• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

୧୬୦୦୯ ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

by Voice of Victims
October 5, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
୧୬୦୦୯ ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନବ ନିଯୁକ୍ତ ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକମାନଙ୍କ ପାଇଁ ନିଯୁକ୍ତି ସମାରୋହ ଓ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଆଜି ଜନତା ମୈଦାନଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ କହିଥିଲେ ଯେ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୁରୁଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଥାଏ। ଆଜିର ଶିକ୍ଷା ବ୍ୟବସ୍ଥାରେ ପ୍ରାଚୀନ ଗୁରୁକୁଳ ପରମ୍ପରା ଆଉ ନାହିଁ, ଆମର ଶିକ୍ଷା ବ୍ୟବସ୍ଥା ଆଧୁନିକତାକୁ ଆପଣାଇଛି। କିନ୍ତୁ, ଏହା ଅନସ୍ୱୀକାର୍ଯ୍ୟ ଯେ ଆଜି ମଧ୍ୟ ମାନବ ଜୀବନକୁ ଗଢି ତୋଳିବାରେ ଶିକ୍ଷକ ହିଁ ସବୁଠାରୁ ବଡ ଭୂମିକା ତୁଲାଇଥାନ୍ତି। ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ନିଜ ଜୀବନର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି। କଞ୍ଚାମାଟିକୁ ନିଜ ହାତର ସ୍ପର୍ଶ ଦେଇ କୁମ୍ଭାର ଯେମିତି ସୁନ୍ଦର କୃତି ନିର୍ମାଣ କରିଥାଏ, ଠିକ ସେହିପରି, ଏକ ନିଷ୍ପାପ ଶିଶୁକୁ ଦାୟିତ୍ୱସମ୍ପନ୍ନ ତଥା ଜ୍ଞାନୀ ଗୁଣୀ ଭାବେ ଗଢି ତୋଳିବାର ଗୁରୁଦାୟିତ୍ୱ ଆପଣମାନଙ୍କ କାନ୍ଧରେ ରହିଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଆପଣମାନେ ସମସ୍ତେ ନିଜ ଯୋଗ୍ୟତା ବଳରେ ଶିକ୍ଷକତା ପଦ ହାସଲ କରିଛନ୍ତି। ଆଜି ଠାରୁ ଆପଣମାନେ କେବଳ ଜଣେ ଜଣେ ସରକାରୀ ଚାକିରିଆ ନୁହନ୍ତି, ଆପଣମାନେ ପ୍ରତ୍ୟେକ ହେଉଛନ୍ତି ଜଣେ ଜଣେ ମଣିଷ ଗଢା ଶିଳ୍ପୀ। ଶିକ୍ଷକତା ହେଉଛି ଏ ଦୁନିଆରେ ସବୁଠୁ ମହତ କାର୍ଯ୍ୟ, ସବୁଠାରୁ ସମ୍ମାନସ୍ପଦ ବୃତ୍ତି। ଆଜି ସେହି ମହତ କାର୍ଯ୍ୟ କରିବାକୁ ଆପଣମାନେ ସବୁ ଯୋଗ୍ୟ ହୋଇଥିବାରୁ ମୁଁ ଆପଣ ମାନଙ୍କୁ ଅଭିନନ୍ଦନ ଜଣାଉଛି। ଏ ସମାଜରେ ଆପଣମାନେ ଅଗ୍ରପୂଜ୍ୟ। ଜଣେ ବ୍ୟକ୍ତି ପାଇଁ ଜୀବନରେ ନିଜ ବାପମା’ଙ୍କ ବ୍ୟତୀତ ଯଦି ଅନ୍ୟ କେହି ପ୍ରାତଃ ସ୍ମରଣୀୟ ହୋଇଥାଏ ସେ ହେଉଛନ୍ତି ତାଙ୍କର ଗୁରୁ ଓ ଶିକ୍ଷକ। ବାପା ମା ଜନ୍ମ ଦେଇଥାନ୍ତି, ହେଲେ ତାକୁ ଶିକ୍ଷା ଓ ସଂସ୍କାରର ଦୀକ୍ଷାରେ ମଣ୍ଡିତ କରିଥାନ୍ତି ଗୁରୁମାନେ। ତାହା କରିବାକୁ ଗୁରୁମାନେ ଯେଉଁ ତ୍ୟାଗ କରିଥାନ୍ତି ତା’ର ପଟାନ୍ତର ନାହିଁ। ଯେଉଁ ଦେଶର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ, ସେ ଦେଶର ସର୍ବାଙ୍ଗୀନ ଉନ୍ନତି ସେତେ ପ୍ରଖର। ତେଣୁ ସେହି ସତକୁ ଆଖି ଆଗରେ ରଖି ଆଜି ଆମ ସରକାର ଆପଣ ସମସ୍ତଙ୍କୁ, ଆମ ରାଜ୍ୟ ଓଡ଼ିଶାର ଭବିଷ୍ୟତକୁ ଗଢ଼ିବାର ଏବଂ ରୂପ ଦେବାର ଗୁରୁଦାୟିତ୍ୱ ଅର୍ପଣ କରିବାକୁ ଯାଉଛି। ଆମ ସରକାର ସଦାସର୍ବଦା କାମରେ ହିଁ ବିଶ୍ୱାସ କରିଥାଏ। ଶିକ୍ଷାର ଉନ୍ନତିରେ ଦେଶର ଉନ୍ନତି। ଆଜିର ସରକାର ୧୦୦ ଦିନର ପୁର୍ତ୍ତି ଅବସରରେ ଶିକ୍ଷା ବିଭାଗ ପାଇଁ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଆଣିଛନ୍ତି। ପୂର୍ବ ସରକାର ୫-ଟି ସ୍କୁଲ ରୂପାନ୍ତରଣ ନାମରେ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଅଯଥା ଅର୍ଥ ଖର୍ଚ୍ଚ କରିଚାଲିଲେ। କିନ୍ତୁ ପ୍ରାଥମିକ ଶିକ୍ଷା ଉପରେ ଧ୍ୟାନ ଦେଲେ ନାହିଁ। ମୂଳରୁ ପିଲା ଦୁର୍ବଳ ହେଲେ ଉଚ୍ଚ ଶ୍ରେଣୀରେ ପାଠ ପଢିବାକୁ କଣ ଯୋଗ୍ୟ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯେଉଁ ରାଷ୍ଟ୍ରର ଶିକ୍ଷକମାନେ ସଂସ୍କାରକ, ନିଷ୍ଠାପର, ପରିଶ୍ରମୀ, ଉଦ୍ୟମୀ ସେ ରାଷ୍ଟ୍ର ଶିକ୍ଷାକ୍ଷେତ୍ରରେ ସେତିକି ସୁଦୃଢ ଓ ପ୍ରଗତିଶୀଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ସଦାସର୍ବଦା ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ବିକଶିତ ରାଷ୍ଟ୍ର ନିର୍ମାଣରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ହେଉଛନ୍ତି ଜଣେ ଜଣେ ପଥ ପ୍ରଦର୍ଶକ। ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଲାଭ ପାଇଁ ତଥା ଅନୁକୂଳ ପରିବେଶ ଓ ଗୁଣାତ୍ମକ ଶିକ୍ଷା ନିମନ୍ତେ ପିଏମ୍ ଶ୍ରୀ ଯୋଜନାର ଶୁଭାରମ୍ଭ କରାଯାଇଛି। ନୂତନ ଭାବରେ ଯୋଗଦେଇଥିବା ଶିକ୍ଷକ-ଶିକ୍ଷୟିତ୍ରୀସଦାସର୍ବଦା ପିଲାମାନଙ୍କ ମଧ୍ୟରେ ସ୍ୱପ୍ନ ଦେଖିବା ପାଇଁ ସୁଯୋଗ ସୃଷ୍ଟି କରନ୍ତୁ। ସେହି ସ୍ୱପ୍ନକୁ ସାକାର କରିବା ପାଇଁ ବିଦ୍ୟାଳୟରେ ଆପ୍ରାଣ ଉଦ୍ୟମ ଜାରି ରଖନ୍ତୁ। ଓଡିଶାର ଭାଗ୍ୟ ଉଦୟ ହେଉ ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ। ଆପଣମାନେ ନିଜକୁ ସମୟର ସହ ତାଳ ଦେଇ ସମୟାନୁବର୍ତ୍ତିତା, କର୍ମଯୋଗୀ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଏକ ଉତ୍ତମ ଛାତ୍ରର ସ୍ୱପ୍ନକୁ ପୂରଣ କରିବାରେ ସହାୟକ ହୁଅନ୍ତୁ। ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ୫ଟି ପରାମର୍ଶ ଦେଇ କହିଥିଲେ ଯେ ଶିକ୍ଷକତାକୁ ପେଶା ନୁହେଁ, ନିଶା ଭାବେ ଗ୍ରହଣ କରନ୍ତୁ। ତାହେଲେ ଆପଣ ଶିକ୍ଷକତା ଜୀବନର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବା ସହିତ ଶିକ୍ଷାଦାନକୁ ମଧ୍ୟ ଆନନ୍ଦମୟ କରିପାରିବେ। ଶିକ୍ଷାଦାନକୁ ‘ଆନନ୍ଦମୟ’ କରନ୍ତୁ। ଆପଣମାନେ ‘ଶିକ୍ଷାଦାନ କୌଶଳ’ ଏବଂ ‘ଆନନ୍ଦମୟ ଶିକ୍ଷା’ ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିବେ। ଆପଣମାନେ ଜାଣିଛନ୍ତି, ଆଜିକାଲି ଆଉ କର୍ପୋରାଲ୍ ଦଣ୍ଡ ବିଧାନ ସ୍କୁଲରେ ନାହିଁ। ତେଣୁ, ଏଥିପ୍ରତି ଧ୍ୟାନ ଦେବେ ଏବଂ ମୁଁ ଯେପରି ଆଗରୁ କହିଛି ଯେ ବିଦ୍ୟାର୍ଥୀ ଆପଣଙ୍କୁ ବନ୍ଧୁ ଭାବେ ଭାବିବା ଆବଶ୍ୟକ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଆଜି ଆପଣ ମାନେ ଏକ ଗୁରୁ ଦାୟିତ୍ୱ ବହନ କରିବାକୁ ଯାଉଛନ୍ତି। ପ୍ରାରମ୍ଭିକ ଶିକ୍ଷା ହିଁ ପିଲାଙ୍କୁ ଦିଗବିଜୟୀ ହେବା ପାଇଁ ଗଢି ତୋଳିଥାଏ। ଓଡ଼ିଶାରେ ପ୍ରାୟ ୭୬ ଲକ୍ଷ ୪୯ ହଜାର ପିଲା ବିଦ୍ୟାଳୟରେ ପଢୁଛନ୍ତି। ସେମାନଙ୍କୁ ଶିକ୍ଷିତ ଓ ନିର୍ଭିକ କରି ଗଢି ତୋଳିବାର ଦାୟିତ୍ୱ ଆପଣମାନଙ୍କ ଉପରେ। ୨୦୩୬ ମସିହା ବେଳକୁ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ରହିଛି। ଆଜି ଯେଉଁ ପିଲା ୧୨-୧୩ ବର୍ଷ ବୟସରେ ଅଛି ସେତେବେଳକୁ ତାର ଯୁବବସ୍ଥା ହୋଇଥିବ। ଆପଣ ମାନଙ୍କ ନିଷ୍ଠାପର ଉଦ୍ୟମରେ ତାର ଆତ୍ମ ବିଶ୍ୱାସ ମଧ୍ୟ ବୃଦ୍ଧି ହୋଇଥିବ। ଆପଣମାନେ ହେଉଛନ୍ତି ସେ ପିଲାମାନଙ୍କ ପାଇଁ ଗୁରୁ ଦ୍ରୋଣାଚାର୍ଯ୍ୟ। ଓଡିଶାରେ ଧନୀ ଲୋକ ନାହାନ୍ତି କିନ୍ତୁ ଜ୍ଞାନୀ ଲୋକଙ୍କ ଅଭାନ ନାହିଁ। ଆଗାମୀ ଦିନରେ ଜ୍ଞାନ ଆଧାରିତ ବିକଶିତ ଭାରତର ମୂଳ କେନ୍ଦ୍ର ହେବେ ଶିକ୍ଷକସମାଜ। ସେହିପରି ଅନ୍ୟତମ ଅତିଥି ଭାବେ ରାଜ୍ୟର ବିଦ୍ୟାଳୟ ଓ ଗଣ ଶିକ୍ଷା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ଆଜିର ଏହି କାର୍ଯ୍ୟକ୍ରମ ଏକ ଐତିହାସିକ କାର୍ଯ୍ୟକ୍ରମ। ଓଡ଼ିଶା କିପରି ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିବ ସେଥିପାଇଁ ଆପଣମାନେ ପ୍ରଚେଷ୍ଠା କରନ୍ତୁ। ଆପଣମାନଙ୍କ ନିଯୁକ୍ତି ଓଡ଼ିଶା ସରକାରଙ୍କ ପାଇଁ ଏକ ବଡ ଉପଲବ୍ଧି। ଆପଣମାନଙ୍କ ନିଯୁକ୍ତି ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଧନ୍ୟବାଦ ଦେଇଥିଲେ।

Post Views: 63
Share200Tweet125Send
Voice of Victims

Voice of Victims

Recent Posts

  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !
  • ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୪
  • ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ
  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In