ରଣପୁର (ଭିଓଭି): ଖାଉଟି ସାମଗ୍ରୀ ରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଏବେ ସମସ୍ତ ଉପଭୋକ୍ତାଙ୍କୁ କଣ୍ଟ୍ରୋଲ ଦୋକାନ ଓ ପଞ୍ଚାୟତରେ ପରିବାରର ସମସ୍ତେ ଇ-କେଓ୍ବାଇସି କରିବାକୁ ବାଧ୍ୟ କରାଯାଇଛି | ଏହି ଇ-କେଓ୍ବାଇସି କରିବାକୁ ଯାଇ ଜଣେ ମହିଳାଙ୍କର ଆଜି ଜୀବନ ଚାଲି ଯାଇଥିବା ଜଣାଯାଇଛି। ଖବର ସଂଗ୍ରହରୁ ଜଣାପଡ଼ିଛି ଯେ ଯେରଣପୁର ବ୍ଲକ ହଂସରା ପଞ୍ଚାୟତ ଆନ୍ତରଗତ ଆନନ୍ଦପୁର ଗ୍ରାମର ପବିତ୍ର କୁମାର ବେହେରା ତାଙ୍କ ଧର୍ମପତ୍ନୀ କୁମାରୀ ବେହେରାଙ୍କୁ ଏକ ବାଇକରେ ବସାଇ ଆଜି ଇ-କେଓ୍ବାଇସି କରିବା ପାଇଁ ନିକଟସ୍ଥ ନରସିଂହପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିଲେ | କିଛି ବାଟ ଗଲା ପରେ ଏକ ମାଙ୍କଡ଼ ବାଇକ ଉପରକୁ ହଠାତ ଡେଇଁ ପଡିଥିଲା | ଡେଇଁ ପଡିଲା ପରେ ଭାରସାମ୍ୟ ହରାଇ ବାଇକରୁ ଉଭୟେ ଖସି ପଡ଼ିଥିଲେ | ଉଭୟ ଆହତ ହୋଇଥିଲା ବେଳେ ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା | ତେଣୁ ପ୍ରଥମେ ରଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା | ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଭୁବନେଶ୍ୱର ନେବା ବେଳେ ବାଟରେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି । ଏଥିରେ ତାଙ୍କ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।
