ଆମେରିକା: ଇରାନ ସହ ଯୁଦ୍ଧର ପ୍ରଭାବ ଏବେ ଆମେରିକାର ରାଜନୀତି ଉପରେ ପଡିଛି । ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପରାଜୟ ପଛରେ ଇରାନ ଯୁଦ୍ଧ ଏକ ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି । ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଇରାନ ଯୁଦ୍ଧ ଯୋଗୁଁ ଆମେରିକାରେ ପେଟ୍ରୋଲ ଦର ବୃଦ୍ଧି ପାଇଥିଲା । ଯାହା ସାଧାରଣ ଆମେରିକୀୟଙ୍କ ପକେଟ ଉପରେ ଆର୍ଥିକ ଚାପ ବଢ଼ାଇଥିଲା । ତେବେ ନିର୍ବାଚନୀ କ୍ଷତି ସତ୍ତ୍ୱେ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବାର ନିଷ୍ପତ୍ତିରୁ ଓହରିବାକୁ ପ୍ରସ୍ତୁତ ନୁହନ୍ତି ଟ୍ରମ୍ପ । ତାଙ୍କ କହିବା ଅନୁସାରେ, ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବା ଦୀର୍ଘକାଳୀନ ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଜରୁରୀ। ଯଦି ପୁଣି ଥରେ ସମାନ ପରିସ୍ଥିତି ଆସେ, ତେବେ ସେ ପୁଣି ସାମରିକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସ୍ପଷ୍ଟ କରିଛନ୍ତି ।
ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଆମେରିକାର ଘରୋଇ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ମୁଦ୍ରାସ୍ଫୀତି, ଦୈନନ୍ଦିନ ଖର୍ଚ୍ଚ ବୃଦ୍ଧି ଓ ପେଟ୍ରୋଲ ଦର ବୃଦ୍ଧି ଭୋଟରଙ୍କ ଅସନ୍ତୋଷର କାରଣ ହୋଇଥିବା କୁହାଯାଉଛି । ଏହାର ପ୍ରଭାବ ନିର୍ବାଚନ ଫଳାଫଳରେ ମଧ୍ୟ ପଡ଼ିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ଇରାନ ସହ ସାମରିକ ସଂଘର୍ଷର ପ୍ରଭାବ କେବଳ ଯୁଦ୍ଧକ୍ଷେତ୍ରରେ ସୀମିତ ରହିନଥିଲା । ଏହା ବିଶ୍ୱ ଶକ୍ତି ବଜାରକୁ ମଧ୍ୟ ପ୍ରଭାବିତ କରିଥିଲା । ବିଶେଷକରି ହର୍ମୁଜ୍ ପ୍ରଣାଳୀକୁ ନେଇ ବଢ଼ିଥିବା ଉତ୍ତେଜନା ଅନ୍ତର୍ଜାତୀୟ ତୈଳ ଯୋଗାଣ ଉପରେ ଚିନ୍ତା ବଢ଼ାଇଥିଲା । ବିଶ୍ୱର ବହୁ ପରିମାଣର ଅଶୋଧିତ ତୈଳ ଏହି ସମୁଦ୍ର ପଥ ଦେଇ ପରିବହନ ହୋଇଥାଏ । ଏଠାରେ ଯେକୌଣସି ବାଧା ଅନ୍ତର୍ଜାତୀୟ ତୈଳ ଦରକୁ ପ୍ରଭାବିତ କରିପାରେ । ତୈଳ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଆମେରିକାର ପେଟ୍ରୋଲ ମୂଲ୍ୟ ଉପରେ ପଡ଼ିଥିଲା। ଗାଡ଼ି ଚାଳକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଖର୍ଚ୍ଚ ବଢ଼ିଥିଲା । ପୂର୍ବରୁ ମୁଦ୍ରାସ୍ଫୀତି ଓ ମହଙ୍ଗା ଜୀବନଯାପନ ସହ ସଂଘର୍ଷ କରୁଥିବା ଆମେରିକୀୟ ପରିବାରଙ୍କ ପାଇଁ ଏହା ଆଉ ଏକ ଆର୍ଥିକ ବୋଝ ପାଲଟିଥିଲା ।
ଅନ୍ୟପଟେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ବିଜୟ ଟ୍ରମ୍ପ ପ୍ରଶାସନ ପାଇଁ ରାଜନୈତିକ ଚ୍ୟାଲେଞ୍ଜ ବଢ଼ାଇଛି । କଂଗ୍ରେସର ଉଭୟ ଗୃହରେ ଡେମୋକ୍ରାଟଙ୍କ ନିୟନ୍ତ୍ରଣ ରହିବା ଫଳରେ ସରକାରଙ୍କ ନୀତି ଓ ନିଷ୍ପତ୍ତି ଉପରେ ଅଧିକ ପ୍ରଶ୍ନ ଉଠିପାରେ । ତେବେ ଟ୍ରମ୍ପଙ୍କ ମତରେ, ନିର୍ବାଚନୀ କ୍ଷତି ଅପେକ୍ଷା ଇରାନକୁ ପରମାଣୁ ଅସ୍ତ୍ର ହାସଲରୁ ରୋକିବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଅର୍ଥାତ୍ ଯୁଦ୍ଧର ଆର୍ଥିକ ଓ ରାଜନୈତିକ ପ୍ରଭାବ ସ୍ୱୀକାର କରିଥିଲେ ମଧ୍ୟ ନିଜ ନିଷ୍ପତ୍ତିକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି ଆମେରିକା ରାଷ୍ଟ୍ରପତି ।
