କଟକସ୍ଥିତ ଏଲ୍.ଆର୍. ଡି.ଏ.ଭି. ପବ୍ଲିକ୍ ସ୍କୁଲ୍ର ଦ୍ୱାଦଶ ଶ୍ରେଣୀର ଛାତ୍ର ଶ୍ରେୟସ ଷଡ଼ଙ୍ଗୀ ଏକ ବିରଳ ସଫଳତା ହାସଲ କରିଛନ୍ତି। ତାଙ୍କର ଅସାଧାରଣ ପ୍ରତିଭା, ନିଷ୍ଠା ଓ ଅଧ୍ୟବସାୟର ସ୍ୱୀକୃତି ସ୍ୱରୂପ ତାଙ୍କୁ ଡି.ଏ.ଭି.ର ସମ୍ମାନଜନକ ୫ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଡି.ଏ.ଭି. କଲେଜ ପରିଚାଳନା ସମିତିର ଅଧ୍ୟକ୍ଷା ତଥା ପଦ୍ମଶ୍ରୀ ପୁନମ ସୁରୀ ଜୀଙ୍କ ଦ୍ୱାରା ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଜାତୀୟ ସ୍ତରରେ ଆୟୋଜିତ ତିନୋଟି କଠିନ ପର୍ଯ୍ୟାୟର ସାକ୍ଷାତ୍କାରରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଶ୍ରେୟସ ଏହି ସର୍ବୋଚ୍ଚ ବର୍ଗର ଛାତ୍ରବୃତ୍ତି ହାସଲ କରିଛନ୍ତି।
ତାଙ୍କର ଏହି ସଫଳତା ପଛରେ ରହିଛି ଅକ୍ଳାନ୍ତ ପରିଶ୍ରମ, ଅଦମ୍ୟ ଧୈର୍ଯ୍ୟ, ଏକାଗ୍ରତା ଓ ଶିକ୍ଷା କ୍ଷେତ୍ରରେ ଅସାଧାରଣ ଉତ୍କର୍ଷ। କଟକ ମହାନଦୀ ବିହାରରେ ରହୁଥିବା ପିତା ସତ୍ୟ ରଞ୍ଜନ ଷଡ଼ଙ୍ଗୀ ଓ ମାଆ ବଲ୍ଲରୀ ଷଡ଼ଙ୍ଗୀଙ୍କ ପୁଅ ଶ୍ରେୟସଙ୍କର ଏହି ଉଲ୍ଲେଖନୀୟ ସଫଳତା କେବଳ ତାଙ୍କ ନିଜ ଭବିଷ୍ୟତକୁ ଉଜ୍ଜ୍ୱଳ କରିନାହିଁ, ବରଂ ଓଡ଼ିଶାର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛି। ଏଠାରେ ଉଲେଖନୀୟ ଯେ ଶ୍ରେୟସ ଦଶମ ଶ୍ରେଣୀ ପରୀକ୍ଷାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ।
