ରଣପୁର ( ଭିଓଭି) ସ୍ୱାଧୀନତାର ୭୬ ବର୍ଷ ପରେବି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବନ୍ଧମୁଣ୍ଡା ପଞ୍ଚାୟତ ଏବେ ବି ଚିର ଅବହେଳିତ ଅବସ୍ଥାରେ ପଡ଼ିରହିଛି l ତେବେ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ବିଶେଷ କରି ଗମନାଗମନ ତଥା ଯାତାୟାତ ଦୃଷ୍ଟିରୁ ନାହିଁନଥିବା ଅସୁବିଧା ଭୋଗୁଥିବା ଏହି ଅଞ୍ଚଳବାସୀ ବସ ସେବା ପାଇଁ ଦୀର୍ଘ ବର୍ଷ ଧରି ଦାବି କରିଆସୁଥିଲେ ହେଁ ଯଥା ପୂର୍ବ ତଥା ପର ସଦୃଶ ଦେଖିବାକୁ ମିଳିଛି l ଲୋକେ ପ୍ରତି ପଞ୍ଚାୟତରୁ ବ୍ଲକକୁ କିପରି ସହଜରେ ଓ କମ ଖର୍ଚ୍ଚ ରେ ଯାତାୟାତ କରିପାରିବେ ସେନେଇ ସରକାର ଲକ୍ଷ୍ମୀ ବସ ସେବା ବ୍ୟବସ୍ଥା କରିଛନ୍ତି l ହେଲେ ନିହାତି ଆବଶ୍ୟକ କରୁଥିବା ଏହି ପଞ୍ଚାୟତକୁ ବସ ସେବା ମିଳୁନଥିବା ପରିଲକ୍ଷିତ ହୋଇଛି l ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ସେବା କାହା ସ୍ୱାର୍ଥରେ ବୋଲି ଚର୍ଚ୍ଚା ହେଉଥିବାବେଳେ ବସ ସେବା ନମିଳିଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଅଞ୍ଚଳବାସୀ ଧମକ ଦେଉଛନ୍ତି। ଅପରପକ୍ଷେ ରଣପୁର ବ୍ଲକକୁ ଦୁଇଟି ଲକ୍ଷ୍ମୀବସର ବ୍ୟବସ୍ଥା କରାଯାଇଥିଲାବେଳେ ପ୍ରତ୍ୟେହ ସର୍ବଦା ବିନା ଯାତ୍ରୀରେ ଚାଲୁଥିବା ଦେଖିବାକୁ ମିଳୁଛି l ସୂଚନା ଥାଉକି ରଣପୁର ବ୍ଲକ ଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ଘଞ୍ଚ ମାଳ ଅଞ୍ଚଳ ପଞ୍ଚାୟତ ବନ୍ଧମୁଣ୍ଡା ବାସୀନ୍ଦାମାନେ ଯାତାୟାତ ନିମନ୍ତେ ବସ ସେବା ପାଇଁ ଦୀର୍ଘ ବର୍ଷ ଧରି ଦାବି କରିଆସୁଛନ୍ତି l ଏହି ପଞ୍ଚାୟତକୁ କେବେ ବି ଜନନୀ କିମ୍ୱା ୧୦୮ ଆମ୍ବୁଲାନ୍ସ ସେବା ଗାଡି ଦିନେ ହେଲେ ବି ଗଡ଼ିନଥିବା ଅଞ୍ଚଳବାସୀ ଅଭିଯୋଗ କରିଆସୁଛନ୍ତି l ଏପରିକି ସରକାରୀ ବସ ସେବା ଅଭାବରୁ ସାମାନ୍ୟତମ ଜ୍ୱର କିମ୍ବା ଥଣ୍ଡା ହେଲେ ଏମାନେ ସ୍ୱାସ୍ଥ୍ୟ ସେବା ପାଇଁ ପଡୋଶୀ ଗୋଡିପଡା ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି l ଅପନ୍ତରିଆ ବଣ ପାହାଡ଼ ଓ ଜଙ୍ଗଲ ଜମି ରାସ୍ତା ଦେଇ ରୋଗୀକୁ ଦୋଳାରେ ବୋହିବାକୁ ପଡିଥାଏ l ଏବେ ସ୍ୱାସ୍ଥ୍ୟ ସେବା ନିମନ୍ତେ ପ୍ରାଥମିକ ଆରୋଗ୍ୟ କେନ୍ଦ୍ର ନିର୍ମାଣ ହୋଇଥିଲେ ହେଁ ନିୟମିତ ସ୍ୱାସ୍ଥ୍ୟ କର୍ମୀଙ୍କ ଉପସ୍ଥିତି ରହୁନଥିବାରୁ ଲୋକେ ନାହିଁନଥିବା ହଇରାଣ ହେଉଥିବା ଅଭିଯୋଗ ହେଉଛି l ସେହିପରି ବସ ସେବା ଅଭାବରୁ ଏଠାକାର ପିଲାମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଦିନମଜୁରିଆ ବି ନିଜ ଅଞ୍ଚଳରେ କାମ ଧନ୍ଦା ନପାଇ ଓଳିଏ ଖାଇଲେ ଓଳିଏ ଉପାସରେ ରହୁଥିବା ଅଭିଯୋଗ ହେଉଛି। ଚାଷୀ ପରିବାର ମଧ୍ୟ ସହଜ ତଥା କମ ଖର୍ଚ୍ଚରେ ନିଜ ଉତ୍ପାଦିତ ପନିପରିବା ନିକଟତମ ରଣପୁର କିମ୍ବା ଚାନ୍ଦପୁର ବଜାରରେ ବିକ୍ରି କରିବାକୁ ବଞ୍ଚିତ ହେଉଥିବା ପରିଲକ୍ଷିତ ହୋଇଛି l ତୁରନ୍ତ ଏଭଳି ଅଞ୍ଚଳକୁ ବସ ସେବା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
