ରଣପୁର: କେତେବେଳେ ପ୍ରକୃତି ତ ଆଉ କେତେବେଳେ କୀଟ ପତଙ୍ଗ ଚାଷୀ ପାଇଁ କାଳ ପାଲଟୁଥିବା ବେଳେ ଏବେ ଧାନ ଅମଳ ବେଳକୁ ବନ୍ୟଜନ୍ତୁ ଦାଉ ସାଜିଛନ୍ତି l ଫଳରେ ଚାଷୀର କଷ୍ଟ ଦ୍ବିଗୁଣିତ ହେବା ସାଙ୍ଗକୁ ପରିବାରରେ ଦୁଃଖ ବଢ଼ି ଚାଲିଛି l ଏପରିସ୍ଥଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜି ଥିବା ପରିଲକ୍ଷିତ ହୋଇଛି l ସୂଚନା ଥାଉକି ଗ୍ରାମାଞ୍ଚଳରେ ୮୦ପ୍ରତିଶତ ଲୋକେ ଧାନ ଫସଲ ଉପରେ ନିର୍ଭରଶିଳ ହୋଇଥାନ୍ତି l ଚାଷୀ ପରିବାର,ବର୍ଷଜାକର ଖାଦ୍ୟ ଓ ଖର୍ଚ୍ଚ ଏହି ଫସଲ ଉପରେ ନିର୍ଭର କରିଥାନ୍ତି l ତେବେ ସମଗ୍ର ରଣପୁର ବ୍ଲକର ୩୭ଟି ପଞ୍ଚାୟତ ସମେତ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳର ୩୦ହେକ୍ଟର ଚାଷ ଜମିରେ ଚାଷୀ ଧାନ ଫସଲ କରିଥିବା ଜଣାଯାଇଛି l କିନ୍ତୁ ଆଉ ମାସକ ପରେ ଚାଷୀ ଧାନ ଅମଳ କରି ଖଳାକୁ ନେବା ପୂର୍ବରୁ ପ୍ରଥମେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଧାନ ଫସଲ ବ୍ୟାପକ ପ୍ରଭାବିତ ହୋଇଥିଲା l

କିଛି ଦିନର ବ୍ୟବଧାନ ପରେ ଚାଷୀ ଅଣ୍ଟା ସଳଖୁ ଥିବା ବେଳେ ଏବେ ପ୍ରତ୍ୟହ ହାତୀ ଆଉ ବାରାହ ପାଚିଲା ଧାନ ଖାଇବା ସାଙ୍ଗକୁ ଦଳି ଚକଟି ନଷ୍ଟ କରି ପକାଉଛନ୍ତି l ସେହିପରି ଅନୁରୂପ ଭାବେ ପରିବା ଫସଲ ମଧ୍ୟ ଖାଇ ନଷ୍ଟ କରୁଛନ୍ତି l ତେବେ ବଜ୍ରକୋଟ, ବାଉଁଶଗଡ଼, ମହତପଲ୍ଲା, ମଝିଆଖଣ୍ଡ, ମୟୂରଝାଲିଆ, ଗଡ଼ବାଣୀକିଲୋ, ପଟିଆ, ବନ୍ଧମୁଣ୍ଡା, ଗୋପାଳପୁର, ଡମସାହି, ରଙ୍କଦେଉଳି, ଦର୍ପନାରାୟଣପୁର, ଖତିଆ, କେରେଣ୍ଡାଟାଙ୍ଗୀ, କନ୍ଧନୟାଗଡ଼, ଚମ୍ପାଗଡ଼, ନରସିଂହପୁର ଓ ଲୋଧାଚୁଆ ଆଦି ପଞ୍ଚାୟତରେ ଚାଷ ଜମି ବନ୍ୟଜନ୍ତୁଙ୍କ ଦ୍ୱାରା ମାତ୍ରାଧିକ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି l


ଏ ନେଇ ଚାଷୀ ପରିବାର ପ୍ରଶାସନକୁ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ହୋଇ ଥିବା ଅଭିଯୋଗ ହେଉଛି l ନିଜ କଷ୍ଟାର୍ଜିତ ଫସଲ ଅମଳ ପୂର୍ବରୁ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଥିବା ବେଳେ ପ୍ରଶାସନର ନୀରବତା ଚାଷୀ ପାଇଁ ଦାରୁଣ ଦୁଃଖ ଆଣି ଦେଇଛି l ତୁରନ୍ତ ଏହାର ପ୍ରତିକାର କରିବାକୁ ପ୍ରଶାସନକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l
