ପୁରୀ (ଭିଓଭି): ଆଜିର ସୁସ୍ଥ ଶିଶୁଟିଏ ଆଗାମୀ କାଲିର ସୁସ୍ଥ ସମାଜ ଗଠନର ମୂଳଦୁଆ। ସୁସ୍ଥ ଶିଶୁଟିଏ ଜନ୍ମ ପାଇଁ ସୁସ୍ଥ ମା ଟିଏ ର ଆବଶ୍ୟକତା ରହିଛି। ତେଣୁ ମା ପେଟରେ ଭୃଣ ସଞ୍ଚାର ଠାରୁ ଆରମ୍ଭ କରି ସନ୍ତାନ ପ୍ରସବ ଏବଂ ପ୍ରସବ ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ମା ଏବଂ ଶିଶୁ ପାଇଁ ଆବଶ୍ୟକ ବିଭିନ୍ନ ପୋଷକ ତତ୍ତ୍ଵ ଯୁକ୍ତ ଖାଦ୍ୟ ସମ୍ପର୍କିତ ସଚେତନତା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ ସମଗ୍ର ଦେଶରେ ଆରମ୍ଭ କରାଯାଇଥିବା “ରାଷ୍ଟ୍ରୀୟ ପୋଷଣ ମାସ” ନବମ ବର୍ଷରେ ପଦାର୍ପଣ କରିଛି।
ଏହି ଅବସରରେ ପୁରୀ ମ୍ୟୁନିସିପାଲଟି କର୍ପୋରେସନ ମହିଳା ଓ ଶିଶୁ ବିକାଶ ବିଭାଗର ପଶ୍ଚିମ ମଣ୍ଡଳ ତରଫରୁ ସ୍ଥାନୀୟ କୁମୁଟି ପାଟଣା ଅଙ୍ଗନବାଡି କେନ୍ଦ୍ର ଠାରେ ଏକ ପୋଷଣ ମାସ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମଣ୍ଡଳ ପର୍ଯ୍ୟବେକ୍ଷିକା ଶ୍ରୀମତୀ ମିନତୀ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରି ଉପସ୍ଥିତ ଅଙ୍ଗନବାଡି କର୍ମୀ ଏବଂ ମହିଳା ମାନଙ୍କୁ ମା ଏବଂ ଶିଶୁ ବିକାଶ ଯୋଜନା ସମ୍ପର୍କରେ ଏବଂ ଉପଯୁକ୍ତ ପୋଷଣ ବିଷୟରେ ବୁଝାଇଥିଲେ। ଅଙ୍ଗନବାଡି କର୍ମୀ ମାନେ ନିଜ ଅଞ୍ଚଳରେ ସହଜରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାର ଫଳ ଏବଂ ପନିପରିବା ଆଦି ସଂଗ୍ରହ କରି ସୁନ୍ଦର ଭାବରେ ବିଭିନ୍ନ ଆକୃତିରେ ସଜାଇ ପ୍ରଦର୍ଶନ କରିବା ସହିତ ସେଗୁଡ଼ିକର ଉପଯୋଗୀତା ସମ୍ପର୍କରେ ମହିଳା ମାନଙ୍କୁ ବୁଝାଇଥିଲେ। ପୁରୀର ବିଶିଷ୍ଟ ଚିକିତ୍ସକ ଡାଃ ରଶ୍ମି ରଞ୍ଜନ ମହାରଥା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗର୍ଭ ସଂଚାର ହେବା ଠାରୁ ପ୍ରଥମ ହଜାର ଦିନର ଗୁରୁତ୍ଵ ବା ପିଲାକୁ ଦୁଇ ବର୍ଷ ପୁରିବା ଯାଏ କିଭଳି ପୋଷଣ ଖାଦ୍ୟ ଖାଇ ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ପିଲାକୁ ଗୋଟିଏ ସୁସ୍ଥ ପରିବେଶରେ ବଢାଇବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ କୁମୁଟିପାଟଣା ଅଙ୍ଗନବାଡି କର୍ମୀ ବବିତା ସାହୁ ପରିଚାଳନା କରିଥିବା ବେଳେ ବାଲିଘାଟ ଅଙ୍ଗନବାଡି କର୍ମୀ ସସ୍ମିତା ମହାପାତ୍ର, କଣ୍ଢେଇ ଫାକ୍ଟରି ଅଙ୍ଗନୱାଡି କର୍ମୀ ରଶ୍ମିତା ଚାନ୍ଦ, ଚଷା ସାହି ଅଙ୍ଗନବାଡି କର୍ମୀ ଅଞ୍ଜନା ପଟ୍ଟନାୟକ ବିନୋବା ନଗରର ରାଜଲକ୍ଷ୍ମୀ ଜେନା ସହାୟିକା ସୁମିତ୍ରା ବାରିକ ପ୍ରମୁଖ ସହଯୋଗ କରିଥିଲେ ଏବଂ ପୁରୀ ମୁନିସିପାଲିଟି କର୍ପୋରେସନ ର ସୁଭଦ୍ରା ସହାୟିକା ସଂଯୁକ୍ତା ପ୍ରଧାନ ଉପସ୍ଥିତ ଥିଲେ।

ଚଳିତ ବର୍ଷ ଏହି ନବମ ରାଷ୍ଟ୍ରୀୟ ପୋଷଣ ମାସର ସ୍ଲୋଗାନ ରହିଛି “ଆମ ଅଙ୍ଗନବାଡି ଆମ ଦାୟିତ୍ଵ”। ମୁଖ୍ୟତଃ ପାଞ୍ଚଟି ଥିମ୍ ଏବଂ ଏଥି ସହିତ ଜଡିତ ବିଭିନ୍ନ ଆକ୍ଟିଭିଟ୍ କୁ ନେଇ ପ୍ରତ୍ୟେକ ଦିନ ଅଲଗା ଅଲଗା କାର୍ଯ୍ୟକ୍ରମ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ସେପ୍ଟେମ୍ବର 9 ତାରିଖ ଠାରୁ ଚାଲୁଅଛି ଏବଂ ଏହି କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର 8 ତାରିଖପର୍ଯ୍ୟନ୍ତ ଚାଲିବ। ଏହା ବ୍ୟତୀତ ଆମ ପୁରୀ ମୁନିସିପାଲିଟି ଅଧୀନରେ ପାଖାପାଖି ଥିବା ପାଞ୍ଚ ସାତୋଟି ଲେଖାଏଁ ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ନେଇ ଗୋଟିଏ ଲେଖାଏଁ ଜ୍ଞାନ କେନ୍ଦ୍ର ଗଠନ କରାଯାଇଛି ଏବଂ ପ୍ରତ୍ୟେକ ଜ୍ଞାନ କେନ୍ଦ୍ରରେ ଏଭଳି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି ବୋଲି ମଣ୍ଡଳ ପର୍ଯ୍ୟବେକ୍ଷିକା ଶ୍ରୀମତୀ ମିନତୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
