ବାଲିପାଟଣା, ୨୬/୯: କୋଟିକୋଟି ଟଙ୍କା ବ୍ୟୟ ହେଲା, ୬ବର୍ଷ ବିତିଗଲା; ହେଲେ ସରିଲାନି ରାସ୍ତାକାମ। ରାସ୍ତା ନାଁରେ ଅଧପନ୍ତରିଆ କାମ ଛାଡ଼ି ଦେଇ ଠିକାଦାର ଛୁ!ଏବେ ଲୋକଙ୍କ ଯାତାୟାତ ଦୁର୍ବିଷହ ହୋଇପଡ଼ିଛି। ଭୁବନେଶ୍ୱର ଡିଭିଜନ-୪ ଆର୍ ଆଣ୍ଡ ବି ଅଧୀନ ହଂସପାଳ-ନିମାପଡ଼ା କେନାଲ ବନ୍ଧ ମୁଖ୍ୟ ରାସ୍ତାର ଦେଉଳିଧରପୁର ନିକଟର ଦୃଶ୍ୟ ଏବେ ବିଭାଗୀୟ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ରାସ୍ତା ମରାମତି ପାଇଁ ବାରମ୍ବାର ଦାବି କରି ଥକିଗଲେ ଲୋକେ। ଶେଷରେ ପ୍ରଶାସନକୁ ଆଇନା ଦେଖାଇବାକୁ ନିଜେ ରାସ୍ତାରେ ଓହ୍ଲାଇଲେ। ଗତଶନିବାର ଦେଉଳିଧରପୁର ନିକଟରେ ଅର୍ଦ୍ଧନିର୍ମିତ ରାସ୍ତା ଉପରେ ଟ୍ରାକ୍ଟର ଚଳାଇ ଚାଷ କରିବା ସହ ଖାଲଖମା ମରାମତି କରିଥିଲେ। ଏଥିସହ ରାସ୍ତାରୋକ କରି ତୁରନ୍ତ ରାସ୍ତାକାମ ସମ୍ପୂର୍ଣ୍ଣ କରିବାକୁ ଦାଵୀ ମଧ୍ୟ କରିଥିଲେ।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ୟକ୍ତିଗତ ଜମି ଅଧିଗ୍ରହଣ ସମସ୍ୟାକୁ ଆଳ କରି ରାସ୍ତାକାମ ଅଟକାଇ ରଖାଯାଇଛି।
ଦେଉଳିଧରପୁରରୁ କାଳିଆଦଣ୍ଡା, ଭଅରା ନିଜିଗଡ଼ ଓ ଭାକରସାହି ଗଡ଼ ଚାରିପଦା ନିକଟରେ ରାସ୍ତାର ଦୀର୍ଘ ଅଂଶ ଏବେ ବି ନିର୍ମାଣ ଅପେକ୍ଷାରେ। ବର୍ଷା ହେଲେ ରାସ୍ତା ଖାଲଖମାରେ ଭରିଯାଉଥିବା ବେଳେ ଗାତରେ ପାଣି ଜମି ଯାତାୟାତକୁ ବିପଜ୍ଜନକ କରିଦେଉଛି।ଏହି ରାସ୍ତାରେ ଦୁର୍ଘଟଣା ନୂଆ କଥା ନୁହେଁ।ଲୋକେ ଆହତ ହେବା ସହ ଗୁରୁତର ଦୁର୍ଘଟଣାର ମଧ୍ୟ ଘଟୁଛି। ଏତେ ସବୁ ପରେ ବି ବିଭାଗର ନିରବତାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଲୋକଙ୍କ ଅଭିଯୋଗ ଶୁଣିବାକୁ କେହି ନଥିବାରୁ ଶେଷରେ ରାସ୍ତାରେ ଟ୍ରାକ୍ଟର ଚଳାଇ ପ୍ରତିବାଦ କରିବାକୁ ପଡ଼ିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। କୋଟିକୋଟି ଟଙ୍କାର ପ୍ରକଳ୍ପ ୬ ବର୍ଷ ଧରି ଅଧପନ୍ତରିଆ ହୋଇ ପଡ଼ିରହିବା ଏବଂ ଲୋକେ ନିଜେ ଟ୍ରାକ୍ଟର ଚଳାଇ ରାସ୍ତା ମରାମତି କରିବା ଘଟଣା ବିଭାଗର ଭୂମିକା ଉପରେ ପ୍ରଶ୍ନ ଛିଡ଼ା କରିଛି। ତୁରନ୍ତ ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରି ରାସ୍ତାକାମ ସମ୍ପୂର୍ଣ୍ଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।
