୨୬-୧୧-୨୦୨୩ (ଭିଓଭି ନ୍ୟୁଜ): ରାଜଧାନୀ ଭୁବନେଶ୍ଵର ବାସୀଙ୍କ ଧର୍ମୀୟ ଭାବନା ଓ ଆବେଗର ଏକ ଫେଣ୍ଟାଫେଣ୍ଟି ମିଶ୍ରଣ ପବିତ୍ର ବିନ୍ଦୁସାଗର ପୁଷ୍କରିଣୀ। ଏହା ସହିତ ବହୁତ ଦିନରୁ ଜଡିତ ବିଭିନ୍ନ ଉତ୍ସବ ରେ ପବିତ୍ରତା ଭରିବାର ଏକ ପ୍ରଚଳିତ ପରମ୍ପରା। ଆସନ୍ତା କାଲି ପବିତ୍ର ରାସ ପୂର୍ଣ୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମା ରେ ଏଠାକୁ ଅସଂଖ୍ୟ ଭକ୍ତମାନେ ଛୁଟି ଆସିବେ। ଧର୍ମମାସ କାର୍ତ୍ତିକ ଶେଷରେ ଧର୍ମଡଙ୍ଗା କୁ ପବିତ୍ର ବିନ୍ଦୁ ସାଗର ରେ ଭସାଇବା ନିମନ୍ତେ ଏଠାରେ ଭରପୁର ଜନ ସମାଗମ ହେବ।
ଡଙ୍ଗାଭସା ର ପୂର୍ବ ପ୍ରସ୍ତୁତି ପରଖିବା ନିମନ୍ତେ ସକାଳୁ ଆମ ଟିମ୍ ପହଞ୍ଚିଥିଲା ବିନ୍ଦୁସାଗର କୂଳରେ।ପ୍ରଶାସନ ର ପୂର୍ବ ପ୍ରସ୍ତୁତି ବି ଥିଲା ଚାମତ୍କାର। ଦଳ ସଫା ଓ ଘାଟ ସଫା କରିବାକୁ ସଫେଇ କର୍ମଚାରୀ ମାନେ ନିଷ୍ଠାର ସହିତ ଲାଗୁଥାନ୍ତି।
କିଛି କିଛି ଭକ୍ତ ଆଜି ନିଜର ଡଙ୍ଗା ବି ଭସାଇଛନ୍ତି। କିନ୍ତୁ ଦୁଃଖର ବିଷୟ ଏଇଆ ଯେ ପବିତ୍ର ବିନ୍ଦୁସାଗର କାହା ପାଇଁ ଧର୍ମୀୟ ସଂସ୍କୃତି ସହ ଜଡ଼ିତ ପବିତ୍ର ପୁଷ୍କରିଣୀ ତ କାହା ପାଇଁ ମଦ ଆଡ୍ଡା। ଆଜି ଯୁବ ପୀଢ଼ି ନିଶାଗ୍ରସ୍ତ ହୋଇ ସଂସ୍କୃତି, ପରମ୍ପରା ସବୁ ଭୁଲି ସାରିଲେଣି। ଅନେକ ଫଟୋ ଥିବା ସତ୍ଵେ କେବଳ ଉଦାହରଣ ପାଇଁ ସଂଲଗ୍ନ ଫଟୋକୁ ଛାଡି ଅନ୍ୟଗୁଡିକ ଏହି ଖବର ସହ ପୋଷ୍ଟ କରିବାକୁ ଆମେ ଉଚିତ୍ ମନେ କଲୁନାହିଁ। ମୋହିନୀ ମନ୍ଦିର ନିକଟ ଘାଟ, ଓ ଶୋଷି ଘାଟ ପାଖରେ ମାଳ ମାଳ ବିୟର ବୋତଲ, ବିୟର କେନ୍, ଅନ୍ୟ ମଦ ବୋତଲ, ପ୍ଲାଷ୍ଟିକ୍ ଗ୍ଲାସ୍, ସିଗାରେଟ ଖୋଳ, ବଳକା ଚାଖେନା ମଇଳାରେ ଭରପୁର। ସତରେ କଣ ଏହା ଆମ ଧର୍ମୀୟ ଭାବନାର ନିଦର୍ଶନ। ବହୁତ ଧର୍ମୀୟ ସ୍ମୃତିର ସାଇତା ସିନ୍ଦୁକ ବିନ୍ଦୁସାଗର ପାଖକୁ ହଜାର ହଜାର ଭକ୍ତ କେତେ ଦୂରରୁ ଛୁଟି ଆସୁଛନ୍ତି ତାର କଳନା କରିବା ସମ୍ଭବ ନୁହେଁ। ଏଠାରେ ପ୍ରଭୁଙ୍କ ନିକଟରେ ଭକ୍ତିର ଅର୍ଘ୍ୟ ଢାଳିବା ଓ କିଛି ସ୍ମୃତି ସାଉଁଟିବା ପାଇଁ ଧାଇଁ ଆସୁଥିବା ଭକ୍ତଙ୍କ ଭାବାବେଗ ଚୁରମାର୍ ହେଉଛି। ତେଣୁ ଏହାର ପରିବେଶ ଓ ପରିବେଷ୍ଟନ କୁ ନଷ୍ଟ ନକରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ। ପ୍ରଶାସନ କଠୋର ଆଭିମୁଖ୍ୟ ରଖି ଏଥି ନିମନ୍ତେ କଡା ପଦକ୍ଷେପ ଗ୍ରହଣ କରି ମନ୍ଦିର ଓ ବିନ୍ଦୁସାଗର ପୁଷ୍କରିଣୀ କୂଳରେ ମାଦକ-ଦ୍ରବ୍ୟ ସେବନ କୁ ସମ୍ପୂର୍ଣ୍ଣ ବାରଣ କରନ୍ତୁ।
