• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ରାଜ୍ୟପାଳଙ୍କ ଅଭିଭାଷଣ ସଂପର୍କିତ ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ

by Voice of Victims
July 24, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ରାଜ୍ୟପାଳଙ୍କ ଅଭିଭାଷଣ ସଂପର୍କିତ ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ

ଭୁବନେଶ୍ଵର: ଓଡିଶା ରାଜ୍ୟ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଅବସରରେ ଏହି ପବିତ୍ର ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣକୁ ମୁଁ ସ୍ୱାଗତ କରୁଛି। ଓଡିଶାର ସାଢେ ୪ କୋଟି ଜନସାଧାରଣଙ୍କ ଆଶା, ଆକାଂକ୍ଷା ଓ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ନୂଆ ସରକାର ଗଠିତ ହୋଇଛି। ଆମର ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ସୁନ୍ଦର ପ୍ରତିଫଳନ ହେଉଛି ଆମ ସରକାର। ଓଡିଆ ଅସ୍ମିତା, ବିକାଶ ଓ ସୁଶାସନର ପ୍ରତିଷ୍ଠା ଦିଗରେ ଆମର ନୂଆ ସରକାର ପ୍ରତିବଦ୍ଧତାର ସହ ଉଦ୍ୟମ ଆରମ୍ଭ କରିଛି। ଓଡିଆ ଅସ୍ମିତା ହେଉଛି ଆମର ଆତ୍ମା। ଆମର ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରସାର ମାଧ୍ୟମରେ ଓଡିଆ ଅସ୍ମିତାକୁ ସୁରକ୍ଷିତ କରିବାର ଲକ୍ଷ୍ୟ ହେଉଛି ଆମର ପ୍ରଥମ କର୍ତ୍ତବ୍ୟ। ଅସ୍ମିତା ବିହିନ ବିକାଶ ସ୍ୱାଦହୀନ ଖାଦ୍ୟ ପରି ନୈରାଶ୍ୟଜନକ। ତେଣୁ ବିକାଶ ସହିତ ଅସ୍ମିତାକୁ ପ୍ରାଥମିକତା ଦେଇ ନୂଆ ସରକାର ଗଠନର ପ୍ରଥମ ଦିନରୁ ହିଁ ଆମେ ପଦକ୍ଷେପ ନେବା ଆରମ୍ଭ କରିଛୁ। ଓଡିଆ ଅସ୍ମିତାର ସୁରକ୍ଷା ଓ ପ୍ରସାର ପାଇଁ ଆମ ସରକାର ୨୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରିବା ସହିତ ଓଡିଆ ଅସ୍ମିତା ଭବନ ମଧ୍ୟ ପ୍ରତିଷ୍ଠା କରିବ। ଏହା ସହିତ ଓଡିଆ ଅନୁବାଦ ଏକାଡେମୀ, ତାଳପତ୍ର ପାଣ୍ଡୁଲିପି ସଂଗ୍ରହାଳୟ, ପାଇକ ବିଦ୍ରୋହ ସ୍ମାରକୀର ବିକାଶ ଆଦି ପଦକ୍ଷେପ ନିଆଯିବ। ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ଓଡିଆ ଚେୟାର ପ୍ରତିଷ୍ଠା କରାଯିବ। ୨୦୩୬ ମସିହାରେ ଆମ ରାଜ୍ୟରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳିତ ହେବ। ଏଥିପାଇଁ ମାତ୍ର ଆଉ ୧୨ ବର୍ଷ ସମୟ ରହିଲା। ଗତ ୨୪ ବର୍ଷ ଥିଲା ଏକ ବିରାଟ କାଳଖଣ୍ଡ, ଏକ ଦୀର୍ଘ ସମୟ। ଓଡିଶାର ସାମାଜିକ ଓ ଆର୍ଥିକ ସ୍ଥିତି ଉପରେ ଯଦି ପୂର୍ବ ସରକାର ଗୁରୁତ୍ବ ଦେଇଥାନ୍ତେ, ତାହେଲେ ଆଜି ଆମ ପାଖରେ ଅନେକ ଅସମାହିତ ପ୍ରଶ୍ନ ନ ଥାନ୍ତା। ସେତେବେଳେ ଆମେ ବିରୋଧୀ ଦଳରେ ଥିଲୁ, ଆମେ ପ୍ରଶ୍ନ କରୁଥିଲୁ। ଆଉ ସରକାରୀ ଦଳର ସଦସ୍ୟ ମାନେ ଅହଂକାର ଦେଖାଉଥିଲେ। ଆଜି ପରିସ୍ଥିତି ବଦଳି ଯାଇଛି । ଭଗବାନ ସବୁ ସହନ୍ତି। କିନ୍ତୁ ଗର୍ବ ଓ ଅହଂକାର ସହନ୍ତି ନାହିଁ। ୨୦୩୬କୁ ଓଡିଶା ଇତିହାସର ଏକ ଉଜ୍ଜ୍ୱଳମୟ ସମୟ କରିବା   ପାଇଁ ଆମ ସରକାର ପ୍ରତିବଦ୍ଧ। ଏହି ଲକ୍ଷ୍ୟ ପୂରଣ ଦିଗରେ ଆଗାମୀ ୫ ବର୍ଷ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହି ୫ ବର୍ଷରେ ହିଁ ୨୦୩୬ ପାଇଁ ଆମର ବିକଶିତ ଓଡିଶାର ସ୍ୱପ୍ନ ପୂରଣର ମୂଳଦୁଆ ପ୍ରତିଷ୍ଠା ହେବ। ୨୦୪୭ର ବିକଶିତ ଭାରତର ପରିପ୍ରେକ୍ଷୀରେ ଆମେ ଓଡିଶାକୁ ଏକ ନମ୍ବର କରିବାର ଲକ୍ଷ୍ୟ ନେଇ ଦୃଢତାର ସହ ଉଦ୍ୟମ କରିବୁ। ଏଥିପାଇଁ ଏହି ୫ ବର୍ଷ ସମୟର ପ୍ରତ୍ୟେକ ମୁହୁର୍ତ୍ତକୁ ଆମେ ଓଡିଶାର ବିକାଶ ଓ ଅସ୍ମିତାର ପ୍ରତିଷ୍ଠା ଦିଗରେ ବିନିଯୋଗ କରିବୁ। ଦୃଢ ଲକ୍ଷ୍ୟ ଓ ନିରନ୍ତର ଉଦ୍ୟମରେ ଆମେ ସାଢେ ଚାରି କୋଟି ଓଡିଶାବାସୀଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ ନିଶ୍ଚୟ ସଫଳ ହେବୁ। ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ଦିଗରେ ଆମର ନିଷ୍ଠା ଓ ପ୍ରତିବଦ୍ଧତା ଉଲ୍ଲେଖନୀୟ। ସରକାର ଗଠନର ପ୍ରଥମ ଦିନରେ ହିଁ ଆମେ ଓଡିଶାର ଜନସାଧାରଣଙ୍କୁ ଦେଇଥିବା ୪ଟି ମୁଖ୍ୟ ପ୍ରତିଶ୍ରୁତି ପାଳନ କରିଛୁ। ଶପଥ ଗ୍ରହଣର ସଂଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଆମେ ଏହି ପ୍ରତିଶ୍ରୁତିଗୁଡିକୁ ଗ୍ରହଣ କରି ପଦକ୍ଷେପ ନେବା ଆରମ୍ଭ କରିଛୁ। ଏଗୁଡିକ ହେଲା- ପୁରୀ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା, ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା କରିବା ଏବଂ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବା। ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡିଆ ଜାତିର ପ୍ରଥମ ପରିଚୟ। ମହାପ୍ରଭୁଙ୍କୁ ନେଇ ଓଡିଶାର ଜନସାଧାରଣଙ୍କ ଭାବାବେଗ ସର୍ବଜନ ବିଦିତ। ସେ ଭାବାବେଗରେ ଲାଗିଥିବା ଆଘାତକୁ ଦୂର କରିବା ପାଇଁ ଆମ ସରକାର ଶପଥ ଗ୍ରହଣ ଦିନର ସଂଧ୍ୟାରେ କ୍ୟାବିନେଟ ନିଷ୍ପତ୍ତି ନେଇ ତା ପର ଦିନ ମଙ୍ଗଳ ଆଳତି ସମୟରେ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ଉପସ୍ଥିତିରେ   ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିଥିଲେ। ଲୋକଙ୍କ ଭାବାବେଗକୁ ସମ୍ମାନ ଦେବାରେ ଆମ ସରକାରର ପଦକ୍ଷେପ ଅଦ୍ୱିତୀୟ। ଆମ ସରକାର ହେଉଛି ଗଣତାନ୍ତ୍ରିକ ଉପାୟରେ ପ୍ରତିଷ୍ଠିତ ଏକ ଲୋକାଭିମୁଖୀ ସରକାର। ଏକ ପ୍ରକୃତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନସାଧାରଣଙ୍କ ଆଶା ଆକାଂକ୍ଷା ପ୍ରତିଫଳିତ ହୋଇଥାଏ। ଲୋକଙ୍କ ଉପରେ ବିକାଶ ଲଦି ଦିଆଯାଏ ନାହିଁ। ଆମ ସରକାର ପ୍ରଥମ ଦିନରୁ ହିଁ ସାଧାରଣ ଲୋକଙ୍କ ସହିତ ଖୋଲା ମନରେ ମିଶି ସେମାନଙ୍କ ସୁଖଦୁଃଖ ଶୁଣିବା ସହିତ ସେମାନଙ୍କ ସୁବିଧା ଅସୁବିଧା ଦୂର କରିବା ଦିଗରେ ପ୍ରଚେଷ୍ଟା କରୁଛି। ଆମର ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ନିୟମିତ କରାଯାଇ ମୁଁ ଓ ମୋର ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରୁଛୁ। ଆମର ବଜେଟ୍ ପ୍ରକ୍ରିୟା ପାଇଁ ମଧ୍ୟ ହଜାର ହଜାର ଲୋକ, ଅର୍ଥନୈତିକ ବିଶେଷଜ୍ଞ, ବୁଦ୍ଧିଜୀବୀ ଓ  ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କ ମତାମତ ଗ୍ରହଣ କରାଯାଇଛି। ଅନ୍‌ ଲାଇନ ଜରିଆରେ ୧୨ ହଜାରରୁ ଅଧିକ ଲୋକ ବଜେଟ ଉପରେ ତାଙ୍କର ମତାମତ ଦେଇଥିଲେ। ଯାହାକି ପୂର୍ବ ବର୍ଷର ମତାମତ ତୁଳନାରେ ୬ ଗୁଣ । ଏହାକୁ ଲୋକଙ୍କ ବଜେଟ କରିବା ପାଇଁ ଆମର ପ୍ରୟାସ ସଫଳ ହେଉଛି। ଆମର ପ୍ରତ୍ୟେକ ଉଦ୍ୟମରେ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ୱ ଦେବାର ପ୍ରକ୍ରିୟା ଜାରି ରହିବ। ଏହା ଦ୍ୱାରା ଆମ ଗଣତନ୍ତ୍ର ଆହୁରି ସୁଦୃଢ ହେବ ବୋଲି ମୋର ବିଶ୍ୱାସ। ରାଜ୍ୟର ସବୁ ବର୍ଗର ଜନସାଧାରଣଙ୍କ ଉନ୍ନତି ଆମର ଲକ୍ଷ୍ୟ। ବିଶେଷ କରି ଆମର ଅନ୍ନଦାତା, ଆମର କୃଷକ ଭାଇଭଉଣୀମାନଙ୍କ ବିକାଶ ଓ ଆର୍ଥିକ ଉନ୍ନତି ଆମର ପ୍ରାଥମିକତା। ସେମାନଙ୍କ ବିକାଶ ପାଇଁ ଆମେ ‘ସମୃଦ୍ଧ କୃଷକ ନୀତି’ ପ୍ରଚଳନ କରିବା ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛୁ। ଏହି ଟଙ୍କା ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ। ପୂର୍ବ ସରକାର ୧୦୦ ଟଙ୍କା ବୋନସ୍‌ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ କରିପାରିଲେ ନାହିଁ। କିନ୍ତୁ ଆଜି ଆମେ ୮୦୦ ଟଙ୍କା ଅଧିକ ଦେଇପାରୁଛୁ। ମଣ୍ଡି ଗୁଡିକରେ ସ୍ବଚ୍ଛତାର ସହ ଧାନ କିଣା ପ୍ରକ୍ରିୟା ଉପଲବ୍‌ଧ କରାଇବା ପାଇଁ ବିଭିନ୍ନ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରାଯିବା ସହିତ ପ୍ରକ୍ରିୟାକୁ ସରଳ କରାଯିବ। କୃଷି କ୍ଷେତ୍ରର ବିକାଶ ପାଇଁ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ ସହିତ ମାର୍କେଟ ବ୍ୟବସ୍ଥାର ସୁଦୃଢିକରଣ କରାଯିବ। ମହିଳାମାନେ ଆମ ଲୋକ ସଂଖ୍ୟାର ୫୦ ପ୍ରତିଶତ। ସେମାନଙ୍କ ଉନ୍ନତି ବିନା ରାଜ୍ୟର ଉନ୍ନତି ଚିନ୍ତା କରିବା ଅସମ୍ଭବ। ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ। ସେପ୍ଟେମ୍ବର ୧୭ ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପୂଣ୍ୟ ଜନ୍ମତିଥିରେ ତାଙ୍କ ଗରିମାମୟ ଉପସ୍ଥିତିରେ ଏହି ଯୋଜନା କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ରଖା ଯାଇଛି। ଏହା ଦ୍ୱାରା ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା, ସଶକ୍ତିକରଣ ଓ ନିଜସ୍ୱ ଉଦ୍ୟମରେ ସ୍ୱପ୍ନ ସାକାର କରିବାର ଲକ୍ଷ୍ୟ ପୂରଣ ହୋଇପାରିବ। ଏହା ଆମର ନାରୀଶକ୍ତିକୁ ଉଜାଗର କରିବା ସହିତ ସେମାନଙ୍କ ମଧ୍ୟରେ ନୂଆ ଉର୍ଜା ସଞ୍ଚାର କରିବ। ଏହା ସହିତ ସ୍ୱୟଂସହାୟକ ଗୋଷ୍ଠୀ ଜରିଆରେ ରାଜ୍ୟରେ ଆଗାମୀ ୩ ବର୍ଷରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ମଧ୍ୟ ରଖାଯାଇଛି। ପୂର୍ବ ସରକାର ମହିଳା ମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଅନେକ କଥା କହୁଥିଲେ। କିନ୍ତୁ ବାସ୍ତବରେ ତାହା ପାଣିର ଗାର ଥିଲା। ଶିକ୍ଷା ହେଉଛି ବିକାଶର ମୂଳମନ୍ତ୍ର। ବର୍ତ୍ତମାନ ସମୟର ଆବଶ୍ୟକତାକୁ ଅନୁଭବ କରି ରାଜ୍ୟ ସରକାର ଓଡିଶାରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ଢାଞ୍ଚାରେ ଏକ ରାଜ୍ୟସ୍ତରୀୟ ଶିକ୍ଷାନୀତି ପ୍ରଣୟନ କରିବେ। ଉଚ୍ଚ ଶିକ୍ଷା ବିଶେଷକରି ଆଇନ, ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡିଆ ଭାଷାରେ ଉପଲବ୍ଧ କରାଇବା ଏହାର ଏକ ଲକ୍ଷ୍ୟ। ଏହା ସହିତ ବିଦ୍ୟାଳୟଗୁଡିକରେ କାଉନ୍‌ସେଲିଂ ସେଣ୍ଟର ପ୍ରତିଷ୍ଠା, ୨୦୩୦ ସୁଦ୍ଧା ସମସ୍ତ ଅଙ୍ଗନବାଡିକୁ ‘ସକ୍ଷମ ଅଙ୍ଗନବାଡି’ରେ ପରିଣତ କରିବା ଏବଂ ଶିକ୍ଷାର ବିକାଶ ପାଇଁ ଶିକ୍ଷକମାନଙ୍କ ପ୍ରଶିକ୍ଷଣରେ ଉନ୍ନତି ଆଣିବାର ବ୍ୟବସ୍ଥା କରାଯିବ। ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ପାଇଁ  ସରକାରୀ ବିଦ୍ୟାଳୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ସୃଷ୍ଟି କରାଯିବ। ରାଜ୍ୟରେ ୮୦୦ଟି ସରକାରୀ ବିଦ୍ୟାଳୟକୁ ପି.ଏମ୍.ଶ୍ରୀ ବିଦ୍ୟାଳୟ ଭାବେ ବିକଶିତ କରାଯିବ। ଏହା ସହିତ ଯୁବବର୍ଗଙ୍କୁ ନିଯୁକ୍ତିଯୋଗ୍ୟ କରିବା ପାଇଁ ଆଧୁନିକ ଶିଳ୍ପର ଚାହିଦାକୁ ଦେଖି ଦକ୍ଷତାର ବିକାଶ କରାଯିବ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବିକେନ୍ଦ୍ରୀକରଣ କରାଯିବ। ସରକାରୀ କ୍ଷେତ୍ରରେ ଖାଲିଥିବା ପଦବୀଗୁଡିକ ପୂରଣ ଉପରେ ପ୍ରାଥମିକତା ଦିଆଯାଇ ୧.୫୦ ଲକ୍ଷ ସରକାରୀ ପଦବୀ ପୂରଣ କରାଯିବ। ଆସନ୍ତା ୨ ବର୍ଷ ମଧ୍ୟରେ ଆମ ସରକାର ୬୫ ହଜାର ସରକାରୀ ପଦବୀ ପୂରଣ କରିବେ। ଯୁବଶକ୍ତିର ସ୍ପର୍ଦ୍ଧା, ପରାକାଷ୍ଠା ଓ ମିଳିତ ଉଦ୍ୟମର ପ୍ରଦର୍ଶନ କ୍ଷେତ୍ରରେ କ୍ରୀଡା ଏକ ପ୍ରମୁଖ ମାଧ୍ୟମ। ଓଡିଶାର କ୍ରୀଡା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱସ୍ତରୀୟ କ୍ରୀଡାବିତ ସୃଷ୍ଟି କରିବା ପାଇଁ ଆମ ସରକାର କାର୍ଯ୍ୟକ୍ରମ ହାତକୁ ନେବେ। ଏଥିରେ ଗ୍ରାମାଞ୍ଚଳରେ କ୍ରୀଡା ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ଓଡିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆମ ସରକାର ରାଜ୍ୟରେ ‘ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ କାର୍ଯ୍ୟକାରୀ କରିବେ। ଡାକ୍ତର ଅଭାବ ପୂରଣ ପାଇଁ ରାଜ୍ୟରେ ୩୦୦୦ ନୂଆ ଡାକ୍ତର ନିଯୁକ୍ତି ଦିଆଯିବ। ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ଆରୋଗ୍ୟ ମନ୍ଦିରରେ ପରିଣତ କରାଯିବ। ସ୍ୱାସ୍ଥ୍ୟସେବାର ସବୁ ସ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯିବ। ଗତକାଲି କେନ୍ଦ୍ର ସରକାର ଏକ ବିକାଶ ଅଭିମୁଖୀ, ଦୂରଦୃଷ୍ଟି ସମ୍ପନ୍ନ ବଜେଟ ଉପସ୍ଥାପନ କରିଛନ୍ତି। ସେଥିରେ ଗରିବ, ମହିଳା, ଯୁବବର୍ଗ ଓ ଅନ୍ନଦାତା ବା କୃଷକ ସମାଜକୁ ପ୍ରାଧାନ୍ୟ ଦିଆଯାଇଛି। ଆବାସ ଯୋଜନାରେ ଓଡିଶାକୁ ଗ୍ରାମାଞ୍ଚଳ ପାଇଁ ୧୦ ଲକ୍ଷ ଓ ସହରାଞ୍ଚଳ ପାଇଁ ୫ ଲକ୍ଷ ଆବାସର ବ୍ୟବସ୍ଥା କରାଯାଇଛି। ଏଥିରେ ଓଡିଶାକୁ ୧୯,୫୦୦ କୋଟି ଟଙ୍କା ମିଳିବ। ପୂର୍ବୋଦୟ ବିକାଶ ଯୋଜନାରେ ଓଡିଶାକୁ ଗୁରୁତ୍ବ ଦିଆଯାଇଛି। ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ର ଯୋଜନା ଗୁଡିକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ କୁଣ୍ଠାବୋଧ କରୁଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ସମର୍ଥନ ଦେଇ ଓଡିଶାର ଲୋକ ଡବଲ ଇଞ୍ଜିନ ସରକାର ଗଠନ କରିଛନ୍ତି । ବର୍ତ୍ତମାନ ଓଡିଶାର ଡବଲ ଇଞ୍ଜିନ ସରକାର ଓଡିଶାର ଆର୍ଥିକ ପ୍ରଗତୀକୁ ଦ୍ରୁତ ଗତିରେ ତ୍ବରାନ୍ବିତ କରିବେ। ସେହିପରି ରେଳ ବଜେଟରେ ମଧ୍ୟ ୨୦୧୪ ମସିହା ପୂର୍ବରୁ ଓଡିଶାକୁ ମାତ୍ର ୮୩୮ କୋଟି ଟଙ୍କା ମିଳୁଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ଆମକୁ ୧୦,୫୨୬ କୋଟି ଟଙ୍କା ମିଳିଛି। ଏହା ପୂର୍ବ ଅପେକ୍ଷା ୧୨.୫ ଗୁଣ ଅଧିକ। ଓଡିଶାରେ ରେଳ କ୍ଷେତ୍ରରେ ଶତ ପ୍ରତିଶତ ବିଦ୍ୟୁତିକରଣ କରାଯାଇଛି। ଏ ବର୍ଷ ମଧ୍ୟ ୫୯ଟି ଷ୍ଟେସନକୁ ଅମୃତ ଷ୍ଟେସନ ଭାବରେ ବିକଶିତ କରାଯିବାର ନିଷ୍ପତ୍ତି ନିଆଯାଇଛି। ଓଡିଶାର ସବୁ ବର୍ଗର ଲୋକଙ୍କ ବିକାଶ ଏବଂ ସବୁ ଅଞ୍ଚଳ ମଧ୍ୟରେ ଆର୍ଥିକ ସମାନତା ଆଣିବା ପାଇଁ ଆମ ସରକାର ଉଦ୍ୟମ ଜାରି ରଖିବ। ଲୋକଙ୍କ ସହଯୋଗରେ ଲୋକଙ୍କ ସରକାର ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ସମ୍ପୂର୍ଣ୍ଣ ଭାବେ ସଫଳ ହେବ। ରାଜ୍ୟପାଳ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡିଶା ପାଇଁ ଆମକୁ ଆହ୍ବାନ ଦେଇଛନ୍ତି। ଆମେ ସେହି ଆହ୍ବାନକୁ ଗ୍ରହଣ କରି କଠିନ ପରିଶ୍ରମ କରି ଆମର ପୂର୍ବ ଗୌରବକୁ ଫେରାଇ ଆଣିବୁ ଏବଂ ୨୦୩୬ରେ ଏକ ବିକଶିତ ଓଡିଶା ଗଠନ କରିବୁ।

Post Views: 53
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In