ନୂଆଦିଲ୍ଲୀ: ଆକାଶରେ ଉଡ଼ୁଥିଲା ବିମାନ । ହଠାତ୍ ଆସିଲା ବୋମା ଥିବା ଧମକ । ଆଉ ଏହାପରେ ଯାତ୍ରୀଙ୍କଠାରୁ ସୁରକ୍ଷା ଏଜେନ୍ସି ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଖେଳିଗଲା ଆତଙ୍କ । ଇସ୍ରାଏଲର ତେଲ୍ ଆଭିଭ୍ରୁ ଅଷ୍ଟ୍ରିଆର ରାଜଧାନୀ ଭିଏନା ଯାଉଥିବା ଏକ ବିମାନରେ ବୋମା ଧମକ ମିଳିବା ପରେ ବୁଲଗେରିଆର ରାଜଧାନୀ ସୋଫିଆରେ ବିମାନଟିର ଜରୁରୀ ଅବତରଣ କରାଯାଇଛି । ବିମାନରେ ୫୧ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ଥିଲେ । ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି । ବର୍ତ୍ତମାନ ବିମାନରେ କୌଣସି ବିସ୍ଫୋରକ ସାମଗ୍ରୀ ରହିଛି କି ନାହିଁ, ସେନେଇ ଯାଞ୍ଚ ଚାଲିଛି । ପୁଣି ଉଡ଼ନ୍ତା ବିମାନରେ ବୋମା ଧମକକୁ ନେଇ ହଇଚଇ । ଅଷ୍ଟ୍ରିଆନ୍ ଏୟାରଲାଇନ୍ସର ଏକ ଏୟାରବସ୍ A320 ବିମାନ ଇସ୍ରାଏଲର ତେଲ୍ ଆଭିଭରୁ ଅଷ୍ଟ୍ରିଆର ଭିଏନା ଅଭିମୁଖେ ଯାଉଥିଲା । ବିମାନରେ ୫୧ ଜଣ ଯାତ୍ରୀଙ୍କ ସହ ୬ ଜଣ କ୍ରୁ ସଦସ୍ୟ ଥିଲେ । ଉଡ଼ାଣ ସ୍ୱାଭାବିକ ଭାବେ ଚାଲିଥିବା ବେଳେ ରୋମାନିଆ ନିକଟରେ ବିମାନରେ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା ।
ଏହି ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତତ୍ପର ହୋଇଉଠିଥିଲେ । ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ବିମାନଟିକୁ ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳକୁ ନ ନେଇ ବୁଲଗେରିଆର ରାଜଧାନୀ ସୋଫିଆକୁ ଡାଇଭର୍ଟ କରାଯାଇଥିଲା । ସେଠାରେ ବିମାନଟିର ଜରୁରୀ ଅବତରଣ କରାଯାଇଥିଲା । ଅବତରଣ ପରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇବାକୁ କୁହାଯାଇଥିଲା । ଏହାପରେ ସୁରକ୍ଷା କର୍ମୀମାନେ ବିମାନରେ ବିସ୍ଫୋରକ ସାମଗ୍ରୀ ଥିବା ସମ୍ଭାବନାକୁ ନେଇ ଯାଞ୍ଚ ଆରମ୍ଭ କରିଥିଲେ । ଫ୍ଲାଇଟ୍ ଟ୍ରାକିଂ ପ୍ଲାଟଫର୍ମ ଫ୍ଲାଇଟରାଡାର୍ ରିପୋର୍ଟ ଅନୁଯାୟୀ, ବିମାନଟି ରାତି ପ୍ରାୟ ୯ଟା ୧୦ ମିନିଟରେ ରୋମାନିଆର ଆକାଶସୀମାରେ ପ୍ରବେଶ କରିଥିଲା । ଏହାପରେ ବିମାନଟି ନିଜର ଗତିପଥ ପରିବର୍ତ୍ତନ କରି ଦକ୍ଷିଣ ଦିଗକୁ ମୁହାଁଇଥିଲା ଏବଂ ବୁଲଗେରିଆ ଆଡ଼କୁ ଫେରିଥିଲା । ଶେଷରେ ସୋଫିଆରେ ଏହାର ଅବତରଣ ହୋଇଥିଲା ।
ଅନ୍ୟ ଏକ ଫ୍ଲାଇଟ୍ ଟ୍ରାକିଂ ପ୍ଲାଟଫର୍ମ ADS-B ଏକ୍ସଚେଞ୍ଜର ତଥ୍ୟ ଅନୁସାରେ, ସେହି ସମୟରେ ବିମାନର ଟ୍ରାନ୍ସପଣ୍ଡରରୁ ୭୭୦୦ ସ୍କ୍ୱାକ୍ କୋଡ୍ ପ୍ରସାରଣ ହେଉଥିଲା । ବିମାନ ଚଳାଚଳ କ୍ଷେତ୍ରରେ ଏହି କୋଡ୍ ସାଧାରଣତଃ ଜରୁରୀକାଳୀନ ପରିସ୍ଥିତି ସୂଚାଇବା ପାଇଁ ବ୍ୟବହୃତ ହୋଇଥାଏ । ଏପଟେ, ଫ୍ଲାଏଦୁବାଇ ବିମାନକୁ ହାଇଜାକ୍ କରିବା ଉଦ୍ୟମ ଘଟଣାକୁ ଏକ ମାସ ମଧ୍ୟ ପୂରିନଥିବା ବେଳେ ପୁଣି ଏକ ବିମାନରେ ବୋମା ଧମକ ମିଳିବା ଘଟଣା ବିମାନ ଯାତ୍ରାର ସୁରକ୍ଷାକୁ ନେଇ ଚର୍ଚ୍ଚା ବଢ଼ାଇଛି । ତେବେ ବିମାନରେ ବୋମା ଥିବା ନେଇ ମିଳିଥିବା ଧମକର ସତ୍ୟତା କ’ଣ ଏବଂ ଏହା ପଛରେ କାହାର ହାତ ରହିଛି, ସେନେଇ ତଦନ୍ତ ଓ ସୁରକ୍ଷା ଯାଞ୍ଚ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ । ବର୍ତ୍ତମାନ ସମସ୍ତଙ୍କ ନଜର ସୁରକ୍ଷା ଯାଞ୍ଚର ରିପୋର୍ଟ ଉପରେ ରହିଛି ।
