶରେ ରଖାଯିବ—ଏସବୁ ନେଇ ବିଶେଷଜ୍ଞମାନେ ପରାମର୍ଶ ଦେବେ ।
ନନ୍ଦନକାନନ ବାୟୋଲଜିକାଲ ପାର୍କର ନିର୍ଦ୍ଦେଶକ କମିଟିର ସଦସ୍ୟ-ଆବାହକ ରହିବେ । ଏଥିରେ ମହୀଶୂରର ଶ୍ରୀ ଚାମରାଜେନ୍ଦ୍ର ପ୍ରାଣୀ ଉଦ୍ୟାନର ଜଣେ ପ୍ରାଣୀ ଚିକିତ୍ସକ, ଡେରାଡୁନ୍ ର ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଜଣେ ପ୍ରତିନିଧି ଏବଂ ଭୁବନେଶ୍ୱର OUATର ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲ୍ଥର ପ୍ରୋଜେକ୍ଟ କୋଅର୍ଡିନେଟର ସାମିଲ ଅଛନ୍ତି । ଆବଶ୍ୟକ ପଡ଼ିଲେ କମିଟି ଦେଶ ଓ ବିଦେଶର ଅନ୍ୟ ବିଶେଷଜ୍ଞ କିମ୍ବା ସଂସ୍ଥାର ସହାୟତା ମଧ୍ୟ ନେଇପାରିବ ।
