ମୁମ୍ବାଇ : ତହଲକାର ପୂର୍ବତନ ଏଡିଟର-ଇନ୍-ଚିଫ୍ ତରୁଣ ତେଜପାଲ ଆତ୍ମସମର୍ପଣ କରିଛନ୍ତି । ୨୦୧୩ର ଦୁଷ୍କର୍ମ ମାମଲାରେ ସୋମବାର ଗୋଆର ମାପୁସା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ବମ୍ବେ ହାଇକୋର୍ଟଙ୍କ ଦୋଷୀ ସାବ୍ୟସ୍ତ ରାୟ ବିରୋଧରେ ତାଙ୍କ ଆବେଦନର ଶୁଣାଣି ପୂର୍ବରୁ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ତେଜପାଲ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।
ଗତ ମାସରେ ସୁପ୍ରିମକୋର୍ଟ ତେଜପାଲଙ୍କ ଆତ୍ମସମର୍ପଣରୁ ଛାଡ଼ ପାଇବା ସମ୍ପର୍କିତ ଆବେଦନକୁ ଖାରଜ କରିଥିଲେ । ଏଥିସହ ତାଙ୍କୁ ତିନି ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୂର୍ବରୁ ତାଙ୍କ ଓକିଲ ସର୍ବନିମ୍ନ ଦଣ୍ଡ ସହ ଆତ୍ମସମର୍ପଣ କରିବାକୁ ଅତିକମରେ ୮ ସପ୍ତାହ ସମୟ ମାଗିଥିଲେ ।
ସୂଚନାଯୋଗ୍ୟ, ୨୦୧୩ ନଭେମ୍ବରରେ ତେହେଲକା ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କ ବିରୋଧରେ ଗୋଆର ଏକ ବିଳାସପୂର୍ଣ୍ଣ ହୋଟେଲ ଲିଫ୍ଟ ଭିତରେ ଜଣେ ସହକର୍ମୀ ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ମେ ୨୦୨୧ରେ ଗୋଆର ମାପୁସା ଜିଲ୍ଲା ଓ ଦୌରା ଅଦାଲତ ପ୍ରମାଣ ଅଭାବରୁ ତେଜପାଲଙ୍କୁ ସମସ୍ତ ଅପରାଧିକ ମାମଲାରୁ ଦୋଷମୁକ୍ତ କରିଥିଲେ । ନିମ୍ନ ଅଦାଲତଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଗୋଆ ସରକାର ବମ୍ବେ ହାଇକୋର୍ଟରେ ଅପିଲ କରିଥିଲେ ।
