ଜୋହାନ୍ସବର୍ଗ : ଗୁଳିମାଡ଼ରେ ଥରିଲା ଦକ୍ଷିଣ ଆଫ୍ରିକା । ରାତି ୯.୩୦ ମିନିଟରେ ଗୌତେଙ୍ଗ ପ୍ରାନ୍ତରେ ଗୁଳିକାଣ୍ଡ ହୋଇଥିଲା । ଏହି ଘଟଣାରେ ପ୍ରାଣ ହରାଇଥିଲେ ୧୭ ଜଣ ବ୍ୟକ୍ତି । ଆକ୍ରମଣକାରୀଙ୍କ ହାତରେ ବନ୍ଧୁକ ଥିବା ଜଣାପଡିଛି । ଘଟଣା ସୂଚନା ମିଳିବା ପରେ ପୋଲିସ ଏବଂ ଜରୁରୀକାଳୀନ ମେଡିକାଲ ସର୍ଭିସ ଟିମ୍ ପହଞ୍ଚି ଉଦ୍ଧାର କରିଥିଲା ।
ଦକ୍ଷିଣ ଆଫ୍ରିକା ପୋଲିସ ସେବା ଅନୁସାରେ, ଶନିବାର ରାତି ୯ଟା ୩୦ରେ ଦେଶର ଗୌତେଙ୍ଗ ପ୍ରାନ୍ତରେ ଭୟଙ୍କର ଗୁଳିକାଣ୍ଡ ହୋଇଛି । ଗୌତେଙ୍ଗର ବେଡେଲା ଟାଉନସିପରେ ଏକ ବାରରେ ଏପରି ଅଘଟଣ ଘଟିଛି । ଆକ୍ରମଣକାରୀଙ୍କ ପାଖରେ ବନ୍ଧୁକ ରହିଥିଲା । ଘଟଣାରେ ୧୭ ଜଣକ ଜୀବନ ଚାଲିଯାଇଛି । ୧୫ ଜଣଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ପାଇ ପୋଲିସ ତୁରନ୍ତ ଏମରଜେନ୍ସି ମେଡିକାଲ୍ ଟିମ୍ ସହ ଘଟଣାସ୍ଥଳରେ ପହଁଚିଥିଲା । ମେଡିକାଲ ଟିମ୍ ସେଠାରୁ ୧୭ଟି ମୃତଦେହ ଉଦ୍ଧାର କରିଥିଲା । ଏମାନଙ୍କ ମଧ୍ୟରୁ ୧୩ ଜଣ ପୁରୁଷ ଥିବା ବେଳେ ୪ ଜଣ ମହିଳା ଥିବା ଜଣାପଡିଛି । ଆଉ ଗୁଳିମାଡ଼ରେ ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଛି । କେଉଁ କାରଣରୁ ଗୁଳିକାଣ୍ଡ ହୋଇଛି ପୋଲିସ ତଦନ୍ତ ଆରମ୍ଭ କରିଛି ।
