ଭୁବନେଶ୍ବର: ଗଞ୍ଜାମ ବନ୍ୟାକୁ ନେଇ ସୁରେଶ ପୂଜାରୀଙ୍କ ଜବାବ । ପୂର୍ବ ସରକାରଙ୍କୁ ପାଲଟା ପ୍ରଶ୍ନ । ଗଞ୍ଜାମ ବନ୍ୟା ପରିଚାଳନାକୁ ନେଇ ଉଠୁଥିବା ଅଭିଯୋଗର ଜବାବ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ପରିସ୍ଥିତିର ସମୀକ୍ଷା ପରେ ସେ କହିଛନ୍ତି, ଗଣତନ୍ତ୍ରରେ ଅଭିଯୋଗ କରିବାର ଅଧିକାର ସମସ୍ତଙ୍କର ରହିଛି । ତେବେ ବାତ୍ୟା ଅର୍ଣ୍ଣବକୁ ନେଇ ମିଳିଥିବା ପୂର୍ବାନୁମାନ ଅନୁଯାୟୀ ସରକାର ଆବଶ୍ୟକ ପ୍ରସ୍ତୁତି କରିଥିଲେ ବୋଲି ସେ ସ୍ପଷ୍ଟ କରିଛନ୍ତି । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏଥର ଗଞ୍ଜାମ ଜିଲ୍ଲାରେ ଅସ୍ୱାଭାବିକ ଭାବେ ପ୍ରବଳ ବର୍ଷା ହୋଇଛି । ଏଭଳି ବର୍ଷା ପୂର୍ବରୁ ଜିଲ୍ଲାରେ କେବେ ହୋଇନଥିବା ସେ ଦାବି କରିଛନ୍ତି ।
ସରକାରୀ ତଥ୍ୟ ଉପସ୍ଥାପନ କରି ସୁରେଶ ପୂଜାରୀ କହିଛନ୍ତି, ଅକ୍ଟୋବର ୨୮ରେ ଗଞ୍ଜାମରେ ୮୩ ମିମି, ୨୯ରେ ୧୯୧ ମିମି ଏବଂ ପରବର୍ତ୍ତୀ ଦିନ ୬୩ ମିମି ବର୍ଷା ହୋଇଥିଲା । ତିନି ଦିନରେ ମୋଟ ୩୩୭.୬ ମିମି ବର୍ଷା ରେକର୍ଡ କରାଯାଇଥିବା ସେ ସୂଚନା ଦେଇଛନ୍ତି । ବିଶେଷ କରି ଗଞ୍ଜାମର ପାତ୍ରପୁରରେ ସର୍ବାଧିକ ୮୦୪.୮ ମିମି ବର୍ଷା ରେକର୍ଡ ହୋଇଥିବା ମନ୍ତ୍ରୀ କହିଛନ୍ତି । ଏହା ଓଡ଼ିଶା ଇତିହାସର ଚତୁର୍ଥ ସର୍ବାଧିକ ବର୍ଷା ରେକର୍ଡ ବୋଲି ସେ ଦାବି କରିଛନ୍ତି । ଅନ୍ୟପଟେ ବନ୍ୟା ପରିଚାଳନାକୁ ନେଇ ପୂର୍ବ ସରକାରଙ୍କୁ ମଧ୍ୟ ପାଲଟା ପ୍ରଶ୍ନ କରିଛନ୍ତି ସୁରେଶ ପୂଜାରୀ ।
ଭଞ୍ଜନଗର ଅଞ୍ଚଳରେ ଥିବା ଜଳଭଣ୍ଡାରରେ ୬ଟି ଗେଟ୍ ଥିବାବେଳେ ସୋରଡ଼ାରେ କୌଣସି ଗେଟ୍ ନଥିବା ସେ କହିଛନ୍ତି । ଗତ ୨୪ ବର୍ଷର ଶାସନକାଳ ମଧ୍ୟରେ ପୂର୍ବ ସରକାର ଏହି ସମସ୍ୟା ପ୍ରତି କାହିଁକି ଧ୍ୟାନ ଦେଇନଥିଲେ ବୋଲି ମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି । ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମର ଆସିକା, ସୋରଡ଼ା ଓ ଭଞ୍ଜନଗର ସମେତ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନେକ ସ୍ଥାନରେ ଘରେ ପାଣି ପଶିବା ସହ ରାସ୍ତାଘାଟ ଜଳମଗ୍ନ ହୋଇଥିଲା । ଏହାପରେ ବନ୍ୟାର କାରଣ, ଜଳଭଣ୍ଡାର ପରିଚାଳନା ଓ ସରକାରୀ ପ୍ରସ୍ତୁତିକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ରାଜନୈତିକ ଆଲୋଚନାକୁ ନୂଆ ମୋଡ଼ ଦେଇଛି ।
