ରଣପୁର (ଭିଓଭି) : ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଗୁଣ୍ଡିଚା ରଥଯାତ୍ରାରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ମାଦଳା ପାଞି ଓ କିମ୍ବଦନ୍ତି ଅନୁଯାଇ ପୁରୀର ଷୋଳ କଳାରୁ ରଣପୁରରେ ଗୋଟିଏ କଳା ରହିଛି । ପୁରୀରେ ଠାକୁରଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ରଣପୁରରେ ଠାକୁରଙ୍କୁ ଦର୍ଶନକଲେ ସେହି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ଏଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତ ସମାଗମ ହୋଇଥିଲା । ଶ୍ରୀ ଗୁଣ୍ଡିଚାରେ ଗୋଟିଏ ଦିନରେ ନବଯୌବନ ଦର୍ଶନ ପଡିଥିଲା । ସେଥିପାଇଁ ରଥ ରେ ନେତ ଲାଗିବା ବକି ରହିଥିଲା । ଆଜି ସକାଳୁ ଶ୍ରୀ ଜୀଉଙ୍କର ନେତ୍ର ଉତ୍ସବ ପରେ ଶହ ଶହ ଭକ୍ତ ନବଯୌବନ ଦର୍ଶନ କରିଥିଲେ । ପରେ ୩ ରଥରେ ନେତ ବନ୍ଧା ଯାଇଥିଲା । ଏହା ପରେ ଶ୍ରୀ ଜୀଉଙ୍କୁ ଛେନାପଟା କରାଯାଇଥିଲା । ଆଜି ସକାଳୁ ରଣପୁରରେ ପାଗ ଖରା ସାଙ୍ଗକୁ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୁତି ହୋଇଥିଲା । କିନ୍ତୁ ମଧ୍ୟାହ୍ନରେ ବର୍ଷା ଲାଗି ରହିଥିଲା । ଯାହା ଫଳରେ ଠାକୁରଙ୍କର ନୀତି ବିଳମ୍ବିତ ହୋଇଥିଲା । ନୟାଗଡ ଜିଲ୍ଲା ପୂର୍ବତନ ଖାଉଟି ଫୋରମ ଅଧ୍ୟକ୍ଷ ନାରାୟଣ ମହାପାତ୍ର ତିନି ରଥର ପ୍ରତିଷ୍ଠା କରିଥିଲେ । ପୁରୀ ମନ୍ଦିରକୁ ଶ୍ରୀ ଜୀଉଙ୍କ ପାଇଁ ବିଭିନ୍ନ ଜିନିଷ ରାଘବଦାସ ମଠ ଯୋଗାଉ ଥିବା ବେଳେ ଶହ ଶହ ବର୍ଷର ପରମ୍ପରା ଅନୁଯାୟୀ ଆଜି ରାଘବଦାସ ମଠ ତରଫରୁ ତିନି ବୋଝ ଭୋଗ ରଣପୁର ଜଗନ୍ନାଥ ମନ୍ଦିରକୁ ଆସିଥିଲା । ଅପରାହ୍ଣରେ ରଣପୁର ବଡଦାଣ୍ଡ ଭକ୍ତମୟ ହୋଇଯାଇଥିଲା । ଘଂଟ, ଘଂଟା , ମାଦଳ, ଢୋଲ ଓ ହରିବୋଲ ହୁଳହୁଳିରେ ଓ ପାରମ୍ପାରିକ ଓଡିଶୀ ନୃତ୍ୟ ରେ ଜଗନ୍ନାଥ ମନ୍ଦିର ପରିସର ଭକ୍ତମୟ ହୋଇ ଯାଇଥିଲା । ଅପରାହ୍ନ ୩.୧୫ ରେ ପ୍ରଥମେ ଘରବାହୁ ଠାକୁରଙ୍କୁ ପହଣ୍ଡି କରାଯାଇଥିଲା । ପରେ ସୁଦର୍ଶନଙ୍କୁ ରଥାରୁଢ କରାଯାଇଥିଲା । କିନ୍ତୁ ମଧ୍ୟହ୍ନ ରେ ବର୍ଷା ହୋଇଥିଲେ ମଧ୍ୟ ଠାକୁର ପହଣ୍ଡି ବେଳକୁ ଖରା ହୋଇଥିଲା । ପ୍ରବଳ ଗୁଳୁମୁଳି ହେଉଥିଲେ ମଧ୍ୟ ସେଥିପ୍ରତି ଖାତିରି ନ କରି ହଜାର ହଜାର ଭକ୍ତ ମନ୍ଦିର ସମ୍ମୁଖରେ ଶ୍ରୀ ଜୀଉଙ୍କ ପହଣ୍ଡି ଦେଖିବାପାଇଁ ରୁଣ୍ଡ ହୋଇଥିଲେ । ଅପରାହନ୍ନ ୩.୪୫ ରେ ରେ ତିନି ଠାକୁରଙ୍କୁ ଧାଡି ପହଂଡି କରା ଯାଇଥିଲା । ଶ୍ରୀ ଜୀଉଙ୍କ ପହଣ୍ଡି ବେଳେ ମହିଳା ଓ ପୁରୁଷଙ୍କ ହୁଳହୁଳି ଓ ହରିବୋଲରେ ଏକ ଭକ୍ତିମୟ ପରିବେଷ ସୃଷ୍ଟି ହୋଇଥିଲା । ଠାକୁର ପହଣ୍ଡି ବେଳେ ଓଡିଶୀ ନୃତ୍ୟ ଭକ୍ତମାନଙ୍କୁ ବେଶ ଆକର୍ଷିତ କରିଥିଲା । ଅପରାହ୍ନ ୫ ଟାରେ ତିନି ଠାକୁରଙ୍କୁ ରଥାରୁଢ କରାଯାଇଥିଲା । ସନ୍ଧ୍ୟା ୬ ଟାରେ ରଣପୁର ରାଜା ଦିଲିପ ଚନ୍ଦ୍ର ସିଂହଦେଓ ରାଜପୁରହିତଙ୍କ ସହ ଏକ ସୁସଜ୍ଜିତ ବିମାନରେ ଆସି ରୂପା ଖଡିକାରେ ତିନି ରଥରେ ଛେରା ପହଁରା କରିଥିଲେ । କିନ୍ତୁ ଛେରା ପହଁରା ଚାଲିଥିବା ବେଳେ ତିନି ରଥରେ ଲୋକମାନେ ମନ ଇଛା ଚଢୁଥିବା ଦେଖିବାକୁ ମିଳିଥିଲା । କିଛି କାର୍ଯ୍ୟ ବିଳମ୍ବ ହେବାରୁ ରଥ ଟଣା ହୋଇ ପାରି ନ ଥିଲା । ରଣପୁର ରଥଯାତ୍ରାରେ ପ୍ରତିବର୍ଷ ଗୁଣ୍ଡିଚାରେ ବଳଭଦ୍ରଙ୍କ ରଥ ଟଣା ହୋଇଥାଏ, କିନ୍ତୁ ଚଳିତ ବର୍ଷ ଶ୍ରୀ ଗୁଣ୍ଡିଚାରେ ରଥ ଟଣା ନ ହୋଇ ତିନି ରଥ ଜଗନ୍ନାଥ ମନ୍ଦିର ନିକଟ ରଥ ପଡିଆରେ ଅଟକି ରହିଛି । ଯାହା ଫଳରେ ଶହ ଶହ ବର୍ଷର ପରମ୍ପରା ଭଙ୍ଗ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ଏବଂ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଆଜି ସ୍ଥାନୀୟ ଦୁର୍ଗା ମଣ୍ଡପ ଉପରେ ନାରାୟଣ ମହାପାତ୍ର , ସୁଦର୍ଶନ ବେହେରା, ଡଃ ପ୍ରଶାନ୍ତ ମିଶ୍ର , ବିରଂଚି ତ୍ରିପାଠି, ଡଃ କଳ୍ପନା ରଥ, ବାଳକୃଷ୍ଣ ମିଶ୍ର, କିଶୋର ଭଞ୍ଜ, ପ୍ରଭାସ ରଞ୍ଜନ ମହାପାତ୍ର ଗୁଣ୍ଡିଚା ଯାତ୍ରାର ଧାରା ବିବରଣୀ ବର୍ଣ୍ଣନା କରିଥିଲେ । ରଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଭକ୍ତମାନଙ୍କୁ ଦହି ପଣା ବଂଟନ କରାଯାଇଥିଲା ।

